କାହା ବିରୋଧରେ ହୋଇନି କାର୍ଯ୍ୟାନୁଷ୍ଠାନ

ସପ୍ତମ ଦିନରେ ବି ସ୍ୱାଭାବିକ ହେଲାନି ଯୁକ୍ତ୨ ମୂଲ୍ୟାୟନ

ଭୁବନେଶ୍ୱର: ୭ ଦିନ ବିତିଯାଇଥିଲେ ମଧ୍ୟ ଯୁକ୍ତ୨ ଖାତା ଦେଖା ସ୍ୱାଭାବିକ ହୋଇପାରିନି। ମୂଲ୍ୟାୟନ ଲାଗି ନିଯୁକ୍ତି ପତ୍ର ଦିଆଯାଇଥିବା ସମସ୍ତ ଅଧ୍ୟାପକ ଏପର୍ଯ୍ୟନ୍ତ ଖାତା ଦେଖାରେ ସାମିଲ ହୋଇ ନାହାନ୍ତି। ୩ ଦିନ ତଳେ ମୂଲ୍ୟାୟନରେ ଯୋଗଦେଉ ନ ଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଚୁପ୍‌ ହୋଇଯାଇଛି। ଆଜି ସୁଦ୍ଧା ୬୫ ପ୍ରତିଶତ ଅଧ୍ୟାପକ ଖାତା ଦେଖାରେ ସାମିଲ ହୋଇଛନ୍ତି। ଆହୁରି ୩୫ ପ୍ରତିଶତ ଅଧ୍ୟାପକ ଖାତା ଦେଖିବାକୁ ଆସି ନ ଥିବା ନେଇ ପରିଷଦ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା ସୂଚନା ଦେଇଛନ୍ତି। ମୂଲ୍ୟାୟନ ପ୍ରକ୍ରିୟାରେ ଯୋଗ ଦେଇ ନ ଥିବା ଜଣେ ବି ହେଲେ ଅଧ୍ୟାପକଙ୍କ ବିରୋଧରେ ଏବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଥାନାରେ ବି ମାମଲା ହୋଇ ନ ଥିବା ଶ୍ରୀ ପଣ୍ଡା କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କେତେକ ମୂଲ୍ୟାୟନ କେନ୍ଦ୍ରରେ ନିରୀକ୍ଷକଙ୍କ ସଂଖ୍ୟା ୨୦ ପ୍ରତିଶତ ବି ଟପିନି। ଆସନ୍ତା ୧୪ ତାରିଖରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ଶେଷ ହେବା ପରି ମନେ ହେଉନି। ଯଦି ପ୍ରଥମ ପର୍ଯ୍ୟାୟରେ ମୂଲ୍ୟାୟନକାରୀ ହେଉ ନାହାନ୍ତି ତେବେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ କିଭଳି ହେବ ତାହାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦୁଇଟି ପର୍ଯ୍ୟାୟ ଖାତା ଦେଖା ଲାଗି ୧୪ ହଜାର ଅଧ୍ୟାପକ ଆବଶ୍ୟକ। ଏବେ ସୁଦ୍ଧା କଷ୍ଟେମଷ୍ଟେ ମାତ୍ର ୫,୮୦୦ ଅଧ୍ୟାପକଙ୍କୁ ଡକାଯାଇଛି। ଆଉ ଅଧ୍ୟାପକ କେଉଁଠୁ ଆସିବେ ତାହାକୁ ନେଇ ପରିଷଦ କର୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ଯଦି ଏତିକି ଅଧ୍ୟାପକଙ୍କୁ ନେଇ ମୂଲ୍ୟାୟନ ଚାଲିବ ତେବେ ଫଳ ପ୍ରକାଶରେ ବିଳମ୍ବ ହୋଇପାରେ ବୋଲି ଶିକ୍ଷାବିତ୍‌ ମତପ୍ରକାଶ କରିଛନ୍ତି। ଅଧ୍ୟାପକ ଓ ରାଜ୍ୟ ସରକାରଙ୍କ କଳିରେ ବଳି ପଡ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ। ଯଦି ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦାବି ପୂରଣ କରିବାକୁ ସରକାର ଚିନ୍ତା କରୁଛନ୍ତି ତେବେ କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି? କେଉଁଠି ତ୍ରୁଟି ରହୁଛି? ବିଜ୍ଞପ୍ତି ପ୍ରକାଶ କରିବାରେ ବିଳମ୍ବ କାହିଁକି? କାହା ସ୍ୱାର୍ଥ ପାଇଁ ବିଜ୍ଞପ୍ତି କରାଯାଉ ନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।  ଅଧ୍ୟାପକଙ୍କ ଦାବିକୁ ସମର୍ଥନ କରି ସୋମବାର ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ବେଳେ ଆଜି ଅଭିଭାବକମାନେ ଏଥିରେ ସାମିଲ ହୋଇଛନ୍ତି। ପୂର୍ବାହ୍ନରେ ମୂଲ୍ୟାୟନ କେନ୍ଦ୍ର ଆଗରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଳୋଗାନ୍‌ମାନ ଦେଇଥିଲେ। ସରକାର ନିଜର ସ୍ୱାର୍ଥ ଲାଗି ଆମ ପିଲାଙ୍କ ଭବିଷ୍ୟତକୁ ବଳି ଦେଉଛନ୍ତି। ଅଧ୍ୟାପକଙ୍କ ଦାବି ପୂରଣ କରାଯାଇ ମୂଲ୍ୟାୟନକୁ ସ୍ୱାଭାବିକ କରାଯାଉ। ନ ହେଲେ ସାଢ଼େ ତିନି ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯିବ ବୋଲି ଅଭିଭାବକମାନେ ମତପ୍ରକାଶ କରିଛନ୍ତି। ଯୁବ କଂଗ୍ରେସ ନେତାଙ୍କ ସମେତ ଏଆଇଡିଏସ୍‌ଇଓର ଛାତ୍ରନେତା ନସିମ୍‌ ସରକାର, ଅଭିଭାବକ ସଂଘର ଅଧ୍ୟକ୍ଷ ସୁଦର୍ଶନ ଦାସ ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଧାରଣାରେ ସାମିଲ ହୋଇଛନ୍ତି।ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ପଣ୍ଡା କହିଛନ୍ତି ଯେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେଇପାରିବୁ ନାହିଁ। ଯେଉଁ ଅଧ୍ୟାପକଙ୍କୁ ଖାତା ମୂଲ୍ୟାୟନ କରିବାକୁ ଡକାଯାଇଛି ଆଉ ସେମାନେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ତାଲିକା ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସରକାରୀସ୍ତରରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମର କିଛି କରିବାର ନାହିଁ। ବିଗତବର୍ଷଗୁଡ଼ିକରେ ନିର୍ଧାରିତ ସମୟରେ ମୂଲ୍ୟାୟନ ଶେଷ ହୋଇ ନାହିଁ। ଗୋଟିଏ ଦୁଇ ଦିନ ଏପାଖ ସେପାଖ ହୋଇଥାଏ। ଏଥର ନିର୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର