ଗାଁକୁ ଗଡ଼ୁ ନାହିଁ ଆମ୍ବୁଲାନସ, ୩ କିମି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପାଡାହାଣ୍ଡି ବ୍ଲକର ବହୁ ଗାଁ ଏପରି ଅଛି ଯେଉଁ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରି ନାହିଁ। ମଇଦଲପୁର ପଞ୍ଚାୟତର ଆମ୍ବିଡିପଦର ଗାଁର ଗର୍ଭବତୀ ମହିଳା ଦଶେଇ ସାନ୍ତା(୨୫)ଙ୍କୁ ଆଜି ସକାଳୁ ପ୍ରସବ ବେଦନା ହୋଇଥିଲା। ସକାଳ ୮ଟାରେ ପରିବାର ଲୋକ ଜନନୀ ସୁରକ୍ଷା ଆମ୍ବୁଲାନସ ଗାଡିକୁ ଖବର ଦେଇଥିଲେ। କିନ୍ତୁ ଆମ୍ବୁଲାନସ ଆସିପାରିଲା ନାହିଁ।

ଜାତୀୟ ରାଜପଥ ଠାରୁ ମାତ୍ର ୩ କିମି ଦୁରରେ ଏହି ଗାଁ। ଗାଁକୁ କେବଳ ପାଦଚଲା ରାସ୍ତା ରହିଛି। ସେହି ରାସ୍ତାଟି ବର୍ଷା କାଦୁଅରେ ଭରି ହୋଇ ରହିଛି। ସେହି ରାସ୍ତାରେ ୪ ଚକିଆ ତ ଦୂରର କଥା ପାଦରେ ଚାଲିବା ବି କଷ୍ଟକର। ଆମ୍ବୁଲାନସକୁ ଅପେକ୍ଷା କରିଥିବା ସମୟରେ ଦଶେଇଙ୍କ ପ୍ରସବ ବେଦନା ଅଧିକ ହେବା ପରେ ବାଧ୍ୟ ହୋଇ ଗାଁର ପୁରୁଷମାନେ ଓ ଆଶା ଦିଦି ଏକ ଖଟିଆରେ ବୋହି କରି ପ୍ରାୟ ଅଢ଼େଇ କିଲୋମିଟର ଚାଲି ଚାଲି ଆସିଥିଲେ ।

ମଇଦଲପୁର ଠାରୁ ମାତ୍ର ଅଧା କିଲୋମିଟର ଦୂର ୨୬ ନଂ ଜାତୀୟ ରାଜପଥ ହାଟପଦାଠାରେ ଆମ୍ବୁଲାନସ ପାଇଥିଲେ। ଆମ୍ବୁଲାନସ ସହାଯ୍ୟରେ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ମଧ୍ୟାହ୍ନରେ ତାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବାର ଜଣାପଡିଛି।

ପ୍ରକାଶ ଥାଉକି ଦଶେଇ ସାନ୍ତା ଜଣେ ଅଙ୍ଗନୱାଡି କର୍ମୀ ଅଟନ୍ତି। ସେ ସେହି ପଞ୍ଚାୟତର ଟେଙ୍ଗରାପୋକନା ମିନି ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର