ଘୁ.ଉଦୟଗିରି (ସମୀର ପାଢ଼ୀ): ଦେଶ ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଏହିଭଳି ଅନେକ ଗାଁ ଅଛି, ଯେଉଁଠିକାର ଲୋକମାନେ ଆଜି ବି ଜଙ୍ଗଲୀ ଜୀବନ ଯାପନ କରୁଛନ୍ତି। ନା ଗାଁକୁ ଅଛି ରାସ୍ତା ନା ପିଇବା ପାଇଁ ମିଳୁଛି ବିଶୁଦ୍ଧ ପାନୀୟ ଜଳ। ଗାଁକୁ ଚାଲିକି ଯିବାକୁ ମଧ୍ୟ ଭଲ ରାସ୍ତାଟିଏ ନାହିଁ` ସେଇଭଳି ଏକ ଗାଁ ହେଉଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ସୁଗଡ଼ବାଡି ପଞ୍ଚାୟତ ର ରେଢାବାଲି ଗାଁ। ଏହି ଗାଁ ଲୋକଙ୍କ ଦୁର୍ଦ୍ଦଶା ନିଜ ଆଖିରେ ନ ଦେଖିଲେ ଜାଣିପାରିବେନି। ଏହିଭଳି ଦୃଶ୍ୟ ଦେଖିଲେ ଭାବିଲେ ଯେ ଆମ ଦେଶ କେତେ ଆଗେଇଛି। ଆମେ ୫ଜି, ଚନ୍ଦ୍ରାୟନ, ମୋ ସରକାର, ମୋ ବସ, ସବୁ ପଞ୍ଚାୟତକୁ ବସ ସେବା କଥା କହୁଥିବା ବେଳେ ରେଢାବାଲି ଗାଁର ଚିତ୍ର ଦେଖିଲେ ସବୁ ଯୋଜନା ଯେମିତି ଫ୍ୟୁଜ ହେଲା ଭଳି ଅନୁଭବ ହେଉଛି। ଯେଉଁ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ।
ସୁଗଡ଼ବାଡି ପଞ୍ଚାୟତର ୫ନଂ ୱାର୍ଡର ଏହି ଗାଁ ମୁଖ୍ୟ ରାସ୍ତା ଠାରୁ ୩କିମି ଦୂରରେ ଅବସ୍ଥିତ ମୁଖ୍ୟ ରାସ୍ତା ଠାରୁ ରେଢ଼ାବାଲି ଗାଁ ପର୍ଯ୍ୟନ୍ତ ଘାଟି ଯେଉଁ ରାସ୍ତାରେ କୌଣସି ଗାଡି ମଟର ଯାତାୟତ କରିପାରେନି ଚାଲିକି ଯିବା ବି ଅସମ୍ଭବ କିନ୍ତୁ ଏହି ଗାଁ ଲୋକଙ୍କ ନିତିଦିନିଆ ରାସ୍ତା ଏବଂ ଏକ ମାତ୍ର ଭରସା ଏହି ପାହାଡିଆ ରାସ୍ତା। ଗାଁକୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ବାବୁଙ୍କ ପାଦ ପଡିନି। ଗ୍ରାମବାସୀ ଏହି ରାସ୍ତା ନିର୍ମାଣ ନିମନ୍ତେ ବାରମ୍ବାର ଲିଖିତ ଭାବେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଜଣେଇବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନି। ରୋଗୀଙ୍କୁ ଏବଂ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ଆଣିବା ନିମନ୍ତେ ଦୋଳା ଏକ ମାତ୍ର ଭରଷା ଥିବା ବେଳେ ମାସିକ ରାସନ ହେଉ କି ଭତ୍ତା ଆଣିବା ନିମନ୍ତେ ବୟୋବୃଦ୍ଧ, ବୃଦ୍ଧା ଏବଂ ଭିନ୍ନକ୍ଷମମାନେ ବହୁ କଷ୍ଟରେ ଏହି ରାସ୍ତାରେ ତିନି କିମି ଚାଲି ଚାଲି ଯାଉଛନ୍ତି।
ଅନ୍ୟପକ୍ଷରେ ଚାଉଳ ଆଣିବା ପାଇଁ ଵୃଦ୍ଧବୃଦ୍ଧା ମାନେ ମାତ୍ର କିଛି ଚାଉଳ ଆଣିବା ପାଇଁ ମୂଲ ଦେଇ ଲୋକକୁ ଲଗେଇ ନିଜ ଚାଉଳ ଆଣୁଥିବା କହିଛନ୍ତି ଗ୍ରାମବାସୀ। ସେଇଭଳି ଏହି ଗାଁରେ ପାନୀୟ ଜଳର କୌଣସି ସୁବିଧା ନାହିଁ। ଗାଁ ପାଖ ଚୁଆରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଗାଁରେ ଥିବା ଏକ ମାତ୍ର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ଗାର ପିଲାମାନେ ପ୍ରତ୍ୟକ ଦିନ ସୁଗଡ଼ବାଡି ବିଦ୍ୟାଳୟକୁ ପଢିବା ନିମନ୍ତେ ଆସୁଥିବା ଏବଂ ଦୈନିକ ୩କିମି ପାହାଡ଼ ରାସ୍ତାରେ ଆସି ପୁଣି ୩କିମି ଘରକୁ ଫେଉଛନ୍ତି। ଏହି ୱାର୍ଡର ୱାର୍ଡ ମେମ୍ବର ଖ୍ରୀଷ୍ଟଦାଶ ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଛନ୍ତି ମୁଁ ସବୁବେଳେ ରାସ୍ତା ନିର୍ମାଣ ନିମନ୍ତେ ପଞ୍ଚାୟତ ବୈଠକରେ କହୁଛି ଲିଖିତ ଭାବେ ସମସ୍ତଙ୍କୁ ଜଣେଇଛି ହେଲେ କେହି ଶୁଣୁନାହାନ୍ତି।
ପ୍ରଶାନ୍ତ ପ୍ରଧାନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଆମେ କଣ ଏହି ଭାରତର ନାଗରିକ ନୁହଁ କି? ଆମ ମୌଳିକ ଅଧିକାରରୁ ଆମକୁ ବଞ୍ଚିତ କରାଯାଉଛି କାହିଁକି? ପୂଜାଶ୍ରୀ ମଲିକ କହିଛନ୍ତି ଆମେ ବହୁ ଯନ୍ତ୍ରଣା ସହିଲୁଣି ଆଉ ନୁହଁ ଆମେ ଆମ ଗାଁର ୬ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ନିଷ୍ପ୍ରଭ ନେଇଛୁ ୨୦୨୪ସାଧାରଣ ନିର୍ବାଚନ ପୂର୍ବରୁ ଆମ ଗାଁ ରାସ୍ତା ନିର୍ମାଣ ନ ହେଲେ ଆମେ ଭୋଟ ବର୍ଜନ କରିବୁ। ରୁନିମା ପ୍ରଧାନ କହିଛନ୍ତି ଆମେ ଏତେ କଷ୍ଟ ଦାୟକ ଜୀବନ କାହିଁକି ବଞ୍ଚିବୁ ଗର୍ଭବତୀ ମା ମାନଙ୍କୁ ଏମିତି କେତେ ଦିନ ଦୋଳାରେ ବୋହିବୁ ବେଳେ ବେଳେ ଅଧାରାସ୍ତାରେ ଜଙ୍ଗଲରେ ଛୁଆ ଜନ୍ମ କରୁଛନ୍ତି। ମା’ ମାନେ କେତେ ରୋଗୀ ଜୀବନ ହାରୁଛନ୍ତି ଭୋଟ ସମୟରେ ଖାଲି ପ୍ରତିଶ୍ରୁତି ମିଳୁଛି ତାପରେ ସବୁ ଭୁଲିଯାଉଛନ୍ତି। ଆଉ ସହିବୁନି ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଯିବୁ ଆମ ହକ ପାଇଁ। ସରକାରଙ୍କ ପ୍ରଚାର ପ୍ରସାର ଜୋର ପ୍ରକୃତ ସମସ୍ୟା କୁଣ୍ଡୁ ରେଢ଼ାବାଲି ଗାଁକୁ ଗଲେ ଜାଣି ପାରିବେ ପ୍ରକୃତରେ ଲୋକ କେତେ ଅସୁବିଧାରେ ଅଛନ୍ତି। ପ୍ରଚାର ପ୍ରସାର ଛାଡ଼ି ଯଦି ନେତା ପ୍ରଶାସନିକ ଅଧିକାରୀ ଏହିଭଳି ଗାଁକୁ ଯାଇ ଗାଁର ବିକାଶ କଲେ ପ୍ରକୃତ ବିକାଶ ହୋଇଛି ବୋଲି ଜାଣିପାରିବା।