ଦଶପଲ୍ଲା ବ୍ଲକ୍‌ରେ ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର : ଶ୍ରେଣୀଗୃହ ଅଭାବରୁ ବିପଦସଂକୁଳ ଭାବେ ଶିଶୁଙ୍କୁ ଭଙ୍ଗା ଘର ଓ ଗଛମୂଳେ ବସାଇ ପଢ଼ାଯାଉଛି ପାଠ

ଦଶପଲ୍ଲା : ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ସହ ଶିକ୍ଷାଦାନ କ୍ଷେତ୍ରରେ ଆବଶ୍ୟକ ଶ୍ରେଣୀଗୃହ ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧୀନସ୍ଥ ଦଶପଲ୍ଲା ବ୍ଲକ୍‌ରେ ଅବସ୍ଥିତ ଅନେକ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ବି ନିଜସ୍ୱ ଶ୍ରେଣୀଗୃହର ଅଭାବ ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀଙ୍କ ଖିଆଲି ମନୋଭାବକୁ ନେଇ କୁନିକୁନି କୋମଳମତି ଶିଶୁଙ୍କୁ ବିପଦ ମଧ୍ୟକୁ ଠେଲି ଦିଆଯାଉଥିବା ଭଳି ଘଟଣା ଦେଖିବାକୁ ମିଳୁଛି। କେଉଁଠି ବିପଦସଂକୁଳ ଗୃହରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର ତ ପୁଣି କେଉଁଠି ଗଛମୂଳ, ବାରଣ୍ତା ଓ ରାସ୍ତା ଉପରେ। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

କିଛି ଦିନ ତଳେ ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ପଞ୍ଚାୟତର ଫାଲପାଜୁ ଅଙ୍ଗନବାଡି କେନ୍ଦ୍ରରେ ଶ୍ରେଣୀଗୃହ ନଥିବା ହେତୁ କୋମଳମତି ଶିଶୁମାନେ ରାସ୍ତାରେ ବସି ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଆଦିବାସୀ ବହୁଳ ଦୁଡ଼ା ପଞ୍ଚାୟତର ଗାଡିଆପଡା ଅଙ୍ଗନବାଡ଼ି କେନ୍ଦ୍ରରେ ଶ୍ରେଣୀଗୃହ ନଥିବା ହେତୁ ବିପଦସଂକୁଳ ଭାବେ ଶିଶୁଙ୍କୁ ଭଙ୍ଗା ଘର ଓ ଗଛମୂଳେ ବସାଇ ପାଠ ପଢ଼ାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଅଭିଯୋଗ ଆଣିଛନ୍ତି ସରପଂଚ ଲୋକନାଥ ନାୟକ। ତାଙ୍କ କହିବା ଅନୁଯାୟୀ ପଞ୍ଚାୟତର ଗାଡିଆପଡା ସମେତ ଜରକିବାଡ଼ି, କନଡ଼ି, ଗୋଛାବାରୀ ଓ ଭାଲିଆପଦର ଅଙ୍ଗନବାଡ଼ି କେନ୍ଦ୍ରର ଶ୍ରେଣୀଗୃହ ନାହିଁ। ଜରକିବାଡ଼ି ଓ ଭାଲିଆପଦର କେନ୍ଦ୍ରର ପିଲାମାନେ ବାରଣ୍ତା ଓ ଗଛମୂଳେ ବସୁଥିବା ବେଳେ କନଡ଼ି ଓ ଗୋଛାବାରୀ କେନ୍ଦ୍ରର ପିଲାମାନେ ଚାଳଘରେ ବସି ପାଠ ପଢୁଛନ୍ତି। ଏହାକୁ ନେଇ ସେ ୨୦୧୭ ମସିହାରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ସମେତ ପଞ୍ଚାୟତ ସମିତି ବୈଠକରେ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି। ମାତ୍ର ଏଥିପ୍ରତି କୌଣସି ଗୁରୁତ୍ୱ ଦିଆଯାଉନଥିବା ଦ୍ୱାରା ପିଲାମାନେ ବିପଦସଂକୁଳ ଭାବେ କେତେବେଳେ କାହା ବାରଣ୍ତା ତ କେତେବେଳେ ଗଛମୂଳରେ ବସି ପାଠପଢୁଥିବା ସେ କହିଛନ୍ତି। ତେବେ ଖୁବ୍‌ଶୀଘ୍ର ଏସବୁ କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ କରିବା ପାଇଁ ସେ ଦାବି କରିଛନ୍ତି। ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ ତେବେ ଖୁବ୍‌ଶୀଘ୍ର ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର