ବର୍ଷେ ବିତିଲା, ଅସଦାଚରଣ ଅଭିଯୋଗ ନେଇ ହେଲାନି କାର୍ଯ୍ୟାନୁଷ୍ଠାନ

ସରକାର କେଉଁଠି ଅଛି, ବିରୋଧୀ କେଉଁଠି ଅଛନ୍ତି; ଆଇଏଏସ୍‌ଙ୍କୁ ଟ୍ବିଟରରେ ଘେରିଲେ ପୂର୍ବତନ ମହିଳା ଓଏଏସ୍‌

ଭୁବନେଶ୍ବର : ବର୍ଷେ ବିତିଲା କିନ୍ତୁ ସମ୍ବଲପୁରର ପୂର୍ବତନ ଜିଲ୍ଲାପାଳ ଶୁଭମ ସାକ୍ସେନାଙ୍କ ବିରୋଧରେ ହୋଇଥିବା ଅସଦାଚରଣ ଅଭିଯୋଗ ନେଇ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇ ପାରିଲା ନାହିଁ। ସରକାର କେଉଁଠି, ବିରୋଧୀ କେଉଁଠି ଅଛନ୍ତି ବୋଲି ଟ୍ବିଟ୍‌ ଜରିଆରେ ଏହି ପ୍ରଶ୍ନ କରିଛନ୍ତି ସମ୍ବଲପୁରର ପୂର୍ବତନ ଜରୁରୀକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର। ଏତିକିରେ ସେ ରହି ଯାଇ ନାହାନ୍ତି ବରଂ ସାକ୍ସେନାଙ୍କୁ ଉଦ୍ଧତ ଏବଂ ଅପାରଗ ବୋଲି ଉଲ୍ଲେଖ କରି ନିଜ ଟ୍ବିଟରେ ସମ୍ବାଦର ନ୍ୟୁଜ ରିପୋର୍ଟକୁ ସେୟାର କରିଛନ୍ତି। ଏଥିରେ ପଦାକୁ ଆସିପାରିନଥିବା ସମ୍ବଲପୁର ଜିଲ୍ଲାର ୧୫୦୦ କୋଭିଡ ମୃତ୍ୟୁ, ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଆଦେଶ, ଏମସିଏଲ ଅତିଥି ଭବନରେ ପର୍ଯ୍ୟବେକ୍ଷକଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରର ରହସ୍ୟ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି। ଏଥିସହିତ ବର୍ତ୍ତମାନର ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ଶୁଭମ ସାକ୍ସେନା ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି।

ସୂଚନା ଅନୁଯାୟୀ, ଶ୍ରୀ ସାକ୍ସେନା ସମ୍ବଲପୁରରେ ଜିଲ୍ଲାପାଳ ଥିବାବେଳେ ପୂର୍ବତନ ଓଏଏସ ଶୁଭସ୍ମିତା ମିଶ୍ର ଜରୁରୀକାଳୀନ ଅଧିକାରୀ ଥିଲେ। ଜିଲ୍ଲା କୋଭିଡ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଗତବର୍ଷ ଉଚ୍ଚଶିକ୍ଷା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ। ଏହି ସମୟରେ ସେ ପୂର୍ବତନ ଜିଲ୍ଲାପାଳ ଶ୍ରୀ ସାକ୍ସେନାଙ୍କ ବିରୋଧରେ ଅନେକ ବିସ୍ଫୋରକ ଅଭିଯୋଗମାନ କରିଥିଲେ। ଏସଂକ୍ରାନ୍ତରେ ପ୍ରଥମେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏପରିକି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ସିଂ, ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଟ୍ବିଟ୍‌ କରି ମଧ୍ୟ ଜଣାଇଥିଲେ। ଆଶା ଥିଲା, ଏସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର କୌଣସି ପଦକ୍ଷେପ ନିଆଯିବ। ମାତ୍ର ସରକାରଙ୍କ ପକ୍ଷରୁ କେବଳ ଶ୍ରୀ ସାକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ପଦରୁ ବଦଳି କରାଯାଇ ପ୍ରଥମେ କୃଷି ବିଭାଗ ଏବଂ ବର୍ତ୍ତମାନ ଯୋଗାଣ ନିଗମରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ କୌଣସି ତଦନ୍ତ ହେବା ନେଇ ପୁଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ମୁହଁ ମଧ୍ୟ ଖୋଲୁ ନାହାନ୍ତି।

ସମ୍ବନ୍ଧିତ ଖବର