ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ସ୍ପଷ୍ଟଚିତ୍ର ନାହିଁ: କମିସନଙ୍କ କାର୍ଯ୍ୟାଳୟରେ ଖତ ଖାଉଛି ସତ୍ୟପାଠ

ତଦନ୍ତକାରୀ ସଂସ୍ଥା ଦେଉ ନାହାନ୍ତି ଫାଇନାଲ ଚାର୍ଜସିଟ

କଟକ : ୨୦୧୩ ମସିହାରୁ ୨୦୨୧; ଦୀର୍ଘ ୮ବର୍ଷ ପରେ ବି ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ସରକାରଙ୍କ ନିକଟରେ କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଇତିମଧ୍ୟରେ, ଚିଟ୍‌ଫଣ୍ଡ ପାଇଁ ଗଠନ ହୋଇଥିବା ତଦନ୍ତ କମିସନ ବି ବନ୍ଦ ହୋଇସାରିଲାଣି। ମାତ୍ର, ଏହାର ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇନାହିଁ।

ଏ ନେଇ ବିଧାନସଭା‌ରେ ନିଜେ ଅର୍ଥମନ୍ତ୍ରୀ ସ୍ବୀକାର କରିଛନ୍ତି। ଟଙ୍କା ଫେରସ୍ତ ତ ଦୂରର କଥା ଜମାକାରୀମାନେ ଯେଉଁ ସତ୍ୟପାଠ ସବୁ ଦାଖଲ କରିଥିଲେ, ତାକୁ ମଧ୍ୟ ଚିହ୍ନଟ କରାଯାଉନାହିଁ। ‌ଜମାକାରୀଙ୍କ ସତ୍ୟପାଠ ଗୁଡିକ କମିସନଙ୍କ କାର୍ଯ୍ୟାଳୟ ବାହାରେ ଖତ ଖାଉଥିବା ଦେଖିବାକୁ ମିଳିଛି।

ଗତ ୨୨.୩.୨୦୨୧ରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭାରେ ପଚାରିଥିବା ପ୍ରଶ୍ନ ଓ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଦେଇଥିବା ଉତ୍ତରରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ କେତେ ସମ୍ବେଦନ ସେ କଥା ସ୍ପଷ୍ଟ ବାରି ହୋଇଯାଇଛି। ଖଣ୍ଡପଡା ବିଧାୟକ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ କି, କେଉଁ ଚିଟଫଣ୍ଡ ସଂସ୍ଥା ମୋଟ କେତେ ଟଙ୍କା ଠକି ନେଇଛନ୍ତି? ସଂପୃକ୍ତ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ମୋଟ କେତେ ମୂଲ୍ୟର ସମ୍ପତ୍ତି ଜବତ‌ ହୋଇଛି? ସେ ସବୁ ସମ୍ପତ୍ତିକୁ ନିଲାମ କରି ସରକାର ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ କେଉଁ ପଦକ୍ଷେପ ତ୍ବରାନିତ୍ବ କରୁଛନ୍ତି? ସେ ସଂପର୍କରେ ସବିଶେଷ ସୂଚନା ଦେବାକୁ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ।

ତେବେ ଏ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଯେଉଁ ଉତ୍ତର ରଖିଥିଲେ ତାହା ଅତ୍ୟନ୍ତ ନିରାଶଜନକ ଥିଲା। ଅର୍ଥମନ୍ତ୍ରୀ ଉତ୍ତରରେ ଜଷ୍ଟିସ ମଦନ ମୋହନ ଦାସ ତଦନ୍ତ କମିସନ ଚୂଡାନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ସରକାରଙ୍କ ହସ୍ତଗତ ହୋଇନାହିଁ, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା, ଜିଲ୍ଲା ପୁଲିସ ଅଧିକାରୀ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛନ୍ତି, ତେଣୁ ବେଆଇନ ଆର୍ଥିକ ପ୍ରତିଷ୍ଠାନଗୁଡିକର ନାମ, ସେମାନେ ଠକିଥିବା ମୋଟ ଟଙ୍କାର ପରିମାଣ ଏବଂ ଉକ୍ତ ବେଆଇନ ଆର୍ଥିକ ସଂସ୍ଥାଗୁଡିକର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ କେତେ ତାହା ଆକଳନ କରି‌ହେବ ନାହିଁ ବୋଲି ଉତ୍ତର ରଖିଥିଲେ। ଅଦ୍ୟାବଧି ୫୯ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ୭୬ଟି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଅନ୍ତରୀଣ କୋରଖ ଆଦେଶ ଦେଇଥିବା କଥା ଉତ୍ତରରେ ଉଲ୍ଲେଖ କରିଥିଲେ।
ଏଭଳି ଉତ୍ତର ଜମାକରୀଙ୍କୁ ନିରାଶ କରିବା ସହିତ ୧୫ଲକ୍ଷ ଜମାକାରୀଙ୍କ ଆଶାକୁ ଧୂଳିସାତ୍‌ କରିଦେଇଛି। ଗତ ୨୦୨୦ ମାର୍ଚ୍ଚରୁ ଜଷ୍ଟିସ ଏମ.ଏମ. ଦାସ କମିସନଙ୍କ କାର୍ଯ୍ୟାଳୟ ବନ୍ଦ ହୋଇଥିଲା। ମାତ୍ର ବର୍ଷକ ପ‌ରେ ବି ସରକାର ଏ ନେଇ ସଂପୂର୍ଣ୍ଣ ତଥ୍ୟ ପାଇନଥିବା ଉତ୍ତରରେ ଉଲ୍ଲେଖ କରିଥିଲେ। ଏଭଳି ସ୍ବୀକ‌ାରୋକ୍ତି ରାଜ୍ୟର ୧୫ଲକ୍ଷ ଜମାକରୀଙ୍କ ପ୍ରତି ବିଶ୍ବାସଘାତ ବୋଲି ମତ ରଖିଛନ୍ତି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଂଚର ରାଜ୍ୟ ସଂପାଦକ ମଧୁସୂଦନ ବିଶ୍ବାଳ ।

ଅନ୍ୟପଟେ ‌ଚିହ୍ନଟ ଜମାକାରୀଙ୍କ ପାଇଁ ଆସୁଥିବା ଟଙ୍କାକୁ ଫେରାଇ ଦିଆଯାଉଛି। ଏହାକୁ ନେଇ ତହସିଲସ୍ତରରେ ନିଯୁକ୍ତ ଅଧିକାରୀ ତତ୍ପରତା ଦେଖାଉ ନାହାନ୍ତି। ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଜମାକାରୀଙ୍କ ଟଙ୍କା ଲୁଟି ନେଇଥିବା ସଂସ୍ଥା ଗୁଡିକ ମାମଲାକୁ କୋହଳ କରିବା, ସ୍ଥିତାବସ୍ଥା ବଜାୟ ପାଇଁ ଆଇନଗତ ପ୍ରତିବନ୍ଧକ ଲଗାଇବା‌ରେ ସଫଳ ହେଉଛନ୍ତି। ସେପଟେ, କମିସନଙ୍କ କାର୍ଯ୍ୟାଳୟ ବନ୍ଦ ହେବା‌ପରେ ଏଠାରେ ଥିବା ଯନ୍ତ୍ରପାତି ବି ନଷ୍ଟ ହେଲାଣି। ଏ ନେଇ ଦାଖଲ ହୋଇଥିବା ଶତାଧିକ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା( ଇଓଡବ୍ଲୁ), ସବିଆଇ, ଜିଲ୍ଲା ପୁଲିସ ମଧ୍ୟ ଏ ସମସ୍ତ ମାମଲାର ଫାଇନାଲ୍ ଚାର୍ଜସିଟ୍ ଦେଉ ନାହାନ୍ତି। ଏଭଳି ସ୍ଥିତିରେ ଚିହ୍ନଟ ହୋଇଥିବା ୫ଲ କ୍ଷ ଜମାକାରୀ ଓ ଚିହ୍ନଟ ହୋଇନଥିବା ଅବଶିଷ୍ଟ ୧୦ଲକ୍ଷ ଜମାକାରୀଙ୍କ ସହିତ ପ୍ରତାରଣା କରାଯାଇଥିବା ନେଇ ଶ୍ରୀ ବିଶ୍ବାଳ ଅଭିଯୋଗ କରିଛନ୍ତି। ଏଭଳି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଭବିଷ୍ୟତରେ ଜମାକାରୀମାନେ ଟଙ୍କା ଫେରି ପାଇବାର ସମ୍ଭାବନା କ୍ଷୀଣ ହୋଇଯାଉଛି।

ସମ୍ବନ୍ଧିତ ଖବର