ନାବିକ ନିଯୁକ୍ତି ‌ନୋହିଲା, ବିପନ୍ନଙ୍କୁ ଉଦ୍ଧାର କରିବ କିଏ?

ଯାଜପୁର : ବନ୍ୟା ପାଇଁ ସରକାର ହାଇଆଲର୍ଟ ଜାରି କରୁଛନ୍ତି। ଅଥଚ ସରକାରଙ୍କ ରାଜସ୍ବ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ନିଜେ ପ୍ରସ୍ତୁତ ହୋଇନାହିଁ। ୪ମାସ ତଳେ ନାବିକ ଓ ଖଲାସୀ ନିଯୁକ୍ତି ପାଇଁ ଘୋଷଣା କରାଯାଇଥିଲା। ଏବେ ବନ୍ୟା ଆସିଲାଣି ତଥାପି ଓଡ଼ିଶାର ସମସ୍ତ ଜିଲ୍ଲାରେ ନାବିକ ଓ ଖଲାସୀ ନିଯୁକ୍ତି ହୋଇପାରିଲା ନାହିଁ। କେନ୍ଦ୍ରାପଡାରେ ୫୦ଜଣ ଓ ଜଗତସିଂହପୁରରେ ୧୬ଜଣ ଏହିପରି ମୋଟ ୮୦ଜଣ ନାବିକ ଓ ଖଲାସୀ ନିଯୁକ୍ତି ପାଇନଥିବା ବେଳେ ତରବରିଆ ଭାବେ ଗତକାଲି ବାଲେଶ୍ବରରେ ୧୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବଦଳି ହୋଇଥିବା ଅଧିକାରୀଙ୍କ ମନମାନି ଯୋଗୁ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ବନ୍ୟା ବିପନ୍ନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସ୍ବତନ୍ତ୍ର ରିଲିଫ୍ କମିସନଙ୍କ ନିର୍ଦେଶ ମଧ୍ୟ ଅଧିକାରୀ ପାଳନ କରିବାକୁ ନାରାଜ। ବନ୍ୟା ସମୟରେ ବିପନ୍ନଙ୍କୁ ବନ୍ୟା ଘେରକୁ ଉଦ୍ଧାର କରିବ କିଏ? ବିଶେଷ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ନାହିଁ ନଥିବା ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଏସ୍‌ଆରସିଙ୍କ ନିୟନ୍ତ୍ରଣରେ ଥିବା କଟକ ରାଣୀହାଟସ୍ଥିତ ରାଜସ୍ବ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ବୋଟ କିଣାବିକା ଓ ଟେଣ୍ଡର ଫିକ୍ସିଂ ମହାଦୁର୍ନୀତିରେ ଉବୁଟୁବୁ ହେଉଛି। ଏହି ଦୁର୍ନୀତି କାରବାର ପର୍ଦ୍ଦାଫାସ ହେବା ଯୋଗୁ ସଂପୃକ୍ତ ଅଧିକାରୀ ନିଜର ସୁରକ୍ଷା ପାଇଁ ବାଟ ଖୋଜୁଥିବା ବେଳେ ‌ବନ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କ ଜୀବନଜୀବିକା ପ୍ରତି ଅଧିକାରୀଙ୍କ ନଜର ନାହିଁ। ରାଜ୍ୟ ବନ୍ଦର ଯନ୍ତ୍ରୀ ଉନା ସୂର୍ଯ୍ୟ ନାରାୟଣ ଓ ଯୁଗ୍ମ ସଚିବ ବିକ୍ରମାଦିତ୍ୟ ବାରିକ ବିଭିନ୍ନ କାରବାର ପାଇଁ ବିବାଦୀୟ ହୋଇପଡ଼ିଥିବା ‌େବଳେ ସେମାନେ ନିଜ ନିଜ ସ୍ଥାନରେ ସୁରକ୍ଷିତ ରହିବା ପାଇଁ ସର୍ବଦା ଲାଗିଛନ୍ତି। ଓଡ଼ିଶାରେ ବନ୍ୟା ବିପନ୍ନଙ୍କ ପାଇଁ ସରକାର ରେଡ ଆଲଟ ଜାରି କରିବା ସତ୍ତ୍ବେ ସେଥିପ୍ରତି ଅଧିକାରୀଙ୍କର ନଜର ନାହିଁ। ହୀରାକୁଦରୁ ପାଣି ଛାଡ଼ିବା ପରେ ପୂର୍ବ ଉପକୂଳ ଜିଲ୍ଲାବାସୀଙ୍କ ମଧ୍ୟରେ ବନ୍ୟା ନେଇ ଆତଙ୍କ ଖେଳିଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ୫୦ ଓ ଜଗତସିଂହପୁର ଜିଲ୍ଲାରେ ୧୬ଜଣ ଯାଜପୁର, ପୁରୀ, କଟକ ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ଏବେ ସୁଦ୍ଧା ମୋଟ ୮୦ଜଣ ନାବିକ ଓ ଖଲାସୀ ନିଯୁକ୍ତି କରାଯାଇନାହିଁ। ଅଧିକାରୀଙ୍କ ଏହି ମନମାନିକୁ ନେଇ ଉପକୂଳ ଜିଲ୍ଲାର ଧୋଇଆ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର