ଚିତ୍ରକୋଣ୍ଡା/ଉମରକୋଟ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା। ଆଜି ଦିନକ ମଧ୍ୟରେ ଜଣେ ଗର୍ଭବତୀ ଓ ପ୍ରସୂତି ଜନନୀ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ କଲବଲ ହୋଇଛନ୍ତି। ଦୀର୍ଘ ରାସ୍ତା ଭାରରେ ବୁହା ହୋଇ ଅତିକ୍ରମ କରିଛନ୍ତି। ତେବେ ସୌଭାଗ୍ୟବଶତଃ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଛି। ନବଜାତ ଶିଶୁଙ୍କ ଅବସ୍ଥା ବି ଭଲ ରହିଥିବା ସୂଚନା ମିଳିଛି। କିନ୍ତୁ ସରକାରୀ ଯୋଜନାର ବାସ୍ତବତା ଏହି ଦୁଇ ମହିଳାଙ୍କ ଯନ୍ତ୍ରଣା ଯୋଗୁଁ ପଦାରେ ପଡ଼ିଛି। ପ୍ରଥମ ଘଟଣାଟି ନକ୍ସଲ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡା ଅଞ୍ଚଳର ହୋଇଥିବାବେଳେ ଅନ୍ୟଟି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳର। ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଞ୍ଚାୟତ ଅନ୍ତର୍ଗତ ଘାଘଡାବନ୍ଧା ଗ୍ରାମର ଧନ ଅଣ୍ଡ୍ରଡାଙ୍କ ପତ୍ନୀ ତୁଲୁ ଅଣ୍ଡ୍ରଡା ଆଜି ସକାଳ ପ୍ରାୟ ୯ଟାରେ ପ୍ରସବ ବେଦନା ଅନୁଭବ କରିଥିଲେ। ତେଣୁ ମେଡିକାଲ ନେବାକୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଏହାର କିଛି ସମୟ ପରେ ଚିତ୍ରକୋଣ୍ଡା ମେଡିକାଲରେ ନିୟୋଜିତ ୧୦୮ ଆମ୍ବୁଲାନ୍ସ ଘାଗଡାବନ୍ଧ ଅଭିମୁଖେ ବାହାରିଥିଲା। ତେବେ ପକ୍କା ରାସ୍ତା ନଥିବା ସହ ଗାଁ ରାସ୍ତା କାଦୁଅମୟ ହୋଇଯାଇ ଥିବାରୁ ଗାଁ ଠାରୁ ୧କିଲୋମିଟର ଦୂରରେ ଆମ୍ବୁଲାନସ ଅଟକି ଯାଇଥିଲା। ଏହି ଖବର ପାଇବା ପରେ ପରିବାର ଲୋକ ଓ ସଂପର୍କୀୟ ଗୋଟିଏ ଟୋକେଇରେ ତୁଲୁଙ୍କୁ ଭାର କରି ବୋହି ବୋହି କାଦୁଆ ରାସ୍ତାରେ ବହୁ କଷ୍ଟରେ ଆମ୍ବୁଲାନସ ନିକଟରେ ପହଞ୍ଚିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତୁଲୁଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତି କରାଯାଇଥିଲା। ହସ୍ପିଟାଲରେ ତୁଲୁ କନ୍ୟା ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି।
ସେହିପରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହରା ପଞ୍ଚାୟତର ଉପାନ୍ତ ନାଗଯୋଡି ଗ୍ରାମର କାମ ସାନ୍ତାଙ୍କ ପତ୍ନୀ ବିଜିରା ସାନ୍ତା ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରସବ ବେଦନା ଅନୁଭବ କରିଥିଲେ। ପରେ ଏନେଇ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ରାସ୍ତା ଅବସ୍ଥା ଭଲ ନଥିବାରୁ ଗାଁକୁ ଗାଡି ଯାଇପାରିବନି ବୋଲି କହି ଆମ୍ବୁଲାନ୍ସ ଚାଳକ ମନା କରି ଦେଇଥିଲେ। ଅନ୍ୟପଟେ ପ୍ରସବ ବେଦନାରେ ଛଟପଟ ହେଉଥିବା ବିଜିରା ଅପରାହ୍ନ ପ୍ରାୟ ସାଢେ ୩ଟାରେ ନିଜ ଘରେ ହିଁ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପ୍ରସବ ପରେ ବିଜିରା ସାମାନ୍ୟ ଅସୁସ୍ଥ ହେବାରୁ ପରିବାର ଲୋକ ବାଧ୍ୟ ହୋଇ ଏକ ଖଟିଆରେ ତାଙ୍କୁ ଦୀର୍ଘ ୨କିଲୋମିଟର ରାସ୍ତା ବୋହି ନେଇ ନାଗଯୋଡି ଗ୍ରାମ ପର୍ଯ୍ୟନ୍ତ ନେଇଥିଲେ। ପରେ ଏକ ଅଟୋ ଯୋଗେ କୁର୍ସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ବିଜିରା ସାମାନ୍ୟ ସୁସ୍ଥ ଅନୁଭବ କରିଛନ୍ତି। ବର୍ତମାନ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ରହିଥିବା ଜଣାପଡିଛି।
ଟୋକେଇ, ଖଟିଆରେ ବୁହାହେଲେ ପ୍ରସୂତି
ଏବେ ବି ଗାଁକୁ ରାସ୍ତା ନାହିଁ!
/sambad/media/post_attachments/wp-content/uploads/2018/07/chitrakonda-3a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)