ପୁରୀ: ଚେକିଂ କଡ଼ାକଡ଼ି ହେଉଛି। ମୋଟା ଅଙ୍କର ଜରିମାନା ବି ଆଦାୟ ହେଉଛି। ହେଲେ ଅମାନିଆଙ୍କୁ ଫରକ ପଡ଼ୁନାହିଁ। ବାରମ୍ବାର ଭୁଲ ଦୋହରାଉଛନ୍ତି। ଓଭରଲୋଡିଂକୁ ନିଷିଦ୍ଧ ଘୋଷଣା ହୋଇଛି, କିନ୍ତୁ ଆଇନ ଭାଙ୍ଗୁଥିବା ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗତ ୩ ତାରିଖରେ ଏକ ଡାଲା ଅଟୋରେ ଏକକାଳୀନ ୨୩ ଜଣ ଶ୍ରମିକ କାମ କରିବାକୁ ଯିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା। ଏଥିରେ୨୦ ଜଣ ଗୁରୁତର ଆହତ ହେଲେ। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଗଲା। କିନ୍ତୁ ଏହି ଘଟଣା ସତ୍ତ୍ବେ ଚେତା ପଶୁନାହିଁ। ଗାଡ଼ିରେ ଅତି ବିପଜ୍ଜନକ ଭାବେ ଯାତ୍ରୀ ପରିବହନ କରାଯାଉଥିବାର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି।
ଗତ କିଛିଦିନ ତଳେ ସଦରଥାନା ଅଧୀନ ଚାରିଶ୍ରୀସ୍ଥିତ ଷଣ୍ଢବଜାରରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଉଭୟ ବାଇକ୍ରେ ତିନି ଜଣ ବସି ଯାତ୍ରା କରିବା କାଳ ହୋଇଥିଲା। ମେରାଇନ୍ ଡ୍ରାଇଭ୍ ରୋଡ୍ରେ ଅଟୋରେ ଓଭରଲୋଡିଂ ଯୋଗୁ ଅକାଳରେ ଦୁଇଟି ଜୀବନ ଦୀପ ଲିଭିଯାଇଥିଲା। ଅଠରନଳା ନିକଟରେ ମଧ୍ୟ ଓଭରଲୋଡିଂ ଯୋଗୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ବାରମ୍ବାର ଓଭରଲୋଡିଂ ଅନେକଙ୍କ ଜୀବନ ନେଉଛି। କେବଳ ଗାଡ଼ିରେ ବସିଥିବା ବ୍ୟକ୍ତିମାନେ ଆହତ କିମ୍ବା ମୃତାହତ ହେଉନାହାଁନ୍ତି, ବରଂ ସଡ଼କ ନିୟମ ମାନି ଗାଡ଼ି ଚଳାଉଥିବା ବ୍ୟକ୍ତି ମଧ୍ୟ ଅନ୍ୟର ଭୁଲ ପାଇଁ ମୃତ୍ୟୁବରଣ କରୁଛି ନଚେତ୍ ପଙ୍ଗୁ ହୋଇ ଯାଉଛନ୍ତି।
ଅଧିକ ଅର୍ଥ କମାଇବା ଲାଳସାରେ ଯାତ୍ରୀ ଓ ଶ୍ରମିକଙ୍କ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି ଗାଡ଼ି ମାଲିକ/ଚାଳକ। ଷ୍ଟେସନ ଓ ବସଷ୍ଟାଣ୍ଡରୁ ଚଳାଚଳ କରୁଥିବା କିଛି ଅଟୋଚାଳକ ବିପଦସଙ୍କୁଳ ଅବସ୍ଥାରେ ଅଧିକ ଯାତ୍ରୀଙ୍କୁ ନେଇ ବଡ଼ଦାଣ୍ଡରେ ଚଳାଚଳ କରୁଛନ୍ତି। ଡାଲା ଅଟୋ ଓ ଟ୍ରାକ୍ଟରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଟୋରେ ଚାଳକଙ୍କୁ ମିଶାଇ ୫ ଜଣ ବସିବାର ନିୟମ ଥିଲେ ହେଁ ଅଧିକାଂଶ ସମୟରେ ୮ରୁ ୧୦ ଜଣଙ୍କୁ ନେଇ ଅଟୋଗୁଡ଼ିକ ଚଳାଚଳ କରୁଛି। ୨୦୨୧ ମସିହାରେ ପୁରୀରେ ୩୨ଟି ଦୁର୍ଘଟଣା ଘଟିଥିବା ବେଳେ ୯୬ ଜଣ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କେବଳ ଓଭରଲୋଡିଂ ଯୋଗୁ ୧୪ ପ୍ରତିଶତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତଥାପି ଯାତ୍ରୀ ପରିବହନ କରୁଥିବା ଗାଡ଼ିଚାଳକମାନେ ଚେତୁନାହାନ୍ତି। ଏଥିପାଇଁ ଉଚ୍ଚ ଅଙ୍କର ଜରିମାନା ରହିଥିଲେ ହେଁ ପ୍ରଶାସନିକ ସ୍ତରରେ କୋହଳ ମନୋଭାବ ଯୋଗୁ ଏହା ଗାଡ଼ି ଚାଳକଙ୍କ ଉପରେ ପ୍ରଭାବ ପକାଇପାରୁନାହିଁ। ଏନେଇ ଜିଲ୍ଲା ପରିବହନ ଅଧିକାରୀ ରବିନ ପଟ୍ଟନାୟକ କହିଛନ୍ତି, ଅଟୋ ଓ ଅନ୍ୟ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଓଭରଲୋଡିଂ କଲେ ୫ହଜାର ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ବ୍ୟବସ୍ଥା ରହିଛି। ଟ୍ରାଫିକ ଉଲ୍ଲଘଂନକାରୀ ଓ ଓଭରଲୋଡିଂ ଉପରେ କଡ଼ା ନଜର ରଖାଯାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।