ବ୍ରହ୍ମପୁର: ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରସୂତି ଠିକ୍‌ ସମୟରେ ଚିକିତ୍ସା ସୁବିଧା ନପାଇ ବଡ଼ ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟ ଓ ସାଧାରଣ ଜନତାଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରୋଗୀ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ଆସୁଥିବା ବେଳେ ତାଙ୍କୁ ଅବହେଳା କରାଯାଉଥିବାରୁ ଏଭଳି ଘଟଣା ଘଟିଲା ବୋଲି ଆଲୋଚନା ହେଉଛି। ଏବେ ମା ଏସ୍‌. କାଲାମ୍ମା ଓ ତାଙ୍କ ନବଜାତ ଶିଶୁପୁତ୍ର ସୁସ୍ଥ ଅଛନ୍ତି। ଉଭୟେ ବଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

Advertisment

ସୂଚନ‌ା ଅନୁସାରେ, ଗୋପାଳପୁର ଥାନା ନୂଆଗୋଳାବନ୍ଧ ଗ୍ରାମର ଏସ୍‌. ଭୀମରାଜୁଙ୍କ ପତ୍ନୀ କାଲାମ୍ମା ଗର୍ଭବତୀ ଥିଲେ ଓ ସିଟି ହସ୍ପିଟାଲ୍‌ରେ ତାଙ୍କର ରୀତିମତ ସ୍ବାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା କରାଯାଉଥିଲା। ଆଜି କାଲାମ୍ମାଙ୍କୁ ପ୍ରସବ ବେଦନା ଆସିବାରୁ ପରିବାରବର୍ଗ ତାଙ୍କୁ ସିଟି ହସ୍ପିଟାଲ୍‌ ନେଇଥିଲେ। ହେଲେ ଅବସ୍ଥା ଜଟିଳ ରହିଥିବାରୁ ତାଙ୍କୁ ସିଟି ହସ୍‌ପିଟାଲ୍‌ରେ ଭର୍ତ୍ତି ନକରି ବଡ଼ ଡାକ୍ତରଖାନାକୁ ରେଫର୍‌ କରି ଦିଆ ଯାଇଥିଲା ବୋଲି କାଲାମ୍ମାଙ୍କ ମାମୁ ଏସ୍‌. ଧନରାଜୁ କହିଛନ୍ତି। ବଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଥମ ମହଲାରେ ଥିବା ଲେବର୍‌ ରୁମ୍‌କୁ ତାଙ୍କୁ ନିଆଯାଇଥିଲା। ହେଲେ ଶଯ୍ୟା ନଥିବା କହି ସେଠାରେ ତାଙ୍କୁ ଭର୍ତ୍ତି କରା ନଯାଇ ଫେରାଇ ଦିଆ ଯାଇଥିଲା ବୋଲି ମାମୁ ଧନରାଜୁ ଅଭିଯୋଗ କରିଛନ୍ତି।

ଏହାପରେ ପରିବାରବର୍ଗ ନିରାଶ ହୋଇ କାଲାମ୍ମାଙ୍କୁ ଧରି ବାହାରକୁ ଆସୁଥିଲେ। ଏହି ସମୟରେ ବିଭାଗର ବାରଣ୍ଡାରୁ ତଳକୁ ଓହ୍ଲାଇବାକୁ ଥିବା ରାସ୍ତା (ରୢାମ୍ପ୍‌) ପଟେ ଯାଉଥିବା ବେଳେ ହଠାତ୍‌ କାଲାମ୍ମା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ସହ ସେହିଠାରେ ପ୍ରସବ କରିଥିଲେ। ଏହା ଦେଖି ପରିବାରବର୍ଗ ଓ କର୍ମଚାରୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଭିତରକୁ ନେଇଥିଲେ। ଡ୍ୟୁଟିରେ ଥିବା ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ଉଭୟ ମା’ ଓ ପୁଅ ସୁସ୍ଥ ଥିବା ଧନରାଜୁ କହିଛନ୍ତି। ବଡ଼ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସବୁ ପ୍ରକାର ସୁବିଧା ଅଛି ବୋଲି କୁହାଯାଉଛି। କିନ୍ତୁ ଏଠାରେ ରୋଗୀ ଚିକିତ୍ସାରେ ଅବହେଳା କରାଯାଉଛି। ଫଳରେ ଆଜି ଏଭଳି ଘଟଣା ଘଟିଲା। ଏଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଧନରାଜୁ ନିବେଦନ କରିଛନ୍ତି।

ଏ ସମ୍ପର୍କରେ ବଡ଼ ଡାକ୍ତରଖାନା ମ୍ୟାନେଜର୍‌ ଡି. ଶରତ ବାବୁ ସଫେଇ ଦେବାକୁ ଯାଇ କହିଛନ୍ତି, ମହିଳାଙ୍କ ସ୍ବାଭାବିକ ପ୍ରସବ ହୋଇଛି। ପ୍ରସବ ପୂର୍ବରୁ ତାଙ୍କୁ ଲେବର୍‌ ରୁମ୍‌ ବାହାରେ କିଛି ସମୟ ଚାଲିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ବେଦନା ଆସିବାରୁ ତାଙ୍କୁ ତୁରନ୍ତ ଲେବର୍‌ ରୁମ୍‌କୁ ନିଆଯାଇଥିଲା। ବାରଣ୍ଡାରେ ପ୍ରସବ ହୋଇଥିବା କଥାକୁ ସେ ଅସ୍ବୀକାର କରିଛନ୍ତି। ଲେବର୍‌ ରୁମ୍‌ ଭିତରକୁ ଯିବା ପାଇଁ ତାଙ୍କ ସମ୍ପର୍କୀୟ ଉଦ୍ୟମ କରିଥିଲେ। ତାଙ୍କୁ ସୁରକ୍ଷା କର୍ମୀ ମନା କରିଥିଲେ ବୋଲି ମ୍ୟାନେଜର୍‌ କହିଛନ୍ତି।