ରାଉରକେଲା: ବିଗତ ଦିନରେ ଭାରତୀୟ ରେଳ, ଦୂରନ୍ତ, ରାଜଧାନୀ, ଶତାବ୍ଦୀ, ହମ୍‍ ସଫର, ତେଜସ୍‍, ବନ୍ଦେଭାରତ, ସଂପର୍କକ୍ରାନ୍ତି, ଗତିମାନ ଏକ୍ସପ୍ରେସ୍‌, ଉଦୟ, ଜନଶତାବ୍ଦୀ ଇତ୍ୟାଦି ଅନେକ ପ୍ରକାର ଦ୍ରୁତଗାମୀ ଟ୍ରେନ୍‍ ଚଳାଚଳ କରୁଛି। ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବ୍ୟତୀତ ଅନ୍ୟ କୌଣସି ଦ୍ରୁତଗାମୀ ଟ୍ରେନ୍‍ର ସୁବିଧା ରାଉରକେଲାବାସୀ ପାଇପାରୁ ନାହାନ୍ତି। ଦୀର୍ଘଦିନରୁ ଦାବି ହେଉଥିବା ଭୁବନେଶ୍ୱର-ରାଉରକେଲା ଦ୍ରୁତଗାମୀ ଦ୍ୱିତୀୟ ଇଣ୍ଟରସିଟି ପ୍ରଚଳନ କରି ଭୁବନେଶ୍ୱରରୁ ପ୍ରାତଃକାଳୀନ ବାହାରି ଅପରାହ୍ନରେ ରାଉରକେଲାରୁ ପ୍ରତ୍ୟାବର୍ତ୍ତନ କଲେ ଅଂଚଳବାସୀ ବିଶେଷ ଉପକୃତ ହେବେ।

Advertisment

ଭୂବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍‍ସପ୍ରେସ୍‌ ଓ ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ ସହ ଅନ୍ୟ ଏକ ଅତି ଦ୍ରୁତଗାମୀ ଟ୍ରେନ୍‍ ପୁରୀ-ଭୁବନେଶ୍ୱରରୁ ରାଉରକେଲା- ପ୍ରୟାଗରାଜ ମାର୍ଗ ଦେଇ ଚଳାଚଳ କରିବାକୁ ଥିଙ୍କର୍ସ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି। ମୁମ୍ୱାଇ ଓ ପୁନେରୁ ଦୁଇଟି ଅତି ଦ୍ରୁତଗାମୀ ଟ୍ରେନ୍‍ ଦୂରନ୍ତ ପ୍ରଚଳନ କରୁଛି ହେଲେ ରାଉରକେଲା, ହାୱଡ଼ା-ମୁମ୍ୱାଇ ରେଳପଥର ଏକ ପ୍ରମୁଖ ଜଙ୍କସନ୍‍ ହେଲେ ମଧ୍ୟ ଏହି ଦୁଇଟି ଟ୍ରେନ୍‍ର କୌଣସି ଷ୍ଟପେଜ୍‍ ଓଡ଼ିଶାରେ ନାହିଁ। ତେଣୁ ରାଉରକେଲାରେ ଏହାର ଏକ ଷ୍ଟପେଜ୍‍ ରହିବା ଦରକାର। ଉଲ୍ଲେଖନୀୟ ମହାରାଷ୍ଟ୍ର, ଛତିଶଗଡ଼ ଇତ୍ୟାଦି ରାଜ୍ୟରେ ଏହାର ଏକାଧିକ ରହଣି ରହିଛି। ଏପରିକି ରାୟପୁର, ବିଳାସପୁର ମଧ୍ୟରେ ଦୁରତ୍ୱ ମାତ୍ର ୧୧୧କି.ମି. ଅଟେ। ରାଉରକେଲାରେ ଏହାର ରହଣି ହେଲେ ଏହା ଓଡ଼ିଶାର ଏକମାତ୍ର ରହଣି ହେବ।

ଟାଟାନଗରରୁ ଏହା ୧୬୪କି.ମି. ଓ ବିଳାସପୁରରୁ ଏହା ୩୦୫ କି.ମି. ହେବ। ନୂତନ ଭାବେ ଉନ୍ମୁକ୍ତ ହୋଇଥିବା ରାଉରକେଲା କେନ୍ଦୁଝର ମାର୍ଗରେ ଟ୍ରେ୍‍ନ ଚାଲିଲେ ରାଉରକେଲା, କେନ୍ଦୁଝର ଆଦିବାସୀ ଅଧ୍ୟୁସିତ, ଖଣି ଅଂଟଳର ଜନସାଧାରଣ ବିଶେଷ ଉପକୃତ ହେବେ। କଲିକତା ପୂର୍ବ ଭାରତର ଏକମାତ୍ର ମେଟ୍ରୋ ସହର ଓ ଏହି ଅଂଚଳବାସୀ ବାଣିଜ୍ୟ, ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ ପାଇଁ ବହୁମାତ୍ରାରେ ଥିର୍ଭରଶୀଳ। ସଠିକ୍‍ ସମୟରେ ଜାତୀୟ ଓ ଅନ୍ତର୍ଜଜାତୀୟ ବିମାନ ସେବା ପାଇଁ ମଧ୍ୟ କଲିକତା ବିଶେଷ ଗୁରୁତ୍ୱ ବହନ କରେ । ତେଣୁ ରାଉରକେଲାରୁ ପ୍ରାତଃକାଳରେ ଦ୍ରୁତଗାମୀ ଟ୍ରେ୍ନ‍ ହାୱଡ଼ା ଅଭିମୁଖେ ତଥା ଅପରାହ୍ନରେ ଏହା ରାଉରକେଲାକୁ ପ୍ରତ୍ୟାବର୍ତ୍ତନ କଲେ ବର୍ତ୍ତମାନ କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ବହୁମାତ୍ରାରେ ପୁରଣ କରିପାରିବ।

ସେମିତି ରାଉରକେଲା ଏକ ସର୍ବଭାରତୀୟ ପ୍ରମୁଖ ଶିଳ୍ପ, ବାଣିଜ୍ୟ, ଶିକ୍ଷା, କେନ୍ଦ୍ର ହୋଇଥିବାରୁ ଭାରତର ପ୍ରମୁଖ ସହର ଯଥା ଜବଲପୁର, ତ୍ରିଭାନ୍ଦ୍ରମ, ଜଲପାଇଗୁଡ଼ି, ଗୌହାଟି, ଇନ୍ଦୋର, ଭୋପାଳ, ଗୋଆ ଇତ୍ୟାଦି ସହରକୁ ସଂଯୋଗ ସ୍ଥାପନର ଆବଶ୍ୟକତା ରହିଛଇ। ଏହା ବ୍ୟତୀତ ବିଳାସପୁର- କୋଚି, ସମ୍ୱଲପୁର- ନାମଯୋଡ଼ି, ହାଟିଆ-ଗୋରଖପୁର ଇତ୍ୟାଦି ଟ୍ରେ୍‍ନକୁ ରାଉରକେଲାକୁ ସଂପ୍ରସାରଣ କରିବାକୁ ଥିଙ୍କର୍ସ ଫୋରମର ଆବାହକ ନଳିନୀ ଧର ଦାବି କରିଛନ୍ତି। । ରେଳ କର୍ତ୍ତୃପକ୍ଷ ଏ ଦିଗରେ ବିଶେଷ ଧ୍ୟାନ ଦେଇ ଉନ୍ନତମାର ରେଳସେବା ଯୋଗାଇଦେବାକୁ ସେ ରେଳମନ୍ତ୍ରୀ ସାଂସଦ, ବିଧାୟକମାନଙ୍କୁ ସ୍ମାରକ ପତ୍ର ପ୍ରେରଣ କରି ଦୃଷ୍ଟି ଆକର୍ଷଣ କରିଛନ୍ତି।