ସରକାରୀ ନିୟମକୁ ଫୁ : ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଢ଼ିବା ବାରଣ ଥିଲେ ମଧ୍ୟ ଏହାକୁ ମାନୁ ନାହାନ୍ତି ଛାତ୍ରଛାତ୍ରୀ, ବାଇକ୍‌ରେ ସ୍କୁଲ୍‌କୁ ଆସୁଛନ୍ତି ପିଲା

ଜଟଣୀ : ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଢ଼ିବା ବାରଣ ଥିଲେ ମଧ୍ୟ ଏହାକୁ ଛାତ୍ରଛାତ୍ରୀ ମାନୁ ନାହାନ୍ତି। କେବଳ ସେତିକି ନୁହେଁ, ଅଭିଭାବକମାନେ ମଧ୍ୟ ବିନା ଦ୍ବିଧାରେ ବାଇକ୍‌ ଦେଇ ସେମାନଙ୍କୁ ବିଦ୍ୟାଳୟକୁ ଛାଡ଼ୁଛନ୍ତି। ସ୍କୁଲ୍‌ ପକ୍ଷରୁ ମଧ୍ୟ କୌଣସି କଟକଣା ନାହିଁ। ଫଳରେ ଦୁର୍ଘଟଣା ଘଟିବା ଆଶଙ୍କା ବଢ଼ୁଛି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦୃଷ୍ଟିରେ ରଖି ବାରମ୍ବାର ପୁଲିସ ପ୍ରଶାସନ ତାଗିଦ୍‌ କରୁଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଲୁଚି ଛପି ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ଏହା ସହିତ ଗାଡ଼ି ନେଇ ଆସୁଥିବା ପିଲାମାନେ ସ୍କୁଲ୍ ଛୁଟି ପରେ ମୁଖ୍ୟ ରାସ୍ତାରେ ଦ୍ରୁତଗତିରେ ଯା’ଆସ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ସରକାରୀ ନିୟମ ଅନୁସାରେ, ସ୍କୁଲ୍ ଛାତ୍ରଛାତ୍ରୀ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରାପଡ଼ିଲେ ସଂପୃକ୍ତ ଅଭିଭାବକମାନଙ୍କ ଠାରୁ ଜରିମାନା ଆଦାୟ କରାଯିବାର ଆଇନ୍ ରହିଛି। ଅନ୍ୟପକ୍ଷରେ ଡ୍ରାଇଭିଂ ଲାଇସେ୍ନସ ଏବଂ ହେଲମେଟ୍ ନଥାଇ ଗାଡ଼ି ଚଳାଉଥିବା ଛାତ୍ରଛାତ୍ରୀମାନେ ଟ୍ରାଫିକ୍ ନିୟମର କୌଣସି ଅଭିଜ୍ଞତା ନଥିବା ପୁଲିସ୍‌ ସୂଚନା ଦେଇଛି। ଏପରି ସ୍ଥଳେ ଅଭିଭାବକମାନେ କିପରି ଜାଣିଶୁଣି ପିଲାମାନଙ୍କର ଜୀବନକୁ ଅନ୍ଧାର ମଧ୍ୟକୁ ଠେଲି ଦେଉଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ସ୍କୁଲ୍ କର୍ତୃପକ୍ଷ ମଧ୍ୟ ଅଣଦେଖା କରି ଚାଲିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ, ମିଶନ୍ ସ୍କୁଲ୍ ଏବଂ ଶିଶୁ ଶିକ୍ଷା ନିକେତନ ଭଳି ଅନେକ ସ୍କୁଲକୁ ଛାତ୍ରଛାତ୍ରୀମାନେ ବାଇକ୍ ଓ ସ୍କୁଟି ନେଇ ଆସୁଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ଅଭିଭାବକମାନେ ସଚେତନ ହୋଇ ଛାତ୍ରଛାତ୍ରୀମାନଙ୍କୁ ଗାଡି ଦେବା ପାଇଁ ବାରଣ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର