କଟକ: ଏଣିକି ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କ୍ରାଇମବ୍ରାଞ୍ଚରେ ଶିଖିବେ ଅପରାଧିକ ମାମଲାର ପଞ୍ଜୀକରଣଠାରୁ ତଦନ୍ତ ଯାଏ ସମସ୍ତ କୌଶଳ। କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଏହି ଛାତ୍ରଛାତ୍ରୀଙ୍କୁ ଅପରାଧ ଘଟିଥିବା ଘଟଣାସ୍ଥଳକୁ ନେଇ ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ କରିବେ। ଆଇନ ଛାତ୍ରଛାତ୍ରୀମାନେ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ନିଜ ଅଭିଜ୍ଞତା ବାଣ୍ଟିବେ। ପରସ୍ପର ମଧ୍ୟରେ ଆପୋସ ବୁଝାମଣାରେ ଜ୍ଞାନ ବାଣ୍ଟିବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନଏଲୟୁ)ର କ୍ରାଇମବ୍ରାଞ୍ଚ ସହିତ ଏକ ବୁଝାମଣା ହୋଇଛି। ଏନଏଲୟୁରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ କ୍ରାଇମବ୍ରାଞ୍ଚରେ ଇଣ୍ଟର୍ଣ୍ଣସିପ୍ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚରେ ସେମାନେ ଅପରାଧୀକ ମାମଲାର ତଦନ୍ତ, ପ୍ରସିକ୍ୟୁସନ୍, ମାମଲାରେ ତଥ୍ୟ ସଂଗ୍ରହ, ତଥ୍ୟ ବାଣ୍ଟିବା, ନିର୍ଦ୍ଦେଶରେ ଖଲାସ ହୋଇଥିବା ବିଭିନ୍ନ ଅଭିଯୁକ୍ତଙ୍କ ରାୟର ଯାଞ୍ଚ, କେସ୍ ରେକର୍ଡ, କାଉଣ୍ଟର ଆଫିଡେଭିଟ୍, ପ୍ରତି ଜବାବ ଇତ୍ୟାଦି କିଭଳି ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିପାରିବ, ସେ ନେଇ ଏହି ଇଣ୍ଟର୍ଣ୍ଣସିପରେ ତାଲିମ୍ ପ୍ରଦାନ କରାଯିବ।
ଆଇନ ଛାତ୍ରଛାତ୍ରୀମାନେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ସହିତ ଘଟଣା ସ୍ଥଳକୁ ଯିବେ। କ୍ରାଇମବ୍ରାଞ୍ଚରେ କିଭଳି ମାମଲା ପଞ୍ଜିକରଣ ହେଉଛି ତାକୁ ଅନୁଧ୍ୟାନ କରିବେ। କେଉଁ ମାମଲାରେ କିଭଳି ଦଫା ଲାଗୁଛି, ଏ ନେଇ ବି ବୁଝାଯିବ। ମୋଟ ଉପରେ କ୍ରାଇମବ୍ରାଞ୍ଚ କିଭଳି ଢଙ୍ଗରେ ଅପରାଧିକ ମାମଲାର ତଦନ୍ତ କରୁଛି, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କୁହାଯିବ। ଏନଏଲୟୁ ପକ୍ଷରୁ ୭ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏମାନଙ୍କୁ କ୍ରାଇମବ୍ରାଞ୍ଚକୁ ୩୦ ଦିନିଆ ଇଣ୍ଟର୍ଣ୍ଣସିପ୍ ପାଇଁ ପଠାଯାଇଛି। ସୋମବାରଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇଣ୍ଟର୍ଣ୍ଣସିପର ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଆଇଜି ସେଫେନ୍ ଅହମ୍ମଦ କେ., ପବ୍ଲିକ୍ ପ୍ରସିକ୍ୟୁସନର ଉପନିର୍ଦ୍ଦେଶକ ଚିତ୍ତରଞ୍ଜନ କାନୁନଗୋ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପରେ ତଦନ୍ତ ଓ ପ୍ରସିକ୍ୟୁସନ୍ ସମ୍ପର୍କରେ ବୁଝାଇଛନ୍ତି।
୨୦୨୨ ନଭେମ୍ବରରେ କ୍ରାଇମବ୍ରାଞ୍ଚ ଓ ଏନଏଲୟୁ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ଏହି ଇଣ୍ଟର୍ଣ୍ଣସିପ୍ ସମୟରେ ଉଭୟ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଓ ଏନଏଲୟୁର ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ ଅଭିଜ୍ଞତାକୁ ପରସ୍ପର ମଧ୍ୟରେ ବାଣ୍ଟିବେ। ତୃତୀୟ ବର୍ଷ ଆଇନ ଛାତ୍ର ଓ ପିଏଚଡି କରୁଥିବା ଛାତ୍ର ଉଭୟ ଏହି ଇଣ୍ଟର୍ଣ୍ଣସିପରେ ସାମିଲ ହୋଇଛନ୍ତି।