ବରଗଡ଼: କେନ୍ଦ୍ର ରେଳ ବଜେଟ୍‌ ଉପସ୍ଥାପନ ସରିଛି। ଏହାର ବିସ୍ତୃତ ରୂପରେଖ ସ୍ପଷ୍ଟ ହୋଇ ସାରିଛି। ପୂର୍ବରୁ ବଜେଟ୍‌ ଉପରେ ବରଗଡ଼ ଏବଂ ନୂଆପଡ଼ାବାସୀଙ୍କ ନଜର ଲାଖି ରହିଥିଲା। କିନ୍ତୁ ବଜେଟ୍‌ର ବିଶ୍ଳେଷଣ ପରେ  ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ର ଭବିଷ୍ୟତ ପୁଣି ଅନ୍ଧାରକୁ ଠେଲି ହୋଇଯାଇଛି। ସଦ୍ୟ ବଜେଟ୍‌ରେ ଏହି ପ୍ରସ୍ତାବିତ ରେଳଲାଇନ୍‌ ପାଇଁ କିଛି ଅର୍ଥ ବରାଦ ହେଲା ନାହିଁ। ଟୋକନ୍‌ ରାଶି ବି କିଛି ଘୋଷଣା ହେଲା ନାହିଁ। ଫଳରେ ପ୍ରକଳ୍ପର ଅଗ୍ରଗତି ନେଇ ଆଶା ପୁଣି ମଉଳି ଯାଇଛି। ୨୦୧୮ ବିଜେପୁର ଉପନିର୍ବାଚନରୁ ଏହି ପ୍ରକଳ୍ପ ନେଇ ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ ଟକ୍କର୍‌ ଆରମ୍ଭ ହୋଇଥିଲା। ଯାହା ସଦ୍ୟ ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ଆହୁରି ଉଗ୍ର ହୋଇଥିଲା।

Advertisment

ସେଠାକୁ ପ୍ରଚାରକୁ ଓହ୍ଲାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 'ଆଜି ଓଡ଼ିଶା ସରକାର ଜମି ଦେଲେ, କାଲିଠୁ ରେଳ ଲାଇନ୍‌ କାମ ଆରମ୍ଭ ହେବ' ବୋଲି କହିଥିଲେ। ପ୍ରତି ନିର୍ବାଚନୀ ସଭାରେ ସେ ଏହା ଦୋହରାଇଥିଲେ। ବିଜେଡି ଏହାର ଜବାବ ରଖି ୨୦୧୯ରେ ରେଳ ମନ୍ତ୍ରଣାଳୟ ସର୍ଭେ ପରେ ଏହି ଲାଇନ ଲାଭଦାୟକ ନୁହେଁ ଏବଂ ଏହି ପ୍ରକଳ୍ପକୁ ସଂରକ୍ଷିତ କରାଗଲା ବୋଲି କେନ୍ଦ୍ର ସରକାର ସୂଚନା ଦେଇଥିଲେ। କିନ୍ତୁ ଜମି ପାଇଁ ଏହା ପରଠୁ କେନ୍ଦ୍ର ସରକାର ଆଜି ଯାଏଁ ରାଜ୍ୟ ସରକାର ସହ ଯୋଗାଯୋଗ କରିନାହାନ୍ତି। ଏଣେ ଓଡ଼ିଶା ସରକାର ସ୍ବେଚ୍ଛାକୃତ ଭାବେ  ୩୦୦ କୋଟି ଟଙ୍କା ସହିତ ଏହି ରେଳ ପ୍ରକଳ୍ପ ପାଇଁ ମାଗଣା ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ବୋଲି କହି ବିଜେଡି ସ୍ପ‌ଷ୍ଟୀକରଣ ଦେଇଥିଲା। ନିର୍ବାଚନ ସରିବା ପରେ ଏହି ପ୍ରକଳ୍ପ ନେଇ କେହି ମୁହଁ ଫିଟାଇ ନାହାନ୍ତି। ତେଣୁ ଏହି ପ୍ରକଳ୍ପର ଗତି ଠଉରାଇବା ପାଇଁ ଲୋକେ ରେଳ ବଜେଟ୍‌ ଉପ‌େର ନଜର ରଖିଥିଲେ। ବଜେଟ୍‌ରେ ଏହାର କିଛି ପ୍ରତିଫଳନ ନ ଥିବାରୁ ୨୦୨୪ ସାଧାରଣ ନିର୍ବାଚନରେ ଏହାକୁ ନେଇ ପୁଣି କେନ୍ଦ୍ର ଓ ରାଜ୍ୟ ସରକାର ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳିବ।

ଗତବର୍ଷ ଏହି ୧୪୨ କିଲୋମିଟର୍‌ ପ୍ରସ୍ତାବିତ  ରେଳ ଲାଇନ୍‌ ପାଇଁ  କେନ୍ଦ୍ର ରେଲୱେ ବୋର୍ଡ ନୀତିଗତ ମଂଜୁରୀ ପ୍ରଦାନ କରିଥିଲା। ତେଣୁ ଏଥର ପ୍ରକଳ୍ପ ପାଇଁ ପୁନର୍ବାର ଚୂଡ଼ାନ୍ତ ସର୍ଭେ ଏବଂ ଅର୍ଥ ମଂଜୁର ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା। ୨୦୧୮ଏପ୍ରିଲ ମାସରେ ପୂର୍ବତଟ ରେଳବାଇ ଉପମୁଖ୍ୟ ପ୍ରବନ୍ଧକ (ପରିଚାଳନା) ଉଭୟ ବରଗଡ଼ ଏବଂ ନୂଅାପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରସ୍ତାବିତ ରେଳ ଲାଇନ୍‌ର  ଟ୍ରାଫିକ୍‌ ସଂପର୍କିତ ତଥ୍ୟ ଦାଖଲ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେତିକିରେ ହିଁ ଏହି ପ୍ରକଳ୍ପ ଠପ୍‌ ହୋଇପଡ଼ିଥିଲା। ସଦ୍ୟ ଭାବେ ୨୦୧୮-୨୦୧୯ ମସିହ‌ାରେ ମଧ୍ୟ ସର୍ଭେ ସଂପାଦିତ ହୋଇଥିଲା। ହେଲେ ଏହି ୧୪୨ କିମି ବିଶିଷ୍ଟ ପ୍ରସ୍ତାବିତ ରେଳପ୍ରକଳ୍ପ ଆଗକୁ ବଢ଼ି ପାରିନଥିଲା। କିନ୍ତୁ ଏହି ପ୍ରକଳ୍ପକୁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ପରି‌ଷଦ (ଓଆର୍‌ଆଇଡିଏଲ୍‌) ଚିହ୍ନଟ କରିଥିଲା। ଓଡ଼ିଶା ସରକାରଙ୍କ ୫୧ ପ୍ରତିଶତ ଓ ରେଳ ମନ୍ତ୍ରଣାଳୟର ୪୯ ପ୍ରତିଶତ ଅଂଶୀଦାରିରେ ଏହି ପ୍ରକଳ୍ପ ଆଗକୁ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ପୂର୍ବରୁ ଓଡ଼ିଶା ସରକାର ଜମି ଅଧିଗ୍ରହଣ ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ତେଣୁ ବଜେଟ୍‌ରେ ଏହାର ନାମଗନ୍ଧ ନଥିବାରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭାଗ୍ୟ ପୁଣି ଝୁଲି ରହିଛି।