ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲାନ୍ସ ଆଜିକୁ ପ୍ରାୟ ଦୁଇ ମାସ ତଳେ ଦୁର୍ଘଟଣା ହୋଇ ମରାମତି ପାଇଁ ଯାଇଛି। ଆଜି ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତ ୧୦୮ ଆମ୍ବୁଲାନ୍ସ ମରାମତି ହୋଇ ଆସିନାହିଁ। ଫଳରେ ଝରିଗାଁ ବ୍ଳକର ଗୁରୁତର ରୋଗୀମାନେ ସଠିକ ସମୟରେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। କିଛି ଲୋକ ନିଜ ଖର୍ଚ୍ଚରେ ଗାଡ଼ି ଭଡ଼ା କରି ଗୁରୁତ୍ୱର ରୋଗୀଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନେଉଥିବା ବେଳେ ଆର୍ଥିକ ଅଭାବ ଥିବା ରୋଗୀମାନେ କୌଣସି ଉପାୟ ନପାଇ ୧୦୮ ଆମ୍ବୁଲାନ୍ସକୁ ଅପେକ୍ଷା କରି ଘଂଟା ଘଂଟା ଧରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡି ରହୁଛନ୍ତି।
ଗତକାଲି ସନ୍ଧ୍ୟା ସାଢ଼େ ସାତ ଘଂଟା ସମୟରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୨ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବାଞ୍ଜିଆମ୍ବା ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଏକ ଗଛରେ ଧକ୍କା ହୋଇ ଧାନ ଜମି ଭିତରେ ଯାଇ ଓଲଟି ପଡିଥିଲା। ଦୀର୍ଘ ଦୁଇ ଘଣ୍ଟା ଧରି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଡ୍ରାଇଭର ସନ୍ତୋଷ ପଟ୍ଟନାୟକଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ତେବେ ଡ୍ରାଇଭର ସନ୍ତୋଷ ପଟ୍ଟନାୟକଙ୍କୁ ଶରୀରର ବିଭିନ୍ନସ୍ଥାନରେ ଗଭୀର ଆଘାତ ହୋଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଥିଲା। ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ଉପଲବ୍ଧ ନଥିବା ଜଣା ପଡ଼ିଥିଲା। ଫଳରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଶେଷରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ମାଝୀଙ୍କ ଗାଡ଼ିରେ କୋରାପୁଟ ମେଡ଼ିକାଲ କଲେଜ ନିଆଯାଇଥିଲା। ଯେଉଁ ୧୦୨ ଆମ୍ବୁଲାନ୍ସ ଡ୍ରାଇଭର ସଠିକ ସମୟରେ ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନା ନେଇ ବହୁ ଜୀବନ ରକ୍ଷା କରିଥିଲେ ସେହି ଭଳି ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ସେବା ମିଳିପାରିନାହିଁ। ପ୍ରଶାସନ ଯେଉଁ ଉଦ୍ଦେଶ୍ୟ ନେଇ ୧୦୮ ଯୋଜନା କରିଛନ୍ତି ସେହି ଯୋଜନା ଝରିଗାଁ ବ୍ଳକରେ ଫଳପ୍ରଦ ହେଉନଥିବା ଦେଖିବାକୁ ମିଳିଛି।
ସେହିପରି ୧୦୮ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ହୋଇଥିବା ଆମ୍ବୁଲାନ୍ସ ମରାମତିରେ ବିଳମ୍ବ ହେଉଥିବା ବେଳେ ଗୁରୁତ୍ୱର ଗୋରୀମାନଙ୍କୁ ନେବା ଆଣିବା ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟରେ ନିୟୋଜିତ ହୋଇଥିବା ୧୦୨ ଆମ୍ବୁଲାନ୍ସ ମଧ୍ୟ ଶନିବାର ଦୁର୍ଘଟଣା ପରେ ବର୍ତ୍ତମାନ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନାହିଁ। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/85cc9d61-03ff-4818-8859-1b42a15dde0a.jpeg)