ବିଚ୍ଛିନ୍ନାଞ୍ଚଳର ଦୁଃଖ, ପହଞ୍ଚି ପାରିଲାନି ଆମ୍ବୁଲାନସ୍

ଷ୍ଟ୍ରେଚର୍‌ରେ ନଦୀ ପାର୍ ହେଲେ ରୋଗୀ

ରାୟଗଡା: ବାଧକ ସାଜିଲା ନଦୀ। ନଦୀ ଉପରେ ପୋଲ ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନସ୍। ବିଚ୍ଛିନ୍ନାଞ୍ଚଳରୁ ୩ କିମି ଷ୍ଟ୍ରେଚରରେ ବୁହାହୋଇ ନଦୀ କୂଳକୁ ଆସିଲେ। ବହୁ କଷ୍ଟରେ ନଦୀ ପାର ହୋଇ ସେଇଠୁ ଆମ୍ବୁଲାନସ୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଲେ। ସ୍ବାସ୍ଥ୍ୟସେବାର ଏହି ବିକଳ ଚିତ୍ର ଆଉ କେଉଁଠି ନୁହେଁ, ଶିଳ୍ପ ସମୃଦ୍ଧ ରାୟଗଡା ଜିଲ୍ଲାର ଅନିଜା ଗ୍ରାମରେ ଦେଖିବାକୁ ମିଳିଛି। ମେଡ଼ିକାଲ୍ ପହଞ୍ଚିବାରେ ବିଳମ୍ବ ଯୋଗୁ ରୋଗୀ କଣ୍ଡାଗିରି ସାଆନ୍ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ରହିଥିବା ଜଣାପଡିଛି। ରାୟଗଡ ବ୍ଲକ୍ କେରେଡା ପଂଚାୟତର ଅନିଜା ଗାଁ। ନାଗାବଳୀ ନଦୀ ଯୋଗୁଁ ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ବାତ୍ୟା ପେଥାଇ ଦିନ ଜ୍ବରରେ ଆକ୍ରାନ୍ତ ହୋଇଥିଲେ ଗ୍ରାମର କଣ୍ଡାଗିରି ସାଆନ୍ତା। ବର୍ଷା ପ୍ରବଳ ହେବାରୁ ନଦୀରେ ପାଣି ଆସିବାରୁ ଚିକିତ୍ସା ପାଇଁ କଣ୍ଡାଗିରିକୁ ମେଡ଼ିକାଲ୍ ନେଇପାରି ନଥିଲେ ପରିବାର ଲୋକ। ଗାଁ ସ୍ବାସ୍ଥ୍ୟକର୍ମୀଙ୍କଠୁ ଔଷଧ ଆଣି ପରିବାର ଲୋକ ଖାଇବାକୁ ଦେଇଥିଲେ। କିନ୍ତୁ ଜ୍ବର କମିନଥିଲା। ଜ୍ବର ସାଙ୍ଗକୁ ବାତ ମାରିବା ଯୋଗୁ କଣ୍ଡାଗିରିଙ୍କ ଅବସ୍ଥା ସଂକଟାପନ୍ନ ହୋଇ ପଡିଥିଲା। ପରିବାର ଲୋକ ନଦୀ ପାଣିକୁ ଚାହିଁ ବସିଥିବାବେଳେ ଲଗାଣ ବର୍ଷା ଯୋଗୁ ୪ ଦିନ ପର୍ଯ୍ୟନ୍ତ ନଦୀ ଜଳସ୍ତର କମିନଥିଲା। ଆଜି ପାଣି କମିବା ପରେ ଆମ୍ବୁଲାନସକୁ ଖବର ଦେଇଥିଲେ ରୋଗୀଙ୍କ ସଂପର୍କୀୟ। କିନ୍ତୁ ଗ୍ରାମକୁ ଯିବା ପାଇଁ କୌଣସି ସୁବିଧା ନଥିବାରୁ ଗ୍ରାମରୁ ୩ କିମି ଦୂରରେ କେରେଡା ପଂଚାୟତରେ ରହିଥିଲା ଆମ୍ବୁଲାନସ୍। ପରିବାର ଓ ସଂପର୍କୀୟ ଲୋକ ଏକ ଷ୍ଟ୍ରେଚରରେ କଣ୍ଡାଗିରିକୁ ଧରି ନାଗାବଳୀ ନଦୀ ପାର୍ ହେବା ପରେ ୩ କିମି ଦୂର କେରେଡାରେ ପହଞ୍ଚିଥିଲେ। ଆଜି ମଧ୍ୟାହ୍ନରେ କଣ୍ଡାଗିରିକୁ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଯାତାୟତ ସମସ୍ୟା ପାଇଁ ଆମ୍ବୁଲାନସ୍ ଗ୍ରାମରେ ପହଞ୍ଚି ପାରିନଥିବା ସ୍ବାସ୍ଥ୍ୟ ବିଭାଗ କର୍ତୃପକ୍ଷ ସୂଚନା ଦେଇଥିବା ବେଳେ କଣ୍ଡାଗିରିର ସ୍ବାସ୍ଥ୍ୟରେ ସୁଧାର ଆଣିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି। ବର୍ଷ ତମାମ ଏହି ଗ୍ରାମରେ ସ୍ବାସ୍ଥ୍ୟସେବାକୁ ନେଇ ଏପରି ପରିସ୍ଥିତି ଲାଗି ରହୁଥିଲେ ମଧ୍ୟ ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀ ଅସଂତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରଶାସନ ପାଖରେ ଦାବି କରି ଆସୁଛନ୍ତି କେରେଡା ପଂଚାୟତ ଅନିଜା, ବୋରହାଲୁଆ, ଏମ୍ପାଲାୱାଲାସା ଗ୍ରାମ। କିନ୍ତୁ ପୋଲ ନିର୍ମାଣ ହୋଇପାରୁ ନଥିବାରୁ ଗ୍ରାମବାସୀ ଯାତାୟାତ ସମୟରେ ଯମ ଯନ୍ତ୍ରଣା ଭୋଗି ଆସୁଛନ୍ତି। ବର୍ଷର ୬ ମାସ ଏହି ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ବେଳେ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ପୋଲ ନିର୍ମାଣ ପାଇଁ ସ୍ମାରକପତ୍ର ଦେଇଛନ୍ତି। ନଚେତ୍ ଓଡ଼ିଶା ଛାଡି ଆନ୍ଧ୍ରରେ ମିଶିଯିବା ପାଇଁ ଏହି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର