ଅଧପନ୍ତରିଆ ‘ସୋପାନ’ ଯୋଜନା: ଗର୍ଭବତୀଙ୍କୁ ମିଳୁନି ରନ୍ଧାଖାଦ୍ୟ

କିଶୋରୀ ବି ସାମିଲ ହୋଇପାରିଲେନି, ଜଟିଳ ହେଉଥିବା ରକ୍ତହୀନତାର ମୁକାବିଲା ହେବ କେମିତି?

ଭୁବନେଶ୍ବର : ରାଜ୍ୟରେ ସୋପାନ ଯୋଜନା କାର୍ଯ୍ୟକାରୀ ହେବା ପରେ ବି ପ୍ରସୂତି ଏବଂ ଗର୍ଭବତୀଙ୍କୁ ମିଳୁନି ରନ୍ଧା ଖାଦ୍ୟ। ଏପରିକି ୧୫ରୁ ୧୯ ବର୍ଷୀୟା କିଶୋରୀଙ୍କ ପାଇଁ ସାପ୍ତାହିକ ପୋଷଣଯୁକ୍ତ ଖାଦ୍ୟ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିଲାନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ମହିଳା ଏବଂ କିଶୋରୀଙ୍କ ମଧ୍ୟରେ ବଢୁଥିବା ରକ୍ତହୀନତାର ମୁକାବିଲା ନେଇ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଗମ୍ଭୀରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନ୍‌ଏଫ୍‌ଏଚ୍‌ଏସ୍‌ ରିପୋର୍ଟ-୨୦୧୫ ଅନୁଯାୟୀ, ରାଜ୍ୟର ୧୫ରୁ ୪୯ ବର୍ଷୀୟା ୫୧ ପ୍ରତିଶତ ଏବଂ ଗର୍ଭବତୀ ୪୭.୬ ପ୍ରତିଶତ ରକ୍ତହୀନତାର ଶିକାର ହୋଇଥିବା ଜଣାପଡ଼ିଥିଲା। ୨୦୧୯-୨୧ ରିପୋର୍ଟରେ ଏହି ପରିସଂଖ୍ୟାନ ବୃଦ୍ଧି ପାଇ ୧୫ରୁ ୪୯ ବର୍ଷୀୟା ୬୪.୩ ପ୍ରତିଶତ ଏବଂ ଗର୍ଭବତୀଙ୍କ ଠାରେ ୬୧.୮ ପ୍ରତିଶତ ରକ୍ତହୀନତା ଦେଖାଯାଇଥିଲା। ଆଇସିଡିଏସ୍‌ ଯୋଜନାରେ ବ୍ୟାପକ ଖର୍ଚ୍ଚ ସତ୍ତ୍ବେ ଏତେ ସଂଖ୍ୟକ ମହିଳା ରକ୍ତହୀନତାର ଶିକାର ହେବା ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଚିନ୍ତାଜନକ। ଏହାକୁ ଦୃଷ୍ଟିରେ ରଖି ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତୁତ ସୋପାନ ଯୋଜନାର ରୂପରେଖ ନୂତନ ଆଶା ସଞ୍ଚାର କରୁଥିଲା। ଏଥିଅନ୍ତର୍ଗତରେ ଗର୍ଭବତୀ ଏବଂ ପ୍ରସୂତିଙ୍କୁ ପୋଷଣଯୁକ୍ତ ରନ୍ଧା ଖାଦ୍ୟ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସଂକ୍ରାନ୍ତରେ ପ୍ରତି ହିତାଧିକାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ୯.୫୦ ପଇସା ଖର୍ଚ୍ଚ କରିବା ପାଇଁ ୨୦୨୧ ମସିହା ଫେବ୍ରୁଆରି ମାସରେ ବଜେଟ୍‌ ମଧ୍ୟ ଅନୁମୋଦିତ ହୋଇଥିଲା।

ଅଙ୍ଗନବାଡ଼ି କେନ୍ଦ୍ରରେ ରନ୍ଧା ଖାଦ୍ୟ ପ୍ରଦାନର ଯୋଗାଣର ଯୁକ୍ତି ହେଲା, ପିତୃତାନ୍ତ୍ରିକ ମାନସିକତା ସମ୍ପନ୍ନ ଓଡ଼ିଶାର ଅଧିକାଂଶ ପରିବାରରେ ପୁରୁଷଙ୍କୁ ଖାଦ୍ୟ ଦେବାକୁ ପ୍ରାଧାନ୍ୟ ଦିଆଯାଏ। ସରକାରଙ୍କ ପକ୍ଷରୁ ଗର୍ଭବତୀ ଏବଂ ପ୍ରସୂତିଙ୍କ ପାଇଁ ଶୁଖିଲା ଖାଦ୍ୟ ଦିଆଗଲେ ମଧ୍ୟ ଏହା ହିତାଧିକାରୀ ମହିଳାଙ୍କ ପାଖକୁ ପହଞ୍ଚି ପାରେନାହିଁ। ପରିବାରର ପୁରୁଷ ସଦସ୍ୟ କିମ୍ବା ଅନ୍ୟମାନଙ୍କ ପାଖକୁ ବାଣ୍ଟି ହୋଇଯାଏ। ବ୍ୟାପକ ଖର୍ଚ୍ଚ ସତ୍ତ୍ବେ ରକ୍ତହୀନତା ବୃଦ୍ଧି ଏହାର ପ୍ରମାଣ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ। କିନ୍ତୁ ଯୋଜନାର ମୂଳ ଉଦ୍ଦେଶ୍ୟ କାର୍ଯ୍ୟକାରୀ କରାଯାଉ ନାହିଁ। ବଜେଟ‌୍ ନିଅଣ୍ଟ ଅଭିଯୋଗ କରି ପ୍ରାଥମିକ ପର୍ଯ୍ୟାୟରେ ଅଙ୍ଗନବାଡ଼ି ସଂଘ ଏହାକୁ ବିରୋଧ କରିଥିଲେ। ଏହାର ସମାଧାନ ସ୍ବରୂପ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଏବଂ ସଂଘ ପକ୍ଷରୁ ଆଲୋଚନା କରାଯାଇ ସମାଧାନର ରାସ୍ତା ବାହାର କରାଯାଇଥିଲେ ମଧ୍ୟ ତାହା ଦ୍ବାରା ଲାଭ ହେଲାନି। ବର୍ତ୍ତମାନ ବି ହିତାଧିକାରୀଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି।

ସୋପାନ ଅନ୍ତର୍ଗତରେ ୧୫ରୁ ୧୯ ବର୍ଷୀୟା କିଶୋରୀଙ୍କ ପାଇଁ ସାପ୍ତାହିକ ପୋଷଣଯୁକ୍ତ ଖାଦ୍ୟ, ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ପାଇଁ କ୍ରେଚ୍‌, ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ଓଜନ ଉତ୍ସବ ମଧ୍ୟ କରାଯିବାର ଥିଲା। ତାହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। କେବେ କାର୍ଯ୍ୟକାରୀ ହେବ, ଏହା ମଧ୍ୟ ଅଧିକାରୀମାନେ ସ୍ପଷ୍ଟ କରୁନାହାନ୍ତି। ଚଳିତ ବର୍ଷ ଫେବ୍ରୁଆରି ମାସରେ ଯେଉଁ ୨୨ ଜିଲ୍ଲାର ୧୨୫ ବ୍ଲକ୍‌କୁ ସୋପାନରେ ସାମିଲ କରାଯାଇଛି, ସେଗୁଡ଼ିକ ହେଲା ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ୍‌ରୁ୨, ବଲାଙ୍ଗୀରର ୧୪ରୁ ୧୧, ବୌଦ୍ଧର ୩ରୁ୧, ଦେବଗଡ଼ର ୩ରୁ୧, ଗଜପତିର ସମସ୍ତ ୭ ବ୍ଲକ, ଗଞ୍ଜାମର ୨୨ରୁ୨, କଳାହାଣ୍ଡିର ୧୩ରୁ୯, କନ୍ଧମାଳର ୧୨ରୁ ୯, ମାଲକାନଗିରିର ସମସ୍ତ ୭ ବ୍ଲକ, ନବରଙ୍ଗପୁରର ସମସ୍ତ ୧୦ ବ୍ଲକ, ନୂଆପଡ଼ାର ସମସ୍ତ ୫ ବ୍ଲକ, ସମ୍ବଲପୁରର ୯ରୁ ୪, ସୋନପୁରର ୬ରୁ ୪, ଅନୁଗୁଳର ୮ରୁ ୩, ଢେଙ୍କାନାଳର ୮ରୁ ୨, ଯାଜପୁରର ୧୦ରୁ ୨, ଝାରସୁଗୁଡ଼ାର ୫ରୁ ୧, କେନ୍ଦୁଝରର ୧୩ରୁ ୭, କୋରାପୁଟର ସମସ୍ତ ୧୪ ବ୍ଲକ, ମୟୂରଭଞ୍ଜର ୨୬ରୁ ୭, ରାୟଗଡ଼ାର ୧୧ରୁ ୧୦, ସୁନ୍ଦରଗଡ଼ର ୧୭ରୁ ୭ ବ୍ଲକ୍‌ ରହିଛି। ବାକି ଜିଲ୍ଲାମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର