ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅନାସ୍ଥା ଆଣାଯାଇଛି। ଅନାସ୍ଥା ପ୍ରସ୍ତାବ ପାଇଁ କଂଗ୍ରେସ ବିଜେଡ଼ିର ସମର୍ଥନ ଲୋଡ଼ିଛି।
ବିଜେଡି ସମର୍ଥନ ନେଇ ବିଧାୟକ ପ୍ରତାପ ଦେବଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ। ସେ କହିଲେ ସନ୍ଧ୍ୟା ୫ଟାରେ ବିଜେଡିର ବୈଠକ ଅଛି। ସେଠି ଏକଥା ଆଲୋଚନା କରି ଆମକୁ ନିଷ୍ପତ୍ତି ଜଣାଇବେ।
ବିଜେଡିର ସମର୍ଥନ ଯୋଗାଡ଼ ଲାଗି କଂଗ୍ରେସ ବିଧାୟକ ଦଳ ନେତା ଏବଂ ବିଧାୟକ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ବରରେ ପହଞ୍ଚିଛନ୍ତି। ଅନାସ୍ଥା ପ୍ରସ୍ତାବ ନେଇ ପାଖରେ ୧୫ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ନେତା ଦାବି କରିଛନ୍ତି ।
କଂଗ୍ରେସର ଅନାସ୍ଥା ପ୍ରସଙ୍ଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ବିଜେଡି ସହ କଂଗ୍ରେସ ନେତା ଏନେଇ ଆଲୋଚନା କରି ନାହାନ୍ତି। ଆମେ ଆମ ପ୍ରସଙ୍ଗ ଉଠାଇବୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେପି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଅନାସ୍ଥା ଆଣି କଂଗ୍ରେସ ଲୋକହସା ହେବ । ବିଧାନସଭାରେ ଆବଶ୍ୟକ ସଂଖ୍ୟା ନଥାଇ ଅନାସ୍ଥା ଆଣିବା କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଏକ ଷ୍ଟଣ୍ଟ ବୋଲି ସେ କହିଛନ୍ତି। କଂଗ୍ରେସ ଅନାସ୍ଥା ଆଣିବା ଘଟଣାକୁ ନେଇ ସେ କହିଛନ୍ତି ‘ଜଗତେ କେବଳ ଜନେ ହସିବେ’।
ୱାନ ଟେନ୍ ସଂଖ୍ୟା ଥାଇ ଅନାସ୍ଥା ଆଣିବା ଚାଇନା ସହ ଶ୍ରୀଲଙ୍କା ଏବଂ ଭାରତ ସହ ବାଂଲାଦେଶ ସହ ଯୁଦ୍ଧ ହେବା ଭଳି କଥା। ଅନାସ୍ଥା ପ୍ରସ୍ତାବ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ତାପରେ ବି ଯଦି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ତେବେ କେବଳ ନିଜେ ହିଁ ଲୋକ ହସା ହେବା ଛଡ଼ା ଆଉ କିଛି ହେବ ନାହିଁ ବୋଲି ବାବୁ ସିଂ କହିଛନ୍ତି।