ଫିରିଙ୍ଗିଆ : ଫିରିଙ୍ଗିଆ ବ୍ଲକ୍ ଫିରିଙ୍ଗିଆ ପଞ୍ଚାୟତ ନୂଆପଡା ଗାଁ’ର ଯଶୋଦା ରଣା ଭତ୍ତା ଆଣିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ଦେଖିବାକୁ ମିଳିଛି। ଯଶୋଦାଙ୍କ ବୟସ ବର୍ତ୍ତମାନ ୮୨ବର୍ଷ ହୋଇଥିବା ବେଳେ ସେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ଆଣିବାକୁ ସକ୍ଷମ ହୋଇପାରୁନାହାନ୍ତି। ସବୁଠୁ ବଡ଼ କଥା ହେଲା ଏବେ ସରକାରଙ୍କ ସାମାଜିକ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ଆଉ ହିତାଧିକାରୀଙ୍କୁ ସିଧାସଳଖ ନଦେଇ ବ୍ୟାଙ୍କ ଜମାଖାତାକୁ ଟ୍ରାନ୍ସଫର କରାଯାଉଛି। ଏଥିରେ ଦୁଇମାସ ହେଲା ଯଶୋଦା ଭତ୍ତା ପାଇବାରେ ଅସୁବିଧା ହୋଇଛି।
ତାଙ୍କର ବ୍ୟାଙ୍କ ପାସବୁକ୍ ନଥିବାରୁ ସେ ଦୁଇମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇ ସେ ପଞ୍ଚାୟତ କାର୍ଯାଳୟ ଓ ବ୍ଲକ୍ କାର୍ଯ୍ୟାଳୟକୁ ଯାଉଥିବା କହିଛନ୍ତି। ବର୍ତ୍ତମାନ ଭତ୍ତା ଟଙ୍କା ପାସ୍ବୁକରେ ଦେବା ବ୍ୟବସ୍ଥା କରାଯାଉଥିବା ବେଳେ ବହୁ ହିତାଧିକାରୀଙ୍କ ଜମାଖାତା ନାହିଁ। ତେଣୁ ଅସହାୟ ବୃଦ୍ଧ ଓ ବୃଦ୍ଧା ହିତାଧିକାରୀ ଭତ୍ତା ଟଙ୍କା ପାଇବାରୁ ବଂଚିତ ହେବେ ବୋଲି କୁହାଯାଇଛି। ତେଣୁ ଯଶୋଦାଙ୍କ ଭଳି କିଛି ବୟସାଧିକ ବୃଦ୍ଧାଙ୍କୁ ଭତ୍ତା ଟଙ୍କା ଘରେ ଆଣି ପ୍ରଦାନ କରିବାକୁ ନିବେଦନ କରିଛନ୍ତି l
୨୫ବର୍ଷ ପୂର୍ବରୁ ଯଶୋଦାଙ୍କ ସ୍ୱାମୀ ମୃତ୍ୟୁବରଣ କରିଛନ୍ତି। ପରିବାରରେ ୪ ପୁଅ ଓ ୨ଝିଅ ସମସ୍ତେ ବିବାହ ଅନ୍ୟତ୍ର ରହୁଛନ୍ତି। ଏବେ ସାମାଜିକ କଲ୍ୟାଣ ଯୋଜନାରେ ସରକାରଙ୍କ ତରଫରୁ ୭୦୦ ଟଙ୍କା ବିଧବା ଭତ୍ତା ଓ ୮ କେଜି ରାସନ ଚାଉଳ ମିଳୁଛି। ହେଲେ ବର୍ଷେ ହେବ ବାର୍ଦ୍ଧକ୍ୟ କାରଣୁ ନିଜ ଗାଁ ଠାରୁ ୪କିଲୋମିଟର ଯାଇ ଭତ୍ତା କିମ୍ଵା ଚାଉଳ ଆଣିବା ସମ୍ଭବ ହୋଇ ପାରୁନାହିଁ l ଅଟୋ ଯୋଗେ ଗଲେ ୧୦୦ରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସହ ଦିନତମାମ ହଇରାଣ ହେବାକୁ ପଡୁଥିବା କହିଛନ୍ତି ଯଶୋଦା। ତେଣୁ ସେ ଫିରିଙ୍ଗିଆ ବଜାରରେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ବହୁତ କଷ୍ଟରେ ଭତ୍ତା ଆଣୁଥିଲେ। ହେଲେ ଏବେ ନିଜର ବ୍ୟାଙ୍କ ଖାତା ନ ଥିବାରୁ ୨ ମାସ ହେଲା ଭତ୍ତାରୁ ବଞ୍ଚିତ ହୋଇଛନ୍ତି।