୫୦% କର୍ମଚାରୀରେ କାର୍ଯ୍ୟ କରିବାକୁ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି
ସବୁ କର୍ମଚାରୀ ଆସିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟ ସରକାର ଗୋଟିଏ। କିନ୍ତୁ ବିଭାଗ ଅନେକ। କେଉଁ ବିଭାଗ କ’ଣ କରୁଛି, ଆର ବିଭାଗ ଜାଣିପାରୁନି କି ବୁଝିପାରୁଛି। କରୋନା କଟକଣାକୁ ନେଇ ଗୋଟିଏ ବିଭାଗ କଟକଣା ଲଗାଇବା ବେଳେ ଆଉ ଗୋଟିଏ ବିଭାଗ କଟକଣା ହଟାଉଛି। ଏମିତି ଦେଖିବାକୁ ମିଳୁଛି ଉଚ୍ଚଶିକ୍ଷା ବିଭାଗରେ। ଅକ୍ଟୋବର ମାସରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଗତ ୩୦ ତାରିଖରେ ବିଜ୍ଞପ୍ତି ଜାରି କରିଛି। ଆଉ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି ସେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ। ଏଭଳି ବିଜ୍ଞପ୍ତିକୁ ନେଇ କର୍ମଚାରୀ ଦ୍ବନ୍ଦ୍ବରେ। କେଉଁ ବିଭାଗର ବିଜ୍ଞପ୍ତିକୁ ପାଳନ କରିବେ, ଜାଣି ପାରୁନାହାନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଅକ୍ଟୋବର ମାସରେ ଭୁବନେଶ୍ବର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ଥନ ସଂସ୍ଥାଗୁଡ଼ିକ ୫୦ପ୍ରତିଶତ କର୍ମଚାରୀ(ଗ୍ରୁପ୍-୧ର ସମସ୍ତ ଅଫିସରଙ୍କୁ ମିଶାଇ)ଙ୍କୁ ନେଇ କାମ କରିବେ। ଅଫିସ୍ କାମ ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବେ। ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ। କେଉଁଦିନ କେଉଁ କର୍ମଚାରୀ ଆସି କାର୍ଯ୍ୟରେ ଯୋଗଦେବେ, ସେନେଇ ବିଭାଗଗୁଡ଼ିକ ଯୋଜନା ପ୍ରସ୍ତୁତ କରିବେ। ତେବେ ଏସ୍ଆର୍ସି, ଓସ୍ଡମା, ପୁଲିସ୍, ଅଗ୍ନିଶମ, ସ୍ବାସ୍ଥ୍ୟସେବା, ମହାନଗର ସେବାରେ ଥିବା କାର୍ଯ୍ୟାଳୟଗୁଡ଼ିକ ପୂର୍ଣ୍ଣାଙ୍ଗ କର୍ମଚାରୀଙ୍କୁ ନେଇ ଚାଲିବ। କୋଭିଡ୍-୧୯ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।
ଏହି ବିଜ୍ଞପ୍ତିକୁ ଆଧାର କରି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ବିଜ୍ଞପ୍ତି ପ୍ରକାଶ କରି କହିଛନ୍ତି ଯେ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଯୋଗଦେବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଯଦି କୌଣସି କର୍ମଚାରୀ କୋଭିଡ୍-୧୯ରେ ଅସୁସ୍ଥ ଅନୁଭବ କରୁଥିବେ, ତେବେ ସେମାନେ ଘରେ ଆଇସୋଲେସନ୍ରେ ରହିବା ସହ ଚିକିତ୍ସିତ ହେବେ। ଏ ସମ୍ପର୍କରେ ସେମାନେ କର୍ତୃପକ୍ଷଙ୍କୁ ଜଣାଇବେ। ବିଭାଗ ବିଭାଗ ମଧ୍ୟରେ ମତ ପ୍ରାର୍ଥକ୍ୟ ରହୁଥିବାରୁ ବିଭିନ୍ନ ସଂସ୍ଥା ଓ କର୍ମଚାରୀମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପୂର୍ବରୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ର ଏଭଳି ଏକ ବିଜ୍ଞପ୍ତି ପ୍ରକାଶ କରି ପରବର୍ତୀ ସମୟରେ ତାହାକୁ ବାତିଲ୍ କରିଥିଲେ। ଏବେ ପୁଣିଥରେ ସମାନ ସ୍ଥିତି ଉପୁଜିଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।