ଆର୍‌ଜିଏଚ୍‌ରେ ତଳେ ଶୋଉଛନ୍ତି ରୋଗୀ

ରାଉରକେଲା: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ସମାନ ମାନ୍ୟତା ପାଇଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଏକାଧିକ ବାର ସୁନ୍ଦରଗଡ଼ ସମେତ ସୀମାବର୍ତ୍ତୀ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ ରୋଗୀଙ୍କର ଏକମାତ୍ର ଭରସା ଆର୍‌ଜିଏଚ୍‌ ସ୍ଥିତି ବୁଲି ଦେଖିଛନ୍ତି। ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। କିନ୍ତୁ ଏଯାଏଁ ଆର୍‌ଜିଏଚ୍ ସମସ୍ୟା ଦୂର ହୋଇନି। ୨୭୬ ବେଡ୍‌ ଆର୍‌ଜିଏଚ୍‌ରେ ଦୈନିକ ଭର୍ତ୍ତି ହେଉଛନ୍ତି ୪୦୦ରୁ ଅଧିକ ରୋଗୀ। ହେଲେ ନିୟମିତ ଭାବେ ସ୍ଥିତି ଏମିତି ଉପୁଜୁଛି ଯେ, ବେଡ ଅଭାବରୁ ଅନେକ ଗୁରୁତର ରୋଗୀ ବେଡ୍‌ ତଳ ଚଟାଣରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ୧୦ କି ୨୦ ଜଣ ରୋଗୀ ନୁହଁନ୍ତି, ପ୍ରତ୍ୟେକ ଦିନ ଶତାଧିକ ରୋଗୀଙ୍କୁ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସମେତ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ ଝାଡ଼ଖଣ୍ଡ, ବିହାର ଓ ଛତିଶଡର ଅନେକ ରୋଗୀ ଏହି ସମାନ ଦଶା ‌ଭୋଗୁଛନ୍ତି। ଆର୍‌ଜିଏଚ୍‌ ପକ୍ଷରୁ ପ୍ରତ୍ୟେକ ବିଭାଗରେ ଯେତିକି ବେଡ୍‌ ପଡିଛି, ହସ୍ପିଟାଲ ପକ୍ଷରୁ ଆହୁରି କିଛି ଅଧିକ ବେଡ୍‌ର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ପରି ହୋଇଛି।

ପଡୋଶୀ ଝାଡଖଣ୍ଡ, ଛତିଶଗଡ଼ ସହିତ ରାଉରକେଲା ଓ ସୁନ୍ଦରଗଡର ଅଧିକାଂଶ ବ୍ଲକ ରୋଗୀଙ୍କ ଏକମାତ୍ର ଭରସା ଆର୍‌ଜିଏଚ୍‌ରେ ଲାଗି ରହିଥିବା ଏହି ବେଡ୍‌ ସମସ୍ୟା ଦୂର କରିବାକୁ କାହାରି ପକ୍ଷରୁ ସେତେଟା ତତ୍ପରତା ଦେଖାଯାଉ ନାହିଁ। ହସ୍ପିଟାଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି କାମ ସାରି ଦେଉଛନ୍ତି। କିନ୍ତୁ ସରକାର ଚୁପ୍‌ ରହୁଛନ୍ତି। ସେପଟେ ସମସ୍ୟା ସୁଧାରିବାକୁ ବି‌ରୋଧୀ ବିଜେପି ଓ କଂଗ୍ରେସ ଅନେକ ବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି, ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କିଛି ଫଳ ମିଳିନି। ଆଜି ଯାଏ ବେଡ୍‌ ସଂଖ୍ୟା ବୃଦ୍ଧି ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ୨୦୧୯ ଅକ୍ଟୋବର ୨୮ରେ ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ଡାକ୍ତରଖାନା କରାଗଲା ବୋଲି ଘୋଷଣା କଲେ। ଏ ସମ୍ପର୍କିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କ ପାଖକୁ ଆସିଲା। କିନ୍ତୁ କିଛି ହେଲାନି। ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇଛି।

ଆଜି ଯାଏଁ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଣିଚାଏ ପଦକ୍ଷେପ ନିଆଗଲା ନାହିଁ। ଫଳରେ ଡାକ୍ତରଖାନାର ୪୦୦ ଶଯ୍ୟାର ସୁବିଧା ସୁଯୋଗ କେବଳ ଚିଠିରେ ହିଁରେ ସୀମିତ ରହିଯାଇଛି। ଆଶ୍ଚର୍ଯ୍ୟ କଥା, ସିଏମ୍‌ଓ ଅଫିସ୍‌ରୁ ଯେଉଁ ଚିଠି ଆସିଛି, ସେଥିରେ ଚିଠିର ଇସ୍ୟୁ ନମ୍ବର ନାହିଁ କି, କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ। ଆହୁରି ଆଶ୍ଚର୍ଯ୍ୟର କଥା, ସରକାରଙ୍କ ପାଣ୍ଠି ଅଭାବରୁ ଏଥିରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)କୁ ବିନିଯୋଗ ହେଉଛି। ଡାକ୍ତର, ଆମ୍ବୁଲାନ୍ସ ସେବା, ନର୍ସ ଏମିତି କି ‘ମୋ ସରକାର’ ପାଣ୍ଠି ମଧ୍ୟ ଡିଏମ୍‌ଏଫ୍‌ରୁ ଆସୁଛି। କହିବାକୁ ଗଲେ ଆର୍‌ଜିଏଚ୍ ମାସକୁ ଯେତିକ ଅର୍ଥ ଖର୍ଚ୍ଚ ହେଉଛି, ତା’ର ପ୍ରାୟ ୩୦ରୁ ୪୦% ଡିଏମ୍‌ଏଫ୍ ବହନ କରୁଛି। ଯେଉଁ ଦିନ ଡିଏମ୍‌ଏଫ୍‌ ବନ୍ଦ ହୋଇଯିବ, ସେହି ଦିନ ଆର୍‌ଜିଏଚ୍‌ରୁ ଅଧା ସୁବିଧାସୁଯୋଗ ହଟିଯିବ। ଆର୍‌ଜିଏଚ୍‌ରେ ଯେତିକି ଡାକ୍ତର କାର୍ଯ୍ୟ କରୁଛନ୍ତି, ତା’ର ୩୦% ଡାକ୍ତର ଡିଏମ୍‌ଏଫ୍‌ ପାଣ୍ଠିରୁ ନିଯୁକ୍ତି ଦିଆଯାଇଛି। କେବଳ ଡାକ୍ତର ନୁହନ୍ତି ୩୭ ନର୍ସ, ୨ଟି ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଡିଏମ୍‌ଏଫ୍‌ରୁ ଆସିଛି। ଡିଏମ୍‌ଏଫ୍‌ରୁ ଆସିବା ଅର୍ଥ ଜିଲ୍ଲାର ନିଜସ୍ବ ଅର୍ଥରୁ ଖର୍ଚ୍ଚ ହେବା। ତେଣୁ ସାଧାରଣରେ ପ୍ରଶ୍ନ ଉଠୁଛି, ଆର୍‌ଜିଏଚ୍‌, ବା ଅନ୍ୟ ଶବ୍ଦରେ କହିଲେ ରାଉରକେଲା ସହର ବା ସୁନ୍ଦରଗଡ଼ ଜିଲ୍ଲା ପାଇଁ ରାଜ୍ୟ ସରକାର କରୁଛନ୍ତି କ’ଣ?

ସମ୍ବନ୍ଧିତ ଖବର