ବାରୁଣୀ ସ୍ନାନ ବନ୍ଦ: ସଂପୃକ୍ତ ଅଞ୍ଚଳରେ ୧୪୪ ଜାରି କଲା ଜିଲ୍ଲା ପ୍ରଶାସନ

ଯାଜପୁରସଦର: ଆସନ୍ତାକାଲି  ପବିତ୍ର ବୈତରଣୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। କୌଣସି ଲୋକ ଏଠାକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନା ଅନୁସ‌ାରେ ଆସନ୍ତାକାଲି ବାରୁଣୀ ସ୍ନାନ ଯୋଗ ଥିବାରୁ ପବିତ୍ର ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ଏହାର ଆଖପାଖ ଘାଟଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ପିଣ୍ଡଦାନ କରିବାକୁ ଆସିବାର ଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। ଫଳରେ ଏହି ସ୍ଥାନକୁ ଆସନ୍ତାକାଲି ପାଇଁ ୧୪୪ ଜାରି କରାଯିବା ସହ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ସ୍ଥାନୀୟ ତହସିଲ ଓ ପୁଲିସ ପ୍ରଶାସନ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରି କିପରି ଏଠ‌ାରେ ଶ୍ରଦ୍ଧାଳୁଙ୍କୁ ଏକତ୍ରିତ ହେବାକୁ ସୁଯୋଗ ଦିଆନଯିବ ସେ ନେଇ ବ୍ୟବସ୍ଥା କରାଯିବ। ତେଣୁ ସରକାରଙ୍କ ନିର୍ଦ୍ଦେଶ ଓ ପ୍ରଶାସନିକ କଟକଣା ମାନି କୌଣସି  ଶ୍ରଦ୍ଧାଳୁ  ସ୍ନାନ ପାଇଁ ନ ଆସିବାକୁ ପ୍ରଶାସନ ଅନୁରୋଧ କରିଛି ଓ ଯିଏ ନିୟମ ଉଲଘଂନ କରିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର