ଧାନକ୍ଷେତ ପୋଡ଼ିଥିବା ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ମିଳିବନି ଫସଲ କ୍ଷତିପୂରଣ- କୃଷିମନ୍ତ୍ରୀ ଡା. ଦାମୋଦର ରାଉତ

ଭୁବନେଶ୍ୱର: ବରଗଡ଼ର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣା ପରେ ଫସଲହାନୀ କ୍ଷତିପୂରଣ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଜିଲ୍ଲାପାଳଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ କହିଛନ୍ତି ଯେ ଚାଷୀ ବୃନ୍ଦାବନ ସାହୁ ତାଙ୍କ ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିବାରୁ ତାଙ୍କୁ କୌଣସି କ୍ଷତିପୂରଣ ମିଳିବ ନାହିଁ। ଡା. ରାଉତଙ୍କ ଏହି ବୟାନ ପରେ ବରଗଡ଼ ଚାଷୀ ମୃତ୍ୟୁ ନେଇ ସରକାରଙ୍କ ଅଭିମୁଖ୍ୟକୁ ବିରୋଧୀ ଦଳମାନେ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ଗତ ୩୧ ତାରିଖ ଦିନ ବରଗଡ଼ ବ୍ଲକ କଳାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁ ନିଜ ଧାନ କ୍ଷେତରେ ନିଆଁ ଲଗାଇ ଦେବା ସହିତ କୀଟନାଶକ ଖାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ନେଇ ରାଜ୍ୟ ସରକାରଙ୍କୁ ଚାଷୀ, ରାଜନୈତକ ନେତୃବୃନ୍ଦ ଓ ବୁଦ୍ଧିଜୀବୀ ସମାଲୋଚନା କରିଥିବା ବେଳେ ଧାନ କ୍ଷେତ ପୋଡ଼ି ଦେବା ଯାହା ଶ୍ରୀ ସାହୁ ଆରମ୍ଭ କରିଥିଲେ ତାହା ଏବେ ଏକ ଧାରାରେ ପରିଣତ ହୋଇଛି। କ୍ରପ୍‌ କଟିଂ ରିପାର୍ଟ ଆସି ନ ଥିବାରୁ ନିଜ ଧାନ କ୍ଷେତରେ ନିଆଁ ନ ଲଗାଇବାକୁ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଅନୁରୋଧ କରିବା ସତ୍ତ୍ୱେ ପ୍ରତିଦିନ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଧାନ କ୍ଷେତ ପୋଡ଼ା ଯାଉଥିବା ରିପୋର୍ଟ ଆସୁଛି। ଏହି ପରି ଏକ ସମୟରେ ଆଜି ବରଗଡ଼ ଜିଲ୍ଲାପାଳ ଫସଲ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଘଟଣାର ତଦନ୍ତ କରୁଥିବା ତିନିଜଣିଆ କମିଟିର ରିପୋର୍ଟ ଆଧାରରେ ଜିଲ୍ଲାପାଳ ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି।

ଏ ସମ୍ପର୍କରେ କୃଷି ମନ୍ତ୍ରୀ ଡା.ରାଉତ କହିଛନ୍ତି ଜିଲ୍ଲାପାଳ ଯେଉଁ ରିପୋର୍ଟ ଦେଇଛନ୍ତି , ତାହା ଚାଷୀ ଆତ୍ମହତ୍ୟା ସମ୍ପର୍କିତ ନୁହେଁ, ଏହା ଫସଲ କ୍ଷୟକ୍ଷତି ସମ୍ପର୍କିତ। ତେବେ ମୃତ ଚାଷୀ ବୃନ୍ଦାବନ ସାହୁ ନିଜ ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି ଡା. ରାଉତ କହିବା ସହିତ ଯେଉଁ ଚାଷୀମାନେ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତ,ସେମାନେ ସମସ୍ତେ ସରକାରୀ ସହାୟତା/ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବ ବୋଲି ଡା.ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର