ଭୁବନେଶ୍ୱର: ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶାରେ ଏକ ଅନ୍ତର୍ଜାତୀୟମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଖୋର୍ଦ୍ଧାସ୍ଥିତ ଇନ୍‌ଫୋ ଭ୍ୟାଲିଠାରେ ପ୍ରତିଷ୍ଠା ହେବାକୁ ଥିବା ଏନ୍‌ଏମ୍‌ଆଇଏମଏସ୍ ବିଶ୍ୱବିଦ୍ୟାଳୟ ପାଇଁ ଆଜି ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ(ଏସ୍‌ଭିକେଏମ୍‌) ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଟ୍ରଷ୍ଟର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Advertisment

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଏହି ବୁଝାମଣାପତ୍ର ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି। ଶିକ୍ଷାରେ ସହଭାଗିତା, ଅଭିବୃଦ୍ଧି ଓ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଲଟିବ। ପିଲାଙ୍କ ଶିକ୍ଷାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନିକଟରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏସଭିକେଏମ ସହିତ ଯୋଡ଼ି ହୋଇ ଆମେ ଉଚ୍ଚଶିକ୍ଷାରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ଶିକ୍ଷାଗତ ହବ୍ ପାଇଁ ଭିତ୍ତିଭୂମି ସ୍ଥାପନ କରୁଛୁ। ମିଳିତ ଭାବେ ଆମେ କେବଳ ଏକ କ୍ୟାମ୍ପସ ପ୍ରତିଷ୍ଠା କରୁ ନାହୁଁ। ବରଂ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଅଞ୍ଚଳର ସାମଗ୍ରିକ ବିକାଶରେ ସହଯୋଗ କରୁଛୁ ବୋଲି ସେ ମତପ୍ରକାଶ କରିଥିଲେ। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନୁଷ୍ଠାନର ସଚିବ ଜୟନ୍ତ ଗାନ୍ଧୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଜିନାମା ବେଳେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ଅରୂପ ପଟ୍ଟନାୟକ ଓ ଏସଭିକେଏମ୍ ଟ୍ରଷ୍ଟର ଯୁଗ୍ମ ସମ୍ପାଦକ ଜଗଦୀଶ ବି ପାରିଖ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଜଟଣୀର ଗୌଡକାଶିପୁରଠାରେ ୪୦ ଏକର ଜମି ଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି। ୩୦ ବର୍ଷ ପରେ ଏହି ଅବଧି ବୃଦ୍ଧି କରାଯିବା ନେଇ ଅନୁମୋଦନ କରାଯାଇପାରେ। ଓଡ଼ିଶାର ମେଧାବୀ ପିଲାଙ୍କ ପାଇଁ ଏଠାରେ ୩୦% ସିଟ୍‌ ସଂରକ୍ଷଣ ରହିବ। କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର(ପିଜି) ପର୍ଯ୍ୟନ୍ତ ଶିକ୍ଷାଦାନ ହେବ। ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ। ପ୍ରାରମ୍ଭ‌ରେ ୩୦୦ କୋଟି ଟଙ୍କା ପ୍ରଥମ ୫ ବର୍ଷ ପାଇଁ ୪୦ ଏକର ଜମିର ଦେୟବାବଦରେ ବିନିଯୋଗ କରାଯିବ। ଏହି ଅର୍ଥ ରାଶି ଉଚ୍ଚଶିକ୍ଷା ବିଭାଗ ଇଡ୍‌କୋକୁ ପ୍ରଦାନ କରିବ। ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସ୍‌ଭିକେଏମ୍‌ ବହନ କରିବ ବୋଲି ରାଜିମାନାରେ ଉଲ୍ଲେଖ ହୋଇଛି। ଏହି ଅବସରରେ ଶ୍ରୀ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ପକ୍ଷରୁ ଓଡ଼ିଶା ପ୍ରକଳ୍ପର ଅଧ୍ୟକ୍ଷ ଜଗଦୀଶ ପାରିଖ, ସଚିବ ଜୟନ୍ତ ଗାନ୍ଧୀ ଓ କ୍ୟାମ୍ପସ୍‌ ପ୍ରତିନିଧି ରଜତ ଅଗ୍ରୱାଲ ପ୍ରମୁଖ ନବୀନ ନିବାସରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ଙ୍କୁ ଭେଟି ରାଜ୍ୟରେ ଶିକ୍ଷା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।