ବାଲେଶ୍ବର: ବାଲେଶ୍ବରରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର। ଏକ ଅଟୋରେ ଜଣେ ମହିଳା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆମ୍ବୁଲାନ୍ସ ନ ମିଳିବାରୁ ସେ ବାଧ୍ୟ ହୋଇ ଏକ ଅଟୋରେ ଆସୁଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ପହଞ୍ଚିବା ସମୟରେ ମହିଳାଙ୍କର ପ୍ରସବ ହୋଇଯାଇଥିଲା। ଚାନ୍ଦିପୁର ଅଞ୍ଚଳର ମହିଳା ତାଙ୍କ ସ୍ବାମୀ ଓ ଜଣେ ମହିଳା ସମ୍ପର୍କୀୟଙ୍କ ସହ ଆଜି ଅପରାହ୍‌ଣ ୩ଟା ପାଖାପାଖି ପହଞ୍ଚିଥିଲେ। ସ୍ବାମୀ ଟିକେଟ୍ ଆଣିବା ପାଇଁ ଯିବା ସମୟରେ ହିଁ ଅଟୋ ଭିତରେ ମହିଳାଙ୍କ ପ୍ରସବ ହୋଇଯାଇଥିଲା। କଷ୍ଟେମଷ୍ଟେ ଅଟୋରେ ମହିଳାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ କୋଠାକୁ ନେଇଥିଲେ। ମା’ ଓ ଶିଶୁକନ୍ୟାଙ୍କୁ ଚିକିତ୍ସା ପାଇଁ ନେବାକୁ ମହିଳାଙ୍କ ସ୍ବାମୀ ଉପସ୍ଥିତ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଜଣାଇଥିଲେ ମଧ୍ୟ ତଳକୁ ଆସି ଚିକିତ୍ସା କରିବାକୁ ସିଧା ସିଧା ମନା କରିଦେଇଥିଲେ। ସେପଟେ ସ୍ତ୍ରୀ ଓ ପ୍ରସୂତି ବିଭାଗ କୋଠାରେ ଲାଗିଥିବା ଲିଫ୍ଟ ସମ୍ପୂର୍ଣ୍ଣ ଅଚଳ ଥିଲା।  ମହିଳାଙ୍କ ସ୍ବାମୀ ଓ ଉପସ୍ଥିତ କିଛି ବ୍ୟକ୍ତି ପାଟିତୁଣ୍ଡ କରିବାପରେ ବି ସ୍ବାସ୍ଥ୍ୟକର୍ମୀମାନେ କିଛି ଶୁଣି ନଥିଲେ। ପରେ କିଛି ଲୋକ ଏକ ଷ୍ଟ୍ରେଚର ଆଣି ଉପର ମହଲାକୁ ନବଜାତ ସହ ମା’ଙ୍କୁ ନେଇଥିଲେ।

Advertisment

ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।  ସୂଚନା ଅନୁଯାୟୀ, ଏକ କ୍ଲିନିକ୍‌କୁ ମହିଳାଙ୍କ ଚେକ୍‌ଅପ୍ ପାଇଁ ତାଙ୍କ ସ୍ବାମୀ ଓ ସମ୍ପର୍କୀୟ ଆଣିଥିଲେ। ଦିନ ୨ଟା ପାଖାପାଖି ମହିଳାଙ୍କ ଯନ୍ତ୍ରଣା ବୃଦ୍ଧି ପାଇଥିଲା। ତେଣୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବାକୁ କୁହାଗଲା। ସେତେବେଳେ ସେ ଆମ୍ବୁଲାନ୍ସ ପାଇଲେ ନାହିଁ। ବହୁ ଅନୁରୋଧ ପରେ ଜଣେ ଅଟୋ ଚାଳକ ରାଜି ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ନାଁରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକପ୍ରକାର ଅଚଳ କରି ଦିଆଯାଇଛି। ଯାହାର ପରିଣାମ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଭୋଗିବାକୁ ପଡ଼ୁଛି। ଯେଉଁ କିଛି ସ୍ବାସ୍ଥ୍ୟକର୍ମୀ ଅଛନ୍ତି, ସେମାନେ ମନମାନି ଜାରି ରଖିଛନ୍ତି।