ଜୟପୁର: ବିଭିନ୍ନ ହିତାଧିକାରୀଙ୍କ ଭତ୍ତା ଟଙ୍କା ଠାରୁ ଆରମ୍ଭ କରି କାଳିଆ ଯୋଜନାର ଚାଷୀ ସହାୟତା ,ମଣ୍ଡିର ଧାନ ବିକ୍ରୀ କରିବା ଟଙ୍କା ଠାରୁ ସବୁ କ୍ଷେତ୍ରରେ ଏବେ ବ୍ୟାଙ୍କ ଗୁରୁତ୍ବପୁର୍ଣ୍ଣ ଭୁମିକା ରହିଛି। ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବା ରାଜ୍ୟସରକାରଙ୍କ ଯୋଜନା ବହୁ ବର୍ଷ ଧରି କରିଥିଲେ ହେଁ ଜିଲାର ପ୍ରମୁଖ ବ୍ଲକ ଭାବେ ପରିଚିତ ଜୟପୁର ବ୍ଲକରେ ଏହା କାର୍ଯ୍ୟକାରୀ ହୋଇପାରିନି।  ୨୨ଟି ପଂଚାୟତରୁ ମାତ୍ର ୫ଟି ପଂଚାୟତରେ ହିଁ  ବ୍ୟାଙ୍କ ରହିଛି। ଏହି ୫ଟିରୁ ମାତ୍ର ଗୋଟିଏ ଜାତୀୟକରଣ ବ୍ୟାଙ୍କ ଇଣ୍ଡିଆନ୍ଓଭରସିଜ୍ ଓ ଗୋଟିଏ ଘରୋଇ ଏଚଡିଏଫସି ବ୍ୟାଙ୍କ ରହିଛି। ବଳକା ୩ଟି ପଂଚାୟତରେ ରାଜ୍ୟସ୍ତରୀୟ ବ୍ୟାଙ୍କ ରହିଛି। ପୁଜାରୀପୁଟ ପଂଚାୟତରେ ପ୍ରଥମ କରି ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଗତ  ୨୦ବର୍ଷ ହେବ ଜୟନ୍ତଗିରୀରେ କାର୍ଯ୍ୟକାରୀ ହେଉଛି।

Advertisment

ଏହି ବ୍ୟାଙ୍କ ଉପରେ ଜୟନ୍ତଗିରୀ, ପୁଜାରୀପୁଟ, କେବିଡି, ରାଣୀଗଡ ପଂଚାୟତର ୫୦ରୁ ଉର୍ଦ୍ଧ୍ବ ଗାଁର ଲୋକେ ନିର୍ଭର। ଟାଙ୍କୁଆ  ପଂଚାୟତର ବାମୁଣିଗାଁ ଠାରେ  ଥିବା ଏଚଡିଏଫସିର ବ୍ୟାଙ୍କଉପରେ ଟାଙ୍କୁଆ, ଡଙ୍ଗରଚିଂଛି ପଂଚାୟତର ଲୋକଙ୍କ ପାଇଁ ରହିଛି। ସେଭଳି ଆମ୍ବାଗୁଡା, ଜାମୁଣ୍ଡା ଓ ପାମ୍ପୁଣୀ ଠାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ରହିଛି।  ବ୍ଲକର ସବୁ ପଂଚାୟତରେ ଜାତୀୟକରଣ ବ୍ୟାଙ୍କ ନଥିବାରୁ ଜୟପୁର ବ୍ଲକର ସବୁ ପଂଚାୟତର ଲୋକେ ସହରରେ ଥିବା ବିଭିନ୍ନ ଜାତୀୟକରଣ ଓ ଘରୋଇ ବ୍ୟାଙ୍କ ଗୁଡିକରେ ହିତାଧିକାରୀ ମାନେ ଖାତା ଖୋଲିଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଜୟପୁର ସହରରେ ଜାତୀୟକରଣ ବ୍ୟାଙ୍କ ୫ଟି ସହ ରାଜ୍ୟସ୍ତରୀୟ ଓ ଘରୋଇ ବ୍ୟାଙ୍କ ଆଦି ୩୦ଟି ରହିଥିବା ବେଳେ ବ୍ଲକର ସବୁ ପଂଚାୟତର ଲୋକେ ଏସବୁ ବ୍ୟାଙ୍କରେ ନିର୍ଭର। ସବୁ ପଂଚାୟତରେ ବ୍ୟାଙ୍କ ଖୋଲିଲେ ହିତାଧିକାରୀ ମାନେ ସାମାନ୍ୟ ଭତ୍ତା ୫୦୦ଟଙ୍କା ପାଇଁ କିମ୍ବା ପାସବୁକ୍ ଅଫଟୁଡେଟ୍ ପାଇଁ ଅଯଥାରେ ୧୦୦ଟଙ୍କା ଖର୍ଚ୍ଚ କରି ଅଟୋ କିମ୍ବା ବସରେ ଯିବା ଆସିବା କରୁଥିଲେ ତାହା ବଂଚିଯିବ। ଏଭଳିକି ଆମ୍ବାଗୁଡା ୟୁଜିବିକୁ ହିତାଧିକାରୀ ବୃଦ୍ଧା ଜଣକ ଭତ୍ତା ପାଇଁ ଆସି ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ।

ସଂପ୍ରତି ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବା ଯୋଜନା ଜୋର ଧରିଛି। ଏହି କ୍ରମରେ ଜୟପୁର ବ୍ଲକର ବଳକା ୧୭ଟି ପଂଚାୟତରେ ବ୍ୟାଙ୍କ ଖୋଲିବା ପାଇଁ ଯୋଜନା ଆରମ୍ଭ ହୋଇଛି। କେଉଁ ପଂଚାୟତରେ ପୁରୁଣା ପଂଚାୟତ କାର୍ଯ୍ୟାଳୟ ତ ଆଉ କେଉଁ ପଂଚାୟତ‌ରେ ପିଇଓଙ୍କ ବାସଭବନ, ରାଜୀବଗାନ୍ଧୀ ସେବା କେନ୍ଦ୍ର ଆଦିରେ ବ୍ୟାଙ୍କଖୋଲାଯିବା ପାଇଁ ବ୍ଲକ ପକ୍ଷରୁ ପ୍ରସ୍ତୁତ କରି ରଖାଯାଇଥିବା କହିଛନ୍ତି ବିଡିଓ ରାଜୀବ ଦାସ, ଏବିଡିଓ ମନୋଜ ନାୟକ, ଜିପିଇଓ ।