ବର୍ଷେ ଘୁଞ୍ଚିଲା ଓଡ଼ିଆ ବିଶ୍ୱବିଦ୍ୟାଳୟ : ୨୦୧୯-୨୦ ଶିକ୍ଷାବର୍ଷରୁ ହେବ ନାମଲେଖା

ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଏବର୍ଷ ନାମଲେଖା ହେବନି। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆହୁରି ବର୍ଷେ ଅପେକ୍ଷା କରିବାକୁ ପଡ଼ିବ। ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍‌ଡି) ନିଯୁକ୍ତି ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନ୍ୟ ଅଧିକାରୀ ନିଯୁକ୍ତ ହୋଇ ନାହାନ୍ତି। ଅସ୍ଥାୟୀ କ୍ୟାମ୍ପସ ହସ୍ତାନ୍ତର ହୋଇନି। ସିଲାବସ୍‌ ବି ପ୍ରସ୍ତୁତ ହୋଇନି। ଇତି ମଧ୍ୟରେ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ନାମଲେଖା ଶେଷ ହୋଇଛି। ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି। ତେଣୁ ଏବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିବନି କି ନାମଲେଖା ହେବ ନାହିଁ। ୨୦୧୯-୨୦ ଶିକ୍ଷାବର୍ଷରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ଆରମ୍ଭ ହେବ ବୋଲି ଏହାର ଓଏସ୍‌ଡି ଡ. ହରିହର କାନୁନ୍‌ଗୋ କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ୪ ବର୍ଷ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟର ଘୋଷଣା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଗକୁ ବଢ଼ିପାରି ନାହିଁ। ଭୁବନେଶ୍ୱର ସତ୍ୟନଗରସ୍ଥିତ ତୋଷାଳି ପ୍ଲାଜାରେ ଥିବା ଆଇଆଇଟିର ଅସ୍ଥାୟୀ କ୍ୟାମ୍ପସରେ ଏହି ବିଶ୍ୱବିଦ୍ୟାଳୟ ଅସ୍ଥାୟୀ ଭାବେ ଚାଲିବ ବୋଲି ୫ ମାସ ତଳେ ନିଷ୍ପତ୍ତିି ହୋଇଥିଲା। ହେଲେ ଏଯାଏ ସ୍ଥାୟୀ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ଚୂଡ଼ାନ୍ତ ହୋଇ ନାହିଁ। ଗତ ଜୁନ୍‌ ମାସରେ ଧନ୍ଦାମୂଳକ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦେଶକ ଡ. ହରିହର କାନୁନ୍‌ଗୋଙ୍କୁ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା।

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଏସ୍‌ଡି ଡ. ହରିହର କାନୁନ୍‌ଗୋ କହିଛନ୍ତି ଯେ, ଦୁଇ ଦିନ ତଳେ ତୋଷାଳି ଭବନରୁ ଭୁବନେଶ୍ୱର ଆଇଆଇଟିର ପ୍ରଶାସନିକ କାର୍ଯ୍ୟାଳୟ ଜଟଣୀସ୍ଥିତ ସ୍ଥାୟୀ କ୍ୟାମ୍ପସକୁ ଯାଇଛି। ସେଠାରେ ଅସ୍ଥାୟୀ ଭାବେ ବିଶ୍ୱବିଦ୍ୟାଳୟ ଚାଲିବ। ବିଲ୍‌ଡିଂ ଆମକୁ ହସ୍ତାନ୍ତର ହେବା କ୍ଷଣି କାର୍ଯ୍ୟ ଆରମ୍ଭ ହେବ। ପାଠ୍ୟକ୍ରମଗୁଡ଼ିକ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେବ। ଯେତେ ଟେକ୍ନିକାଲ ଓ ଥିଓରି ବିଷୟ ରହିଛି ତାହା ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଓଡ଼ିଆ ସମେତ ଅନ୍ୟ ବିଷୟରେ ବି ଛାତ୍ରଛାତ୍ରୀ ପିଜି କରିପାରିବେ। ଓଡ଼ିଆ ଭାଷାରେ ଗବେଷଣା ଓ ଅନୁବାଦ ହେବ ବୋଲି ସେ କହିଛନ୍ତି।

ଡ. କାନୁନ୍‌ଗୋ ଆହୁରି କହିଛନ୍ତି ଯେ, ରାଜ୍ୟପାଳଙ୍କୁ ଭେଟିବା ପରେ ଜୁନ୍‌ ୩୦ରେ କାର୍ଯ୍ୟରେ ଯୋଗଦେଇଛି। ବିଲ୍‌ଡିଂ ହସ୍ତାନ୍ତର ହେବା କ୍ଷଣି ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟ ଲୋଗୋ ପ୍ରସ୍ତୁତ ସରିଛି। ହେଲେ ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିନି। ଏହି ପ୍ରକ୍ରିୟା ଶେଷ ହେବା ପରେ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ପ୍ରସ୍ତୁତି, ଏକାଡେମିକ୍‌ କାଉନସିଲ୍‌, ସିନେଟ୍‌, ସିଣ୍ଡିକେଟ୍‌, ସିଲାବସ୍‌ କମିଟି ଆଦି ଗଠନ କରାଯାଇ ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯିବ। ୨୦୧୯-୨୦ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର