ଝୁଲାଇ ରଖିଲେ ନବୀନ

ଭୁବନେଶ୍ୱର : ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିଲେ, ବିଜେଡି କି ଆଭିମୁଖ୍ୟ ରଖିବ? ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ସମର୍ଥନ କରିବ? ବିରୋଧୀ ମେଣ୍ଟରେ ରହି ଅନାସ୍ଥା ସପକ୍ଷରେ ଭୋଟ ଦେବ? ନା ଭୋଟ ବେଳେ ଅନୁପସ୍ଥିତ ରହିବ?

ଏହାକୁ ନେଇ ତମାମ ଦେଶରେ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସେ ସଂପର୍କିତ ରହସ୍ୟ ଉପରୁ ପରଦା ହଟାଇବାକୁ ଚାହୁଁନାହାନ୍ତି। ବରଂ ରାଜନୈତିକ ଦଳ ସମେତ ରାଜ୍ୟବାସୀଙ୍କୁ ମଧ୍ୟ ଝୁଲାଇ ରଖିଛନ୍ତି।

ଆଜି ନୂଆଦିଲ୍ଲୀରେ ସାଂସଦ କଲିକେଶ ସିଂହଦେଓ ଗଣମାଧ୍ୟମକୁ କହିଥିଲେ ଯେ ପ୍ରଥମେ ଅନାସ୍ଥା ପ୍ରସ୍ତାବ ଆସୁ। ତା ପରେ ବିଜେଡି ରଣନୀତି ସଂପର୍କରେ ଜଣାଇବ। ଏପଟେ ଆଜି ବିଜେଡି ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଉଭୟ ଉପା ଓ ଏନଡିଏ ସରକାର ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ପୂରଣ କରିନାହାନ୍ତି। ଆମକୁ ଅବହେଳା କରାଯାଇଛି। ଲୋକସଭାରେ ବିଜେଡି ତାର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ନବୀନ କହିଥିଲେ।

ଉଲ୍ଲେଖଥାଉକି, ସଂସଦରେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଫୋନ୍‌ କରିବାର କେଇ କ୍ଷଣ ମଧ୍ୟରେ ନବୀନ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ଏନ୍‌ଡିଏରୁ ଦୂରେଇ ରହିଥିଲେ। କିଛି ପ୍ରମୁଖ ବିଲ୍‌ରେ ବିଜେଡି କେନ୍ଦ୍ରକୁ ସମର୍ଥନ କରିଛି। ସଂସଦରେ ବିଜେଡି ତଲାକ୍‌ ଆଦି ବିଲ୍‌ରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଆଭିମୁଖ୍ୟକୁ ନାପସନ୍ଦ କରିବାକୁ ପଛଘୁଞ୍ଚା ଦେଇନାହିଁ ଓ ଏ କ୍ଷେତ୍ରରେ ସଂଶୋଧନ ଆଣିବା ଲାଗି ପ୍ରସ୍ତାବ ଦେଇଛି। ଆଗକୁ ନିର୍ବାଚନ ଥିବାରୁ ସ୍ୱାଭାବିକ ଭାବେ ବିଜେଡି ରଣନୀତି ଉପରେ ସମସ୍ତଙ୍କ ନଜର ରହିବ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ବିରୋଧରେ ଏକାଠି ହେବା ଲାଗି ତେଲଗୁ ଦେଶମ୍‌ ପାର୍ଟି ଏବେ ସବୁ ଆଞ୍ଚଳିକ ଦଳକୁ ନିବେଦନ କରିଛି। ୪ବର୍ଷ ଧରି କେନ୍ଦ୍ରରେ କ୍ଷମତା ସହିତ ରହିବା ପରେ ଟିଡିପିର ଏଭଳି ରଣନୀତିକୁ ବିଜେଡି ଗ୍ରହଣ କରିବ କି ନାହିଁ, ତାହା ଉପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ତର୍ଜମା ଚାଲିଛି। କାରଣ କେନ୍ଦ୍ର ସହିତ ସଂପର୍କ ରଖି ଟିଡିପି ପୋଲାଭରମ୍‌ ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଝଟ୍‌କା ଦେଇଥିଲା। ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଅର୍ଥ ଅଜାଡି ଦେଇଥିଲେ ଓ ଓଡ଼ିଶାର ଦାବିକୁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ଅଣଦେଖା କରିଥିଲେ। ଏବେ ପୁଣି ନିଜ ସ୍ୱାର୍ଥ ପାଇଁ ଟିଡିପି ଅନ୍ୟ ରାଜନେତିକ ଦଳ, ବିଶେଷକରି ଆଞ୍ଚଳିକ ଦଳକୁ ସାଙ୍ଗରେ ନେବାକୁ ଚାହୁଁଛି।

ସେହିଭଳି ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କ ମଧ୍ୟରେ ବୈଠକ ହୋଇଛି। ପରେ ଶ୍ରୀ ରାଓ କହିଛନ୍ତି ଯେ ଆଜି ଫେଡେରାଲ ମେଣ୍ଟ ଗଠନର ମୂଳଦୁଆ ପଡିଲା। ବିଜେପି ଓ କଂଗ୍ରେସ ଠାରୁ ଏହି ମେଣ୍ଟ ସମଦୂରତ୍ୱ ଅବଲମ୍ବନ କରିବ ବୋଲି କୁହାଯାଇଛି। ଯେହେତୁ ପୂର୍ବରୁ ମମତା-ନବୀନଙ୍କ ମଧ୍ୟରେ କଥାବାର୍ତା ହୋଇଥିଲା ଓ ବିଜେଡି ମଧ୍ୟ ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ଦୂରରେ ରହିବ ବୋଲି ଘୋଷଣା କରିଛି, ଏ କ୍ଷେତ୍ରରେ ବିଜେଡି କି ଆଭିମୁଖ୍ୟ ରଖିବ, ତାହାକୁ ରାଜନୈତିକ ମହଲରେ ଅପେକ୍ଷା ରଖୁଛନ୍ତି। ଲୋକସଭାରେ ବିଜେଡିର ୨୦ ଜଣ ସାଂସଦ ଅଛନ୍ତି।

ସମ୍ବନ୍ଧିତ ଖବର