ପ୍ରକୃତି କୋଳରେ ସୁରକ୍ଷିତ କସିବଣି ଗାଁ: ଏ ଯାଏ ଛୁଇଁନି ମହାମାରୀ

କୁଆମରା: ଦୁଇବର୍ଷ ଧରି କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଆଦିବାସୀବହୁଳ କସିବଣି ଗାଁ’କୁ ଆଜି ପର୍ଯ୍ୟନ୍ତ ଛୁଇଁପାରିନି ମହାମାରୀ। ଆଶ୍ଚର୍ଯ୍ୟ ମନେ ହେଉଥିଲେ ମଧ୍ୟ ଏହା ସତ୍ୟ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ କୁଆମରା ପଞ୍ଚାୟତରେ ରହିଛି ଏହି ଗାଁ। ଲୋକସଂଖ୍ୟା ପାଖାପାଖି ଶହେ। ନାଲୁହା ନଦୀର ଉପରମୁଣ୍ଡରେ ଅବସ୍ଥିତ ଏହି ଗାଁ ସହରୀ ଚାକଚକ୍ୟ ସଭ୍ୟତାରୁ ବହୁ ଦୂରରେ। ବିଡ଼ମ୍ବନା ହେଉଛି, ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଏହି ଗାଁ’କୁ ରାସ୍ତା ନାହିଁ। ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇ ରହିଥିବା ଏହି ଗାଁଟି ସବୁ କ୍ଷେତ୍ରରେ ଅବହେଳିତ।

ଗାଁର ସମସ୍ତ ପରିବାର ଆଦିବାସୀ ସଂପ୍ରଦାୟର। ଖଟିଲେ ଚୁଲି ଜଳେ। ଗାଁର କେହି ଜଣେ ବି ସରପଞ୍ଚ କିମ୍ବା ସ୍ଥାନୀୟ ବିଧାୟକଙ୍କ ନାମ ଜାଣିନାହାନ୍ତି। ଏହି ଦୁର୍ଗମ ଅଞ୍ଚଳକୁ ନା ଖବରକାଗଜ ଆସେ ନା କାହା ଘରେ ଟିଭି ଅଛି। ମୋବାଇଲରେ ଯାହା କିଛି ଖବର ପାଆନ୍ତି ଗ୍ରାମବାସୀ। କରୋନା ବିଷୟରେ ସମ୍ପୂର୍ଣ୍ଣ ଅବଗତ ନଥିଲେ ମଧ୍ୟ ଅନ୍ୟମାନଙ୍କଠାରୁ ଶୁଣିଛନ୍ତି। କହିବାକୁ ଗଲେ କରୋନା ସଚେତନତା ବାର୍ତା ଏଠାରେ ପହଞ୍ଚିନି। ଦୁଇ ବର୍ଷ ମଧ୍ୟରେ ଏଠାକୁ ଅଙ୍ଗନବାଡ଼ି, ଆଶା କିମ୍ବା ସ୍ବାସ୍ଥ୍ୟକର୍ମୀ କେବେ ଆସିନାହାନ୍ତି।

ପ୍ରକୃତି କୋଳରେ ଏକପ୍ରକାର ସୁରକ୍ଷିତ ଅଛନ୍ତି ଗ୍ରାମବାସୀ। ଗାଁ ଲୋକେ ଯେବେଠୁ ପ୍ରଥମ କରୋନା ମୃତ୍ୟୁ ଖବର ଶୁଣିଲେ, ସେବେଠୁ ଆଜି ଯାଏ କାମ ଅନ୍ବେଷଣରେ ବାହାରକୁ ଗୋଡ଼ କାଢ଼ିନାହାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଛନ୍ତି। ମହାମାରୀ ପାଇଁ ଗାଁରେ ବିବାହ କିମ୍ବା କୌଣସି ଭୋଜିଭାତ ନକରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ବନ୍ଧୁବାନ୍ଧବଙ୍କ ଯିବାଆସିବା ଉପରେ ଲାଗିଛି ପ୍ରତିବନ୍ଧକ। ସାପ୍ତାହିକ ହାଟକୁ ମଧ୍ୟ ଯିବା ମନା। ତେବେ ସଚେତନତା ଅଭାବରୁ ଗାଁର କେହି ପ୍ରତିଷେଧକ ଟିକା ବିଷୟରେ ଜାଣିନାହାନ୍ତି। ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ବ୍ୟବହାର କରୁଥିବା ଗ୍ରାମର ଲକ୍ଷ୍ମୀଧର ମାରାଣ୍ଡି, ବିରାମ ମାରାଣ୍ଡି, ବୈଦନାଥ ମାଝୀ, ଦେବେନ୍ଦ୍ର ମାଝୀ, ରୁହିଆ ସୋରେନ୍ ପ୍ରମୁଖ କହିଛନ୍ତି। କରୋନା ଏବେ ଗାଁ ମୁହାଁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଗାଁ’କୁ କରୋନା ସ୍ପର୍ଶ କରି ନ ପାରିବା ନିଶ୍ଚିତ ସୌଭାଗ୍ୟର ବିଷୟ।

ସମ୍ବନ୍ଧିତ ଖବର