ଘୁ.ଉଦୟଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। କିନ୍ତୁ ଉକ୍ତ ଅନୁଦାନକୁ ପ୍ରଶାସନ ବିନିଯୋଗ କରିପାରୁ ନାହିଁ। ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ଶିବ ମନ୍ଦିର ନିକଟରେ ଥିବା ଅର୍ଦ୍ଧନିର୍ମିତ ଗ୍ରାମୀଣ ପାର୍କ ନିର୍ମାଣ ନିମନ୍ତେ ୨୦୧୮-୧୯ ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ଏମଜିଏନଆରଜିଏରେ ୫ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନେଇ ପାର୍କ ଚାରିପାଖ ପାଚେରୀ ନିର୍ମାଣ ସହ ସୂଚନା ଫଳକ ଲେଖାଯାଇ ଥିଲା। କିନ୍ତୁ ଆଜକୁ ୫ବର୍ଷ ବିତିଗଲାଣି ହେଲେ ଉକ୍ତ କାର୍ଯ୍ୟଟି ଆଗକୁ ବଢ଼ିପାରୁ ନାହିଁ। ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲେ ମଧ୍ୟ କାଗଜକଲମରେ ଉପରିସ୍ଥ ଅଧିକାରୀଙ୍କୁ ସନ୍ତୁଷ୍ଟ କରୁଛନ୍ତି ପ୍ରଶାସନିକ ଅଧିକାରୀ।
କଳିଙ୍ଗା ଗ୍ରାମପଞ୍ଚାୟତର ଶିବ ମନ୍ଦିର ନିକଟରେ ଥିବା ଅର୍ଦ୍ଧନିର୍ମିତ ଗ୍ରାମୀଣ ପାର୍କର ଚାରିପାଖେ ଲଟାବୁଦା ହେବା ସହିତ ଗାଈଗୋରୁ ଚରୁ ଥିବା ଦେଖିବାକୁ ମିଳୁଛି ଓ ଅଳ୍ପ କିଛି କରାଯାଇଥିବା କାର୍ଯ୍ୟ ମଧ୍ୟ ନଷ୍ଟ ହେବା ଦେଖିବାକୁ ମିଳୁଛି। ପ୍ରଶ୍ନ ଉଠୁଛି ଯଦି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇ ଆସିଲା କାର୍ଯ୍ୟ ଆରମ୍ଭ ହେଲା ତାହାହେଲେ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଲା କାହିଁକି? ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଦାୟୀ କିଏ? ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ପ୍ରଶାସନ ବିଫଳ କି? ଅସମ୍ପୂର୍ଣ୍ଣ ହୋଇ ଦୀର୍ଘ ଦିନ ହେଲା ପଡିରହିଥିବା କାର୍ଯ୍ୟ ଗୁଡିକ ବିଷୟରେ ଉଛପଦାଧିକାରୀମାନେ ତର୍ଜମା କରୁନାହାନ୍ତି କାହିଁକି? ଏ ଅସମ୍ପୂର୍ଣ୍ଣ ପ୍ରକଳ୍ପଟିକୁ ସମ୍ପୂର୍ଣ କରିବା ନିମନ୍ତେ କାଲିଙ୍ଗାବାସୀ ଦାବି କରୁଛନ୍ତି।
କଳିଙ୍ଗା ଗ୍ରାମପଞ୍ଚାୟତର ଶିବ ମନ୍ଦିର ନିକଟରେ ଥିବା ଅର୍ଦ୍ଧନିର୍ମିତ ଗ୍ରାମୀଣ ପାର୍କ ଉପରେ ଗତ ଜାନୁଆରି ୨ତାରିଖ ଦିନ ଖବରକାଗଜ ‘ସମ୍ବାଦ’ରେ ପ୍ରକାଶ ରିପୋର୍ଟ ପ୍ରକାଶ ପାଇବା ପରେ କିଛି ସମାଜସେବୀ ସାମାଜିକ ଗଣମାଧ୍ୟମରେ ‘ଏକ୍ସ’ କରି ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ ଓ କନ୍ଧମାଳ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଉପରସ୍ଥ ଅଧିକାରୀମାନେ କାର୍ଯ୍ୟ କ’ଣ ହୋଇଛି ଜାଣିବାକୁ ଘୁ.ଉଦୟଗିରି ବିଡ଼ିଓଙ୍କୁ ଚିଠି ଲେଖିଥିଲେ। ଗତ ୫ ତାରିଖ ବିଡ଼ିଓ ଏହାର ଉତ୍ତର ରଖିଥିଲେ। ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ, କଳିଙ୍ଗା ଗ୍ରାମୀଣ ପାର୍କ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପାର୍କ ଭିତର ଏବଂ ବାହାର ସଫେଇ କାର୍ଯ୍ୟ ଚାଲିଛି।
ପ୍ରକୃତରେ ଏହି ପାର୍କର କାର୍ଯ୍ୟ ପୂର୍ବରୁ ଯେମିତି ଅଧାପନ୍ତରିଆ ହୋଇ ରହିଥିଲା ସେମିତି ଆଜି ବି ରହିଛି କୌଣସି କାମ ଆରମ୍ଭ ହୋଇନି। ପ୍ରଶ୍ନ ଉଠୁଛି ଅର୍ଧନିର୍ମିତ ପାର୍କ କାମ ଆରମ୍ଭ ନ କରି କିଭଳି ଉପର ଅଧିକାରୀ (ଅତିରିକ୍ତ ଜିଲ୍ଲାପାଳ)ଙ୍କୁ ଚିଠି ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଗଲାଣି ବୋଲି ଲେଖୁଛନ୍ତି ବିଡ଼ିଓ ମହାଶୟ? ଏହିଭଳି ପ୍ରଶ୍ନ କରୁଛନ୍ତି କଳିଙ୍ଗାବାସୀ।