ରାଜ୍ୟରେ ନୂଆ ଡିଗ୍ରି କଲେଜକୁ ନା, ୫ ବର୍ଷ ଯାଏ ଅନୁମତି ନ ଦେବାକୁ ନିଷ୍ପତ୍ତି

ନୂଆ ପାଠ୍ୟକ୍ରମ ପାଇଁ ସ୍ଥିର ହେଲା ମାନଦଣ୍ଡ, ନକଲି କଲେଜ ଉପରେ ଲାଗିବ ରୋକ୍‌

ଭୁବନେଶ୍ବର : ଆସନ୍ତା ୫ ବର୍ଷ ଅର୍ଥାତ ୨୦୨୦-୨୧ରୁ ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂଆ ଡିଗ୍ରି ଓ ପ୍ରଫେସନାଲ କଲେଜ ଖୋଲିବ ନାହିଁ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ଅନୁମତି ଦିଆଯିବ ନାହିଁ। ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନାଁ କମାଇଥିବା ଶିକ୍ଷା ଏଜେନ୍ସି ଯଦି ନୂଆ କଲେଜ ଖୋଲିବାକୁ ପ୍ରସ୍ତାବ ଦିଅନ୍ତି, ସେଭଳିସ୍ଥଳେ ବିଚାର କରାଯିବ ବୋଲି ଗତ ମାସରେ ବସିଥିବା ଉଚ୍ଚଶିକ୍ଷା ବିଭାଗର ଉଚ୍ଚକ୍ଷମତା ସମ୍ପନ୍ନ କମିଟି(ଏଚ୍‌ପିସି) ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏଥିସହ ଡିଗ୍ରି ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ନୂତନ ପାଠ୍ୟକ୍ରମ ଖୋଲିବା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ସ୍ବୟଂଶାସିତ ମହାବିଦ୍ୟାଳୟରେ ନୂଆ ବିଭାଗ, ବିଷୟ ଓ ପାଠ୍ୟକ୍ରମ ଖୋଲିବା ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକ ଉପରେ ମିଳିତ ଭାବେ ଯାଞ୍ଚ କରାଯିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଗଠନ କରାଯାଇଥିବା ଏକ ପ୍ରତିନିଧି ଦଳ କଲେଜ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ଯାଞ୍ଚ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ। ସ୍ବୟଂଶାସିତ ହୋଇ ନଥିବା କଲେଜଗୁଡ଼ିକ କଥା ବିଚାର କରାଯିବ ନାହିଁ। ନୂତନ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ଦେବା ପୂର୍ବରୁ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର୍‌ ଅଶୋକ କୁମାର ଦାଶଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଅନୁକରଣ କରାଯିବ।

୨୦୨୧-୨୨ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ ଖୋଲିବା ପାଇଁ ଆବେଦନ କରିବାକୁ ଥିବା କଲେଜ ପାଇଁ ମାନଦଣ୍ଡ ସ୍ଥିର ହୋଇଛି। ଆବେଦନ କରିବାକୁ ହେଲେ କଲେଜକୁ ଅତି କମ୍‌ରେ ନାକ୍‌ ‘ସିଜିପିଏ ୨.୦୧’ ପଏଣ୍ଟ ପାଇଥିବା ନିହାତି ଆବଶ୍ୟକ। ଯଦି ନାକ୍‌ ମାନ୍ୟତା ନ ଥିବ, ସେଭଳି ସ୍ଥିତିରେ ଏନ୍‌ଆଇଆରଏଫ୍‌ ରୢାଙ୍କରେ ଦେଶରେ ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଭିତରେ ରହିଥିବା ନିତାନ୍ତ ଆବଶ୍ୟକ। ଯଦି ଉଭୟ ମାନଦଣ୍ଡ ପୂରଣ କରୁ ନଥିବ, ସେଭଳି ସ୍ଥଳେ କଲେଜର ଏକ ତୃତୀୟାଂଶ ପାଠ୍ୟକ୍ରମ ନ୍ୟାସନାଲ ‌ବୋର୍ଡ ଅଫ୍‌ ଆକ୍ରିଡିଟେସନ(ଏନ୍‌ବିଏ) ଦ୍ବାରା ଅନୁମୋଦିତ ହୋଇଥିବା ଆବଶ୍ୟକ। ୨୦୧୯ ଡିସେମ୍ବର ୧୧ ଭିତରେ ପ୍ରତିଷ୍ଠା ହୋଇଥିବା କଲେଜଗୁଡ଼ିକ ଯଦି ସ୍ଥାୟୀ ମାନ୍ୟତା ଲାଗି ଆବେଦନ କରିଥିବେ, ତାହାକୁ ବିଚାର କରାଯିବ। କୃଷି ଓ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ନୂତନ ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ପ୍ରଦାନ ପାଇଁ ଏଚ୍‌ପିସିର ଅଧ୍ୟକ୍ଷଙ୍କୁ ଦାୟିତ୍ବ ଦିଆଯାଇଛି।

ନକଲି କଲେଜ ଉପରେ ନଜର ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିଷ୍ପତ୍ତି ହୋଇଛି। ଏଣିକି ବିଭାଗ ଦ୍ବାରା ଅନୁବନ୍ଧିତ, ସହବନ୍ଧିତ ଓ ମାନ୍ୟତା ପାଇଥିବା କଲେଜଗୁଡ଼ିକର ନାମ ବିଭାଗୀୟ ୱେବସାଇଟ୍‌ରେ ପ୍ରକାଶ କରାଯିବ। ଏଥିସହ ନିୟମିତ ବ୍ୟବଧାନରେ ଉକ୍ତ କଲେଜ ସମ୍ପର୍କରେ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇବ। ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀ ଆଉ ନାମଲେଖା ସମୟରେ ଠକାମିର ଶିକାର ହେବେ ନାହିଁ। ଏହି ବୈଠକ ଅବସରରେ କେତେକ କଲେଜରେ ନୂଆ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର