ଭୁବନେଶ୍ୱର: ଆସନ୍ତାକାଲି ଗ୍ରୀନ ଜୋନରେ ଗଡ଼ିବ ନାହିଁ ବସ | ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପ୍ରସଙ୍ଗ ରେ ଆଜି ବସ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା | ଏହି ବୈଠକରେ ଆସନ୍ତାକାଲି ଗ୍ରୀନ ଜୋନ ଓ ଅରେଞ୍ଜ ଜୋନରେ ବସ ଚାଲିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି | ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଗାଡି ଚଳାଇବା ସମ୍ଭବ ନଥିବାବେଳେ ୫୦ % ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହଁ ବୋଲି ଘରୋଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯାଇଛି |
ବୈଠକର ନିଷ୍ପତ୍ତି ବାବଦରେ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ମଧ୍ୟରେ ରେଡ ଜୋନ ଜିଲ୍ଲା ଆସୁଥିବାରୁ ବସ ଚାଲିପାରିବ ନାହିଁ | ରାଜ୍ୟ ଘରୋଇ ବସ୍ ମାଲିକ୍ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ସରକାରଙ୍କ ନୂଆ ନିୟମ ଅନୁସାରେ ବସ୍ ରୁଟ୍ ଚଳାଚଳ ନେଇ ସମସ୍ୟା ସୃଷ୍ଟି ହେବ। ୫୦ ସିଟ୍ ବିଶିଷ୍ଟ ଗୋଟିଏ ବସ୍ରେ ୨୫ଜଣ ଯାତ୍ରୀଙ୍କୁ ନେବାର ନିୟମ ରହିଛି।
ତେବେ ଯେଉଁ ରୁଟ୍ରେ ଏହି ବସ୍ଟି ଯିବ ସେସବୁ ଅଞ୍ଚଳରେ ଅପେକ୍ଷାରତ ଯାତ୍ରୀମାନେ ବସ୍ରେ ଯିବା ପାଇଁ ଚାହିଁବେ। ଏହାକୁ ବିରୋଧ କଲେ ସେଠାରେ ଗଣ୍ଡଗୋଳ ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକଙ୍କ ଚାପରେ ଅଧିକ ସଂଖ୍ୟାରେ ଯାତ୍ରୀ ଆଣିଲେ ଚେକିଂ ସମୟରେ ଧରାପଡ଼ିବା ସହିତ ଜରିମାନା ମଧ୍ୟ ଭରିବାକୁ ହେବ। ମାତ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏତିକି ଯାତ୍ରୀରେ ବସ୍ର ତେଲ ଖର୍ଚ୍ଚ ଉଠିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଏଠାରେ ସୂଚନା ଥାଉ କି ରେଡ୍ ଜୋନ୍ରେ ଯାଜପୁର, ଭଦ୍ରକ, ବାଲେଶ୍ବର ଆସୁଥିବାବେଳେ ଅରେଞ୍ଜ ଜୋନ୍ରେ ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢ଼େଙ୍କାନାଳ ଓ କଳାହାଣ୍ଡି ଥିବାବେଳେ ଗ୍ରୀନ୍ ଜୋନ୍ରେ ଅବଶିଷ୍ଟ ଜିଲ୍ଲା ଆସୁଛନ୍ତି |