ବନ୍ଧୁଗାଁ: ସରକାରୀ ଅବହେଳାରୁ ଗୋଟିଏ ପଞ୍ଚାୟତର ୪୨ ପିଲା ଶିକ୍ଷା ଅଧିକାରରୁ ବଞ୍ଚିତ। ଘର କାମରେ ସହଯୋଗ କରୁଛନ୍ତି, ନଚେତ ଗାଈ ଚରାଇବାକୁ ଯାଉଛନ୍ତି। ଯାହାର ସୂଚନା ଶିକ୍ଷା ବିଭାଗ ନିକଟରେ ନାହିଁ। ଶିଶୁ ଜନ୍ମ ହେବାର ୬ ମାସ ମଧ୍ୟରେ ଜନ୍ମ ପ୍ରମାଣପତ୍ର କରିବାକୁ ପଡ଼ିଥାଏ। ଏହି ଆଧାରରେ ଶିଶୁଙ୍କ ଆଧାରକାର୍ଡ ହେଲେ ବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ବ୍ୟବସ୍ଥା ରହିଛି। ବନ୍ଧୁଗାଁ ବ୍ଲକ୍ ପେଦାୱାଲଡ଼ା ପଞ୍ଚାୟତରେ ପାଠପଢ଼ା ବୟସରେ କେତେ ପିଲା ଅଛନ୍ତି ଏବଂ ସେଥିରୁ କେତେ ପିଲା ବିଦ୍ୟାଳୟ ଯାଉଛନ୍ତି ତାହାର ତାଲିକା କିଛି ଦିନ ତଳେ ପ୍ରସ୍ତୁତ କରିଥିଲେ ସରପଞ୍ଚ ଶେଖର କଣ୍ଡାଗୋରି। ଏଥିରେ ତାଙ୍କୁ ‘ସମ୍ବାଦ’ ପ୍ରତିନିଧି ଉତ୍ତମ ନାୟକ ସହଯୋଗ କରିଥିଲେ। ପଞ୍ଚାୟତର ୧୨ ଗାଁ ବୁଲି ସର୍ଭେ କରିବାରୁ ୬ରୁ ୧୪ବର୍ଷ ମଧ୍ୟରେ ୫୦୨ ପିଲା ରହିଥିବା ଜଣାପଡ଼ିଥିଲା।
ସେଥିରୁ ୪୬୦ଜଣ ପିଲା ଗାଁ ସ୍କୁଲ କିମ୍ବା ଗାଁ ବାହାର ଆଶ୍ରମ ବିଦ୍ୟାଳୟରେ ପଢ଼ୁଛନ୍ତି। ବଳକା ୪୨ ପିଲା ଏଯାଏଁ ବିଦ୍ୟାଳୟ ମାଡ଼ି ନାହାନ୍ତି। କେଉଁ କାରଣରୁ ପିଲା ସ୍କୁଲ ଯାଉନାହାନ୍ତି ପଚାରିବାରୁ ଜଣାଗଲା ଯେ କାହାର ବି ଆଧାରକାର୍ଡ ନାହିଁ। ପିଲାଙ୍କ ପାଠପଢ଼ା ବୟସ ହୋଇସାରିଥିଲେ ସୁଦ୍ଧା ଆଧାରକାର୍ଡ ଶିକ୍ଷାରେ ବାଧକ ସାଜିଛି। ଅଭିଭାବକ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଆଧାରକାର୍ଡ ସଂଗ୍ରହ ପାଇଁ ଉଦ୍ୟମ କରିଛନ୍ତି। ଆଧାର କେନ୍ଦ୍ରରେ ଜନ୍ମ ପ୍ରମାଣପତ୍ର ମାଗୁଛନ୍ତି। ମମତା କାର୍ଡ ନେଇ ଡାକ୍ତରଖାନାକୁ ଗଲେ ପଞ୍ଜୀକରଣ ହୋଇନଥିବା କୁହାଯାଉଛି। ପୁଣି ଅନ୍ଲାଇନ୍ରେ ଶିଶୁଙ୍କ ତଥ୍ୟ ଅପଲୋଡ୍ ହୋଇନି କିମ୍ବା ଏଏନ୍ଏମ୍ କୌଣସି ସୂଚନା ଡାକ୍ତରଖାନାକୁ ଦେଇନାହାନ୍ତି ବୋଲି କହୁଛନ୍ତି। ମମତା କାର୍ଡରେ ଶିଶୁର ଜନ୍ମ ଆନ୍ଧ୍ରରେ ହୋଇଛି, ଶିଶୁ ଘରେ ଜନ୍ମ ହୋଇଛି ବୋଲି ଦର୍ଶାଇ ଜନ୍ମ ପ୍ରମାଣପତ୍ର ଦେଉନାହାନ୍ତି। ଜନ୍ମ ପ୍ରମାଣପତ୍ର ଆବେଦନ ଲାଗି ଅନେକ ବିଳମ୍ବ ହୋଇଯାଇଛି। ଏଥିପାଇଁ କୋର୍ଟରେ ସତ୍ୟପାଠ କରିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଉଛି। ସତ୍ୟପାଠ ପାଇଁ କିଛି ଅଭିଭାବକଙ୍କୁ ୧୦ରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ମଗାଯାଇଛି। ଏମିତି ଝିନଝ୍ଟ୍ ଯୋଗୁଁ ହୀନସ୍ତା ହୋଇ ଗରିବ ଆଦିବାସୀ ପିତାମାତା ନିରାଶରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/05/OPfnBEiOQ8ab0z07qzfa.jpg)