ପୁରୀ: ଅବଢ଼ା ଦରରେ ରହୁନି ନିୟନ୍ତ୍ରଣ

ପୁରୀ : ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ କରିବା ପରେ ଆଡ଼ପ ଅବଢ଼ା ମହାପ୍ରସାଦ ଖାଇବାକୁ ଲୋକେ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି। ମାତ୍ର ଅବଢ଼ା ଦର ଶୁଣି ମନ ମରିଯାଉଛି। ଅବଢ଼ା ପାଇଁ ନିର୍ଦ୍ଦିଷ୍ଟ ଦର ତାଲିକା ପ୍ରସ୍ତୁତ ହୋଇନଥିବାରୁ ଭକ୍ତମାନଙ୍କୁ ଚଢ଼ା ଦରରେ ଅବଢ଼ା ବିକ୍ରି ହେଉଛି। ୪ ଜଣିଆ ପରିବାର ପାଇଁ ଅବଢ଼ା କିଣିଲେ ୫ଶହରୁ ୬ଶହ ଟଙ୍କା ଦାବି କରାଯାଉଛି। ଏପରିକି ୪ ଜଣଙ୍କ ପାଇଁ କେବଳ ଅବଢ଼ା ଓ ଡାଲମାର ଦର ୫ଶହ ଟଙ୍କା ବୋଲି କୁହାଯାଉଛି। ଫଳରେ ଗରିବ ଲୋକଟିଏ ଅବଢ଼ା ଖାଇବାକୁ ଇଚ୍ଛା କରୁଥିଲେ ବି ଦର ଶୁଣିବା ପରେ ଲେଉଟି ଆସିବାକୁ ବାଧ୍ୟ ହେଉଛି।

ଅବଢ଼ା ବିକ୍ରି ପାଇଁ ନୃସିଂହ ମନ୍ଦିର ସମ୍ମୁଖ ଓ ବସ୍‌ଷ୍ଟାଣ୍ଡ ନିକଟରେ ୨ଟି ଜାଗାରେ ଟୋକନ କାଉଣ୍ଟର ଖୋଲା ଯାଇଛି। ତେବେ କିଛି ବ୍ୟକ୍ତି ବିନା ଟୋକନରେ ଅବଢ଼ା ଯୋଗାଇ ଦେଉଛନ୍ତି। ସେମାନଙ୍କ ଯୁକ୍ତି ରହୁଛି ଟୋକନ୍‌ରେ ନେଲେ ଅଧଘଣ୍ଟା ଅପେକ୍ଷା କରିବ, ଆମଠୁ ନେଲେ ଟଙ୍କା ଦେବ ତ ଅବଢ଼ା ନେବ। ଏହା ଅବଢ଼ା କିଣିବାକୁ ଯାଉଥିବା ଭକ୍ତମାନଙ୍କୁ ବିଭ୍ରାନ୍ତିରେ ପକାଉଛି। ପ୍ରକୃତରେ ଅଧଘଣ୍ଟା ଅପେକ୍ଷା କରି ଟୋକନ୍‌ରେ ଅବଢ଼ା କିଣିବେ ନା ଯେଉଁମାନେ ବାହାରେ ମୂଲଚାଲ କରୁଛନ୍ତି ତାଙ୍କଠାରୁ ଭଲ ଅବଢ଼ା ପାଇବେ ସେନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି।

ସକାଳୁ ମିଳୁଥିବା ଅବଢ଼ା ଦର ଅପେକ୍ଷା ଉପରବେଳା ମିଳୁଥିବା ଅବଢ଼ା ଦର ମଧ୍ୟରେ ବହୁ ଫରକ ‌ରହୁଛି। ଗୋଟିଏ ପ୍ରକାର ଦର ରହୁନଥିବାରୁ ଯାହା ସେମାନଙ୍କ ପାଟିରୁ ବାହାରୁଛି ସେତିକି ଦର ଦେଇ ଅବଢ଼ା କିଣିବାକୁ ପଡ଼ୁଛି। ଫଳରେ ଇଚ୍ଛା ନଥାଇ ବି ‌ବେଳେବେଳେ ଭକ୍ତମାନେ ଅନ୍ୟ ବିକ୍ରେତାଙ୍କ ପାଖକୁ ଯାଇ ମୂଲଚାଲ କରୁଛନ୍ତି। ବିଶେଷକରି ଉପରବେଳା ଅବଢ଼ା ଦର ଉପରେ ନିୟନ୍ତ୍ରଣ ରହୁନାହିଁ। ୫ ଜଣିଆ ପରିବାରଟିଏ ଅବଢ଼ା ଖାଇବାକୁ ଇଚ୍ଛା କଲେ ତାକୁ ୭ଶହରୁ ୧ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ଜଣେ କି ଦୁଇଜଣ ଖାଇଲେ ୩ଶହରୁ କମ୍‌ ପଡ଼ୁନାହିଁ। ଫଳରେ ଅବଢ଼ା କିଣାକୁ ନେଇ ଆର୍ଥିକ ଶୋଷଣର ଶିକାର ହେଉଥିବା ନିଜେ ଭକ୍ତମାନେ ନିଜେ ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ ୨୦୧୮ ମସିହା ନଭେମ୍ବର ମାସରେ ଶ୍ରୀମନ୍ଦିରରେ ଅବଢ଼ା ଦର ଲାଗିବ ବୋଲି ନିଷ୍ପତ୍ତି ପୂର୍ବକ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପରୀକ୍ଷାମୂଳକ ପ୍ରଥମେ ନୃସିଂହ ମନ୍ଦିର ଓ ପରେ କୋଠଭୋଗରେ ଅବଢ଼ା ରୋଷେଇ କରି ଦର ଧାର୍ଯ୍ୟ କରାଯିବ ବୋଲି କୁହାଗଲା। ମାତ୍ର ବାରମ୍ବାର ବିବାଦର ସୂତ୍ରପାତ ହେଲା। କୋଠଭୋଗ ସୁଆରଙ୍କ ଅସହଯୋଗ ‌ଯୋଗୁ ଏହା ଅଟକି ଥିଲା। ଆପୋସବୁଝାମଣା ପରେ ସୁଆର ମହାସୁଆର ନିଯୋଗ ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରୀକ୍ଷାମୂଳକ ଭାବେ ବରାଦି ଅବଢ଼ା ରୋଷେଇ କରାଯାଇଥିଲା। ହେଲେ ଏ ଯୋଜନା ଫଳବତୀ ହେଲା ନାହିଁ। ଫଳରେ ଦୀର୍ଘଦିନ ଧରି ଅବଢ଼ା ଦର ତାଲିକା ଧାର୍ଯ୍ୟ ହୋଇପାରୁ ନଥିବାରୁ ଶ୍ରୀମନ୍ଦିର ଆନନ୍ଦବଜାରଠୁ ନେଇ ଆଡ଼ପ ଅବଢ଼ା କିଣିବା ବେଳେ ଭକ୍ତମାନଙ୍କୁ ନିରାଶ ହେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର