ଦେବଗଡ଼/ରିଆମାଳ: ସାରା ଭାରତବାସୀ ମଙ୍ଗଳବାର ଆନନ୍ଦ ଓ ଉଲ୍ଲାସର ସହ ୭୭ତମ ସ୍ବାଧିନତା ଦିବସ ପାଳନ କରିଥିବା ବେଳେ ଦେବଗଡ଼ ଜିଲ୍ଲା ରିଆମାଳରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇ ନାହିଁ। ଫଳରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ରିଆମାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଏହାକୁ ଆୟୋଜନ କରାଯାଉ ଥିବା ବେଳେ ଚଳିତ ବର୍ଷ କେଉଁ କାରଣରୁ ଜାତୀୟ ପରମ୍ପରାକୁ ଭଙ୍ଗ କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ଜାତୀୟ ପତାକା ମଧ୍ୟ ଉତ୍ତୋଳନ ମଧ୍ୟ କରାଯାଇ ନାହିଁ।
ଦେବଗଡ଼ ଜିଲ୍ଲାର ରିଆମାଳରେ କେବଳ ନୁହେଁ। ବରଂ ଜିଲ୍ଲାର ବାରକୋଟ ଓ ତିଳେଇବଣୀରେ ମଧ୍ୟ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇ ନାହିଁ। ଏହି ୨ ବ୍ଲକରେ ମଧ୍ୟ ପ୍ରଶାସନ ତରଫରୁ ସ୍ବାଧୀନତା ଦିବସ ପାଳନ ପାଇଁ ତତ୍ପରତା ପ୍ରକାଶ ପାଇ ନାହିଁ।
ଏନେଇ ରିଆମାଳ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କୁ ପଚାରିବାରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ ହେବ ବୋଲି ବିଡ଼ିଓ କହିଥିବା ପ୍ରକାଶ କରିଥିଲେ। କିନ୍ତୁ ବିଡ଼ିଓ ଦିବ୍ୟଶଙ୍କର ଜୟପୂରିଆ କହିଛନ୍ତି, ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଗଲା ବେଳେ ଛାତ୍ରଛାତ୍ରୀମାନେ ଘରକୁ ପଳେଇଲେ ବୋଲି ରିଆମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାତ୍ର କହିବାରୁ କାର୍ଯ୍ୟକ୍ରମ ବନ୍ଦ କରାଯାଇ ଥିଲା। ଅନ୍ୟପଟରେ ଏ ବାବଦରେ ପ୍ରଧାନ ଶିକ୍ଷୟିତ୍ରୀ ପାତ୍ରଙ୍କୁ ପଚାରିବାରୁ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା। ସମସ୍ତ ବିଦ୍ୟାଳୟକୁ ପଚାରିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇ ନଥିବା ଜଣାପଡ଼ିଛି।
ପ୍ରକାଶ ଥାଉ କି ରିଆମାଳରେ ପ୍ରତ୍ୟେକ ବର୍ଷ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ମହାଆଡମ୍ବରରେ ପାଳିତ ହୋଇଥାଏ। ଅଧ୍ୟକ୍ଷ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥାନ୍ତି। ରିଆମାଳ ଜୁନିଅର କଲେଜ, ରିଆମାଳ ହାଇସ୍କୁଲ, ରିଆମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ବଡବାହାଳ, ତିମୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧରମପୁର ପ୍ରାଥମିକ ବିଦ୍ୟାଳୟ, ରିଆମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମେତ ବହୁ ସରକାରୀ, ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସୁକତାର ସହ ଯୋଗ ଦେଇ ପ୍ୟାରେଡ୍ କରିଥାନ୍ତି। ଏହା ପରେ ବିଭିନ୍ନ ନୃତ୍ୟ, କଳା ପ୍ରତିଯୋଗୀ ହୋଇଥାଏ। ବିଦ୍ୟାଳୟରେ ପ୍ରବନ୍ଧ, ଚିତ୍ର, ବକ୍ତୃତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥାଏ।ଏହାକୁ ଦେଖିବାକୁ ଜନସାଧାରଣ ମଧ୍ୟ ବହୁ ମାତ୍ରାରେ ଉପସ୍ଥିତ ରହିଥାନ୍ତି। ମାତ୍ର ଚଳିତ ବର୍ଷ ଏହି ପରମ୍ପରାକୁ ଭଙ୍ଗ ହୋଇ ଥିବାରୁ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଦେଖା ଯାଇଛି।
ଅବସରପ୍ରାପ୍ତ ଅଧ୍ୟାପକ ଗୋଲବଦନ ବିଶ୍ବାଳ କହିଛନ୍ତି ରିଆମାଳରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କୁ ଉତ୍ସାହ ଭରି ଦିଏ। ପରମ୍ପରା ବନ୍ଦ ହେବ ଦ୍ବାରା ବ୍ଲକ ପ୍ରଶାସନର ଅବହେଳା ପ୍ରଦର୍ଶନ କରିଛି। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେହିପରି ଶିକ୍ଷାବିତ୍ ଯୋଗେଶ୍ବର ବିଶ୍ବାଳ କହିଛନ୍ତି ଯେ, ଏଠାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରି ନ ଥିବା ହେତୁ ବ୍ଲକ ପ୍ରଶାସନ ପରମ୍ପରାକୁ ଭଙ୍ଗ କରାଛି। ଏହା ଏକ ନିନ୍ଦନୀୟ। ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/096bebbc-e858-464c-9f14-b8c46121efae.jpg)