ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜନଶୁଣାଣି କରିବାକୁ ଯାଇଥିବା ଅନୁସୂଚିତ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କୁ ଅଟକାଇବା ସହ ତାଙ୍କ ବିରୋଧରେ ଯେପରି ନାରାବାଜି କରାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଏସ୍ଟି କମିସନ ସଦସ୍ୟ ଶ୍ରୀ ନାୟକଙ୍କୁ ପ୍ରାୟୋଜିତ ବିରୋଧ ପଛରେ କିଏ? କାଞ୍ଜିପାଣି ଥାନା ଠାରୁ ୧୦୦ମିଟର ଦୂରରେ ଘଟଣା ଘଟିବା ଓ ପୂର୍ବରୁ ଅନୁମତି ନ ନେଇ ଏତେ ଲୋକ ରୁଣ୍ଡ ହେବା ପୁଲିସ ବିଭାଗ କେମିତି ଜାଣିପାରିଲାନି? ଗତକାଲି ଘଟିଯାଇଥିବା ଅଭାବନୀୟ ଘଟଣା ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ପୁଲିସ୍ଙ୍କ ଭୂମିକା ସନ୍ଦେହ ଘେରରେ ବୋଲି କହିବା ସହିତ ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।
ପ୍ରଶାସନ ବିରୋଧରେ ସ୍ଥାନୀୟ ଆଦିବାସୀ ଲୋକଙ୍କ ବାରମ୍ବାର ଅଭିଯୋଗ କାରଣରୁ ଏସ୍ଟି କମିସନ ସଦସ୍ୟ ଅନନ୍ତ ନାୟକ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ସରକାର ଏବଂ ସ୍ଥାନୀୟ ପ୍ରଶାସନର ଅସଲ ମୁଖା ଖୋଲିଯିବା ଭୟରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଭଳି ଘଟଣା ଘଟାଇବାରେ ପ୍ରଚ୍ଛଦପଟର ନାୟକ ସାଜିଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ଜନଜାତି ସ୍ୱାର୍ଥ ବିରୋଧୀ କାର୍ଯ୍ୟରୁ ରାଜ୍ୟ ସରକାର ନିବୃତ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/mohan-majhi.jpg)