ଭୁବନେଶ୍ବର: ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେବାକୁ ଥିବା ମେଡିକାଲ କଲେଜକୁ ଆରମ୍ଭରୁ ଝଟ୍କା ଲାଗିଛି। ଆବଶ୍ୟକ ଭିତ୍ତିଭୂମି, ଅଧ୍ୟାପକ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ନ ଥିବା ଦର୍ଶାଇ ଜାତୀୟ ମେଡିକାଲ କମିସନ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଅନୁମତି ପତ୍ର ବା ଏଲଓଆଇ ଦେବାକୁ ମନା କରି ଦେଇଛନ୍ତି। ମେଡିକାଲ କଲେଜ ପାଇଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ରହିଛି ତହିଁରେ ପୁଳା ପୁଳା ଅଭାବ ରହିଥିବା ଦର୍ଶାଯାଇଛି। ଯାହାଫଳରେ ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯେଉଁ ଅଭାବ ରହିଛି ତାହାକୁ ପୂରଣ କରି ଆସନ୍ତା ମେ’୧୦ତାରିଖ ସୁଦ୍ଧା ଏନ୍ଏମ୍ସିଙ୍କୁ ଜଣାଇବାକୁ କୁହାଯାଇଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ସୁନ୍ଦରଗଡ଼ରେ ୧୦୦ ଏମ୍ବିବିଏସ୍ ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ଚଳିତ ଫେବ୍ରୁଆରି ୧ ଓ ୨ତାରିଖରେ ଏନ୍ଏମ୍ସିର ମେଡିକାଲ ଆସେସମେଣ୍ଟ ଏବଂ ରେଟିଂ ବୋର୍ଡ ବା ଏମ୍ଏଆରବି କଲେଜ ପରିଦର୍ଶନ କରିବା ସହିତ ଏହାର ଭିତ୍ତିଭୂମି ଯାଞ୍ଚ କରିଥିଲେ। ମାତ୍ର କଲେଜ ପାଇଁ ଅଧ୍ୟାପକ ପଦବି ଖାଲି ରହିଥିବା ଏମ୍ଏଆରବି ପକ୍ଷରୁ କୁହାଯାଇଛି। କେବଳ ମେଡିକାଲ ସୁପରିନଟେଣ୍ଡେଣ୍ଟ(ଭାରପ୍ରାପ୍ତ)ଙ୍କ ନିଯୁକ୍ତିକୁ ବାଦ୍ ଦେଲେ ଆନାଟୋମି, ଫିଜିଓଲୋଜି, ମାଇକ୍ରୋବାଇଓଲୋଜି, କମ୍ୟୁନିଟି ମେଡିସିନ୍ ଓ ଅନ୍ୟ ସମସ୍ତ କ୍ଲିନିକାଲ ବିଭାଗରେ ଜଣେ ହେଲେ ବି ଅଧ୍ୟାପକ ନିଯୁକ୍ତ ହୋଇ ନାହାନ୍ତି। କଲେଜର ବିଲ୍ଡିଂ ନିର୍ମାଣାଧୀନ ରହିଛି। ଏହାସହ ଲେକ୍ଚର ଥିଏଟର, ଲାଇବ୍ରେରି, ଲାବୋରେଟାରି, ଛାତ୍ରାବାସ, ଷ୍ଟାଫ୍ କ୍ବାର୍ଟରସ ନାହିଁ। ଆନାଟୋମି, ଫିଜିଓଲୋଜି, ବାଇଓକେମିଷ୍ଟ୍ରି ଲାବୋରେଟାରି ନାହିଁ କି ଆବଶ୍ୟକ ଯନ୍ତ୍ରପାତି, ଅଡିଓ-ଭିଜୁଆଲ ମଧ୍ୟ ନାହିଁ।
ସେହିପରି ଲେକ୍ଚର ଥିଏଟର, ଡେମୋନଷ୍ଟ୍ରେନ୍ ଗୃହ, ଲା ବୋରେଟାରି ପ୍ରସ୍ତୁତ ହୋଇ ନ ଥିବା ବେଳେ ଡିସେକସନ୍ ହଲ, ମାଇକ୍ରୋସ୍କୋପ୍ ଓ ଅଡିଓ-ଭିଜୁଆଲ ଏଡ୍ ନାହିଁ। ନର୍ସିଂ, ବୈଷୟିକ, ପାରା ମେଡିକାଲ ଷ୍ଟାଫ୍ଙ୍କ ନିଯୁକ୍ତି ସଂପର୍କରେ ମଧ୍ୟ ମୂଲ୍ୟାଙ୍କନ ସମୟରେ କିଛି ସ୍ପଷ୍ଟ ହୋଇପାରି ନାହିଁ। କେନ୍ଦ୍ରୀୟ ଲାଇବ୍ରେରି, ଟିଚିଂ ହସ୍ପିଟାଲ, ଜୀବନ ରକ୍ଷାକାରୀ ଯନ୍ତ୍ର ଯଥା ସେଣ୍ଟ୍ରାଲ ସକ୍ସନ୍, ସେଣ୍ଟ୍ରାଲ ଅକ୍ସିଜେନ, ପଲ୍ସ ଅକ୍ସିମିଟର, କ୍ରାସ୍ କାର୍ଟ ଓ ଆମ୍ବ୍ୟୁବ୍ୟାଗ୍ ଉପଲବ୍ଧ ନାହିଁ। ରକ୍ତ ଭଣ୍ଡାରର ଲାଇସେନ୍ସ ନାହିଁ କି ବିଏସ୍ଏଲ-୨ ଭାଇରୋଲୋଜି ଲ୍ୟାବ୍ ପ୍ରସ୍ତୁତ ହୋଇନାହିଁ। ହସ୍ପିଟାଲରେ ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଅସ୍ତ୍ରୋପଚାର ଗୃହ, କଲେଜର ୱେବସାଇଟ୍ ମଧ୍ୟ ନାହିଁ। ଏସବୁ ଅଭାବ ଭିତରେ ମେଡିକାଲ କଲେଜକୁ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ଅନୁମତି ଦେବା ସମ୍ଭବ ନୁହେଁ ବୋଲି ଏନ୍ଏମ୍ସି ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ଏମ୍ଏନ୍ସି ପକ୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜକୁ ଅନୁମତି ପତ୍ର ନ ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଧାର୍ଯ୍ୟ ସମୟ ଭିତରେ ଏନ୍ଏମ୍ସିକୁ ସବିଶେଷ ରିପୋର୍ଟ ପ୍ରଦାନ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ଡିଏମ୍ଇଟି ଡା.ରମାରମଣ ମହାନ୍ତି କହିଛନ୍ତି, ଏନ୍ଟିପିସି ଏହି ମେଡିକାଲ କଲେଜ ନିର୍ମାଣ କରୁଛି। ଏହାସହ କିଛି ଆନୁଷଙ୍ଗିକ ଯନ୍ତ୍ରପାତି ମଧ୍ୟ ଯୋଗାଇବ। ତେବେ ସଂପୂର୍ଣ୍ଣଭାବେ ଏହା ସ୍ବାସ୍ଥ୍ୟ ବିଭାଗ ଅଧୀନକୁ ଆସିବା ପାଇଁ ଆହୁରି ୬ରୁ୭ ମାସ ସମୟ ଲାଗିବ। ତେବେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସନ୍ତା ୧-୨ ବର୍ଷ ପାଇଁ ମେଡିକାଲ କଲେଜ ପାଇଁ ଗ୍ରହଣ କରିବା ଲାଗି ଏନ୍ଏମ୍ସିକୁ କୁହାଯାଇଛି। ତେବେ ଚଳିତ ଶିକ୍ଷାବର୍ଷରେ ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମଲେଖା ପାଇଁ ରାଜ୍ୟ ସରକାର ଆଶାବାଦୀ ଥିବା ଡା.ମହାନ୍ତି କହିଛନ୍ତି।