ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ସୁରମା ପାଢ଼ୀ ଗ୍ରହଣ କରିନାହାନ୍ତି। ନିୟମ ଅନୁଯାୟୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ନୋଟିସ୍ ଦେବା କଥା। କିନ୍ତୁ ନିର୍ଦ୍ଧାରିତ ସମୟରେ ଗୃହରେ ଅନାସ୍ଥା ନୋଟିସ୍ ଅଣାଯାଇ ନଥିବାରୁ ବାଚସ୍ପତି ତାହାକୁ ନାକଚ କରିଦେଇଛନ୍ତି। ଅନାସ୍ଥା ନାକଚ ହେଲା ପରେ କଂଗ୍ରେସ ସଭ୍ୟମାନେ ପ୍ରତିବାଦରେ ଗୃହ କାର୍ଯ୍ୟ ବର୍ଜନ କରିଥିଲେ। ତେବେ ବିଜେଡି ସଭ୍ୟମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ଆଜି ପୂର୍ବାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ିଆସିଲେ। ପଞ୍ଚାୟତିରାଜ ପ୍ରତିନିଧିଙ୍କ କ୍ଷମତା ହ୍ରାସର ପ୍ରତିବାଦ କରି ନାରାବାଜି କରିଥିଲେ। ‘ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ କୁଠାରାଘାତ ଚଳିବ ନାହିଁ...’, ‘ଗଣତନ୍ତ୍ର ବିରୋଧୀ ଶାସନ ଚଳିବ ନାହିଁ...’ ଆଦି ଲେଖାଥିବା ପ୍ଲାକାର୍ଡ ଓ ବ୍ୟାନର ପ୍ରଦର୍ଶନ କରିଥିଲେ। ‘ମୋହନ ମାଝୀ ଡାଉନ୍ ଡାଉନ୍...’ ନାରାରେ ଗୃହ କମ୍ପିଥିଲା। ଏହି ସମୟରେ କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହେଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସେଥିରେ ଲେଖାଥିଲା,‘ବିଜେଡି-ବିଜେପି ଭାଇ-ଭାଇ, ବିଧାନସଭା ଚଳାଇ ଦିଅନ୍ତି ନାହିଁ’, ‘ବିଜେଡି-ବିଜେପି ଭାଇ-ଭାଇ, ଅନାସ୍ଥା ପ୍ରସ୍ତାବ ଆଣନ୍ତି ନାହିଁ’।
ବାଚସ୍ପତି ବିଜେଡି ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଶୁଣି ନଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। ମାତ୍ର ୭ ମିନିଟ୍ରେ ଗୃହର ପ୍ରଥମାର୍ଦ୍ଧ କାର୍ଯ୍ୟ ସୀମିତ ରହିଥିଲା। ଏହା ପରେ କଂଗ୍ରେସ ବିଧାୟକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଅପରାହ୍ଣ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ସୁରମା ପାଢୀ ବିଲ୍ ଓ ପେପର୍ ଉପସ୍ଥାପନ ପାଇଁ ମନ୍ତ୍ରୀମାନଙ୍କୁ ଡାକିଥିଲେ। ମନ୍ତ୍ରୀମାନେ ପେପର ଉପସ୍ଥାପନ କରୁଥିଲା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପଏଣ୍ଟ୍ ଅଫ୍ ଅର୍ଡର୍ ଜରିଆରେ କହିବା ପାଇଁ ଠିଆ ହେଲେ।
ପ୍ରଥମାର୍ଦ୍ଧରେ ଗୃହ ଅଚଳ
କଂଗ୍ରେସ ସଭ୍ୟଙ୍କ ପ୍ରତିବାଦ, କକ୍ଷତ୍ୟାଗ
ଗୃହ କାର୍ଯ୍ୟରେ ବିଜେଡି ସହଯୋଗ କଲା
ବାଚସ୍ପତି ତାଙ୍କୁ ସୁଯୋଗ ଦେଇଥିଲେ। ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ କି ନିଷ୍ପତ୍ତି ହେଲା ବୋଲି ପଚାରିଥିଲେ। ବାଚସ୍ପତି କହିଥିଲେ, ଗତ ୧୮ ତାରିଖ ୧୨ ଟା ୪୭ରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ଅନ୍ୟ ୧୪ ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ୍ ଦେଇଥିଲେ। ତାହା ପରଦିନ ଅର୍ଥାତ୍ ୧୯ ତାରିଖ ଦିନ ଏହାକୁ ଗୃହରେ ଆଣିବା ପାଇଁ କହିଥିଲି। ଉକ୍ତ ଦିନ ଗୃହ ସ୍ୱାଭାବିକ ହୋଇପାରୁ ନ ଥିବାରୁ ଅନାସ୍ଥା ପ୍ରସ୍ତାବ ଗୃହରେ ଅଣାଯାଇପାରି ନଥିଲା। ସଂସଦୀୟ ପରମ୍ପରା ଅନୁଯାୟୀ ସେହିଦିନ ଗୃହ ମୁଲତବୀ ହେବା ପୂର୍ବରୁ ଉକ୍ତ ପ୍ରସ୍ତାବ ଅଣାଯାଇଥା’ନ୍ତା। ତେଣୁ ଉକ୍ତ ନୋଟିସ ଗୃହରେ ଅଣାଯାଇପାରି ନ ଥିବାରୁ ତାହାର ସମୟ ଅବଧି ସରିଯାଇଛି। ଉକ୍ତ ନୋଟିସ୍ଟି ଖାରଜ ହୋଇଯାଇଛି ବୋଲି ବାଚସ୍ପତି କହିଥିଲେ।
ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସିଥିଲେ। ଆମର ସଂଖ୍ୟା କମ୍ ବୋଲି ଏପରି କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ନାରା ଦେଇଥିଲେ। ଏହା ପରେ ସେମାନେ କକ୍ଷତ୍ୟାଗ କରିଥିଲେ। ତେବେ ଅପରାହ୍ଣରେ ବିଜେଡି ସଭ୍ୟମାନେ ଗୃହ ମଧ୍ୟଭାଗକୁ ଯାଇ ନଥିଲେ। ଏହି ଅଧିବେଶନରେ ବିଜେଡିର ବିଚିତ୍ର ରଣନୀତି ଚର୍ଚ୍ଚାର ବିଷୟ ହୋଇଛି। ଗତ ସପ୍ତାହରେ ତିନି ଦିନ ବିଜେଡି ବିଧାନସଭାରେ ହୋହଲ୍ଲା କଲା। ସବୁ ଆଲୋଚନା ବାତିଲ୍ କରି ସାର ସଙ୍କଟ ବିଷୟରେ ଆଲୋଚନା ପାଇଁ ବିଜେଡି ଦାବି କରିଥିଲା। ଏହି ଦାବି ପୂରଣ ନ ହେବାରୁ ଦଳର ବିଧାୟକମାନେ ହୋହଲ୍ଲା କରି ଗୃହ ଅଚଳ କରିଦେଲେ। ଆଜି ସକାଳୁ ବିଜେଡିର ପ୍ରସଙ୍ଗ ବଦଳିଯାଇଥିଲା। ପଞ୍ଚାୟତିରାଜ ପ୍ରତିନିଧିଙ୍କ କ୍ଷମତା ହ୍ରାସର ପ୍ରତିବାଦରେ ଦଳର ବିଧାୟକମାନେ ନାରାବାଜି କରିଥିଲେ। ସେଥି ପାଇଁ ପୂର୍ବାହ୍ଣରେ ଗୃହ କାର୍ଯ୍ୟ ହୋଇପାରି ନଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଅପରାହ୍ଣରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ନାକଚ ହେଲା ପରେ ବିଜେଡି ବିଧାୟକମାନେ ଗୃହ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କଲେ। ଆଲୋଚନାରେ ଭାଗ ନେଲେ। ବିଜେଡିର ଦାବି ମୁତାବକ ନା ସାର ପ୍ରସଙ୍ଗରେ ଆଲୋଚନା ହୋଇଛି ନା ପଞ୍ଚାୟତିରାଜ ପ୍ରତିନିଧିଙ୍କ କ୍ଷମତା ଫେରିଛି। ତାହା ସତ୍ତ୍ବେ ବିଜେଡି ସୁରୁଖୁରୁରେ ଗୃହ କାର୍ଯ୍ୟରେ ସହଯୋଗ କରିଛି। କେବଳ କଂଗ୍ରେସର ଅନାସ୍ଥା ନାକଚକୁ ବିଜେଡି ଅପେକ୍ଷା କରିଥିଲା କି ବୋଲି ରାଜନୈତିକ ମହଲରେ ପ୍ରଶ୍ନ ଉଠୁଛି।