ସିକୋ: ଗରିବଙ୍କ ପାଇଁ ଜାଗା ନଥିଲେ ସରକାର ଜାଗା ଯୋଜନାରେ ଘର ନିର୍ମାଣ ପାଇଁ ଘରଢିହ ଯୋଗାଉଛନ୍ତି । ଜମି ଥିଲେ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଅର୍ଥ ଅନୁଦାନ ଦେଉଛନ୍ତି । କିନ୍ତୁ ଶଗଡ଼ଭଙ୍ଗା ପଞ୍ଚାୟତର ଛିମାର ବୈକୁଣ୍ଠ ବେହେରାଙ୍କୁ ଗତ ୪-୫ ବର୍ଷ ଧରି ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଥିଲେ ମଧ୍ୟ ତାଙ୍କୁ କୌଣସି ଯୋଜନାରେ ସହାୟତା ମିଳୁନାହିଁ । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଗୋଟିଏ କଠୋରୀ ଥିବା ଘରେ ନିଜର ଗୃହପାଳିତ ପଶୁଙ୍କ ସହ ଅତି ଦୟନୀୟ ଭାବେ ରହୁଛନ୍ତି ।

Advertisment

ଏନେଇ ବୈକୁଣ୍ଠ କହିଛନ୍ତି ଯେ ଆର୍ଥିକସ୍ତରରେ ଦୁର୍ବଳ ଥିବା ଓ ୬ଟି କିମ୍ବା ଏହାଠାରୁ ଅଧିକ ଗାଈ ପାଳୁଥିବେ ତେବେ ସରକାରୀ ଯୋଜନାନୁସାରେ ଗୁହାଳ ନିର୍ମାଣ ପାଇଁ ସରକାର ୧ଳକ୍ଷ ୧୩ ହଜାର ଟଙ୍କା ଓ ଏହାଠାରୁ କମ୍ ଥିଲେ ୬୫ହଜାର ଟଙ୍କା ସହାୟତା ଦେଇଥାନ୍ତି । ସେ ରହୁଥିବା ଘର ଭାଙ୍ଗିରୁଜି ଗଲାଣି । ଗୋଟିଏ ପ୍ରକୋଷ୍ଠ । ଗୁହାଳ ଘର ନାହିଁ ବୋଲି ଗାଈଗୁଡ଼ିକୁ ସେ ନିଜେ ରହୁଥିବା ଘରେ ବାନ୍ଧୁଛନ୍ତି । ଗୋପାଳନ ହିଁ ତାଙ୍କର ପ୍ରମୁଖ ଜୀବିକା । ଘର କି ଗୁହାଳ ନିର୍ମାଣ କରିବାକୁ ତାଙ୍କ ନିକଟରେ ଆବଶ୍ୟକ ଅର୍ଥ ନାହିଁ । ଘର ଓ ଗୁହାଳ ନିର୍ମାଣ ପାଇଁ ଅନେକ ଥର ଅବେଦନ କରି ଅଧିକାରୀଙ୍କ ପାଖକୁ ଦୌଡ଼ି ଛନ୍ତି, କିନ୍ତୁ କୌଣସି ସୁଫଳ ମିଳିନାହିଁ । ଏନେଇ ବେଗୁନିଆ ବିଡିଓ ରଶ୍ମୀରେଖା ଦାସଙ୍କୁ ପଚାରିବାରେ ସେ ଅନ୍ୟ ପ୍ରାଶାସନିକ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।ଏନେଇ ପରବର୍ତୀ ସମୟରେ ଅଭିଯୋଗ ସମ୍ପର୍କରେ ତଦନ୍ତ କରିବି ବୋଲି କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ୨୦୧୮ରେ ଶଗଡ଼ଭଙ୍ଗା ଓ ସିକୋ ପଂଚାୟତରେ ଗୋପାଳକଙ୍କ ପାଇଁ ୪୦ଟି ଗୁହାଳ ମଂଜୁର ହୋଇଥିଲା । ଏହି ସମୟରେ ବୈକୁଣ୍ଠ ଗୁହାଳ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଗୁହାଳ ମିଳିନଥିଲା । କିନ୍ତୁ ଗୋଟିଏ ଗାଈ ଥିବା ସମ୍ପନ୍ନ ଓ ପ୍ରଭାବଶାଳୀ ଲୋକ ଏହି ଗୁହାଳ ଅନୁଦାନ ହାତେଇବାରେ ସକ୍ଷମ ହୋଇଥିଲେ । କେବଳ ବୈକୁଣ୍ଠ କାହିଁକି ଅଂଚଳର ଅନେକ ଯୋଗ୍ୟ ହିତାଧିକାରୀ ଏଭଳି ଯୋଜନାରୁ ବଂଚିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।