ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍ ଅଧୀନ ପାହାଡ଼ିଆ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଚଳିତ ବର୍ଷ ବର୍ଷା ଅନିୟମିତତା ଯୋଗୁ କୂଅ, ପୋଖରୀ, ନାଳ ଶୁଖିଲା ପଡ଼ିଥିବା ଜଣାପଡ଼ିଛି। ଫଳରେ ଉକ୍ତ ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ହେଲାଣି। ସୂଚନାଯୋଗ୍ୟ, ବ୍ଲକ୍ ଅଧୀନ ସିଂଘାପଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସମ୍ବରବିନ୍ଧା ଗ୍ରାମରେ ପାନୀୟଜଳର ଘୋର ଅଭାବ ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ବସବାସ କରୁଥିବା ପ୍ରାୟ ୬୦ରୁ ଊର୍ଦ୍ଧ୍ବ ପରିବାରଙ୍କ ପାଇଁ ବର୍ତ୍ତମାନ ପାନୀୟ ଜଳ ମୁଖ୍ୟ ସମସ୍ୟା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମରେ ଗୋଟିଏ ପଥର କୂଅ ଏବଂ ଦୁଇଟି ନଳକୂଅ ଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ହେଉନଥିବା ଜଣାପଡ଼ିଛି। ନଳକୂପରୁ ଠିକରେ ପାଣି ବାହାରୁନଥିବା ବେଳେ ପଥର କୂଅଟିରୁ ଜଳସ୍ତର ତଳକୁ ପଳେଇଥିବା ଜଣାଯାଇଛି। ଗୋଟିଏ କୂଅରୁ ସମସ୍ତ ପରିବାର ପାଣି ବ୍ୟବହାର କରିବା ଯୋଗୁ ସେଥିରୁ ପଙ୍କମିଶା ପାଣି ବାହାରିଥାଏ। ଫଳରେ ଗ୍ରାମବାସୀ ଦୂଷିତ ଜଳ ପାନ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଗ୍ରାମରେ ଏକ ବୋରିଂ କରି ସୋଲାର ପ୍ରକଳ୍ପ ମାଧ୍ୟମରେ ପାନୀୟଜଳ ଯୋଗାଇ ଦେଲେ ଗ୍ରାମବାସୀ ଉତ୍କଟ ଜଳ ଅଭାବ ସମସ୍ୟାରୁ ମୁକ୍ତି ପାଆନ୍ତେ। ଏହାଛଡା ପଞ୍ଚାୟତ ତରଫରୁ ପୁରୁଣା କୂଅରୁ ପଙ୍କ ଉଦ୍ଧାର କରାଗଲେ ଲୋକମାନେ ସ୍ୱଚ୍ଛ ପାନୀୟଜଳ ମୁନ୍ଦେ ପାଇପାରନ୍ତେ।
ସେହିପରି ଭାବେ କୋସ୍କା ପଞ୍ଚାୟତ ଅନ୍ତର୍ଗତ ରାଇମ୍ବା ଗ୍ରାମରେ ବସବାସ କରୁଥିବା ୧୫ଟି ପରିବାର ପାନୀୟ ଜଳ ଯୋଗୁ ହଇରାଣ ହରକତ ହେଉଥିବା କହିଛନ୍ତି। ଗ୍ରାମରେ ଗୋଟିଏ କୂଅ ଏବଂ ନଳକୂପ ରହିଥିବା ଜଣାପଡ଼ିଛି। ମାତ୍ର ଏହି ଅଞ୍ଚଳଟି ଢିପ ହୋଇଥିବାରୁ ଏଠାରେ ଥିବା କୂଅ ଏବଂ ନଳକୂପରୁ ଖୁବ୍ଶୀଘ୍ର ପାଣି ତଳକୁ ଖସି ଯାଉଛି। ଫଳରେ ଲୋକମାନେ ପାଣି ଟୋପେ ପାଇଁ ପଡ଼ୋଶୀ ଗ୍ରାମକୁ ଯିବାକୁ ପଡୁଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ସେଠାରେ ଏକ ଗଭୀର ନୂତନ ନଳକୂପ ଖନନ କରାଗଲେ ଗ୍ରାମବାସୀ ଉପକୃତ ହୁଅନ୍ତେ। ତେବେ ଏ ସମସ୍ୟାର ସମାଧାନ ପାଇଁ ବ୍ଲକ୍ ପ୍ରଶାସନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/naya-1.jpg)