ବେପାର ନାହିଁ, ବଗିଚାରେ ସଢ଼ୁଛି ଆମ୍ବ

ରାମଚନ୍ଦ୍ରପୁର : ରଜ ପୂର୍ବରୁ ବଗିଚାରେ ଲାଗିଥାଏ ବେପାରୀଙ୍କ ଭିଡ଼। ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ବେପାରୀ ଆସି ନେଇଯାଆନ୍ତି ଟ୍ରିପ୍‌ଟ୍ରିପ୍‌ ଆମ୍ବ। ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଗାଡ଼ିମୋଟର, ହାଟବଜାର ସବୁ ବନ୍ଦ। ଆସୁନାହାନ୍ତି ବେପାରୀ। ବଗିଚାରେ ସଢ଼ୁଛି କୁଇଣ୍ଟାଲ କୁଇଣ୍ଟାଲ ଆମ୍ବ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଘସିପୁରା ବ୍ଲକ୍‌ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ବୋହୂଗଡ଼ିଆ ଗ୍ରାମରେ।

ଗ୍ରାମର ବୀରବର ଦାସ ଉଦ୍ୟାନ ବିଭାଗରୁ ଅବସର ନେବା ପରେ ନିଜର ୨୦ ଏକରରୁ ଊର୍ଦ୍ଧ୍ବ ଜମିରେ ଆମ୍ବ, କାଜୁ, ପଣସ ଗଛ ଲଗାଇଛନ୍ତି। ତାଙ୍କ ବଗିଚାରେ ଦଶେରି, ଆମ୍ରପଲ୍ଲୀ, ମଲ୍ଲିକା, ବାଇଗଣପଲ୍ଲୀ, ହେମସାଗର ଆଦି କିସମର ଆମ୍ବ ଫଳୁଛି। ବୀରବର ବର୍ଷକୁ ଦେଢ଼ଶହରୁ ଦୁଇଶହ କୁଇଣ୍ଟାଲ ପର୍ଯ୍ୟନ୍ତ ଆମ୍ବ ଉତ୍ପାଦନ କରିଥାନ୍ତି। ଚଳିତ ବର୍ଷ ବାତ୍ୟା ‘ୟାସ୍‌’ ପ୍ରଭାବରେ ୩୦ରୁ ୪୦ କୁଇଣ୍ଟାଲ ଆମ୍ବ ନଷ୍ଟ ହୋଇଗଲା। କରୋନା କଟକଣା ପାଇଁ ବେପାରୀ ଆସୁନଥିବାରୁ ଆମ୍ବ ବିକ୍ରି ହୋଇପାରୁନି। ପାଖଆଖ ଗ୍ରାମରୁ ଲୋକେ ଆସି ୨୦ରୁ ୩୦ ଟଙ୍କା ଦରରେ ଆମ୍ବ କିଣି ନେଉଛନ୍ତି। ଏଥର ପ୍ରାୟ ୪୦ କୁଇଣ୍ଟାଲ ଆମ୍ବ ବିକ୍ରି ହୋଇଥିବା ବେଳେ ବଗିଚାରେ ଆହୁରି ଶହେ କୁଇଣ୍ଟାଲ ଆମ୍ବ ରହିଛି। ସରକାରଙ୍କ ପକ୍ଷରୁ ଆମ୍ବ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର କିମ୍ବା ବିକ୍ରି ବ୍ୟବସ୍ଥା କରାଗଲେ ଚାଷୀ ଲାଭବାନ ହୁଅନ୍ତେ ବୋଲି ବୀରବର କହିଛନ୍ତି।

ସମ୍ବନ୍ଧିତ ଖବର