ପୁରୀ : ପୁରୀକୁ ପ୍ରତିଦିନ ୬୦ ହଜାରରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ଏବେ ବି ପୁରୀକୁ ଶହ ଶହ ସଂଖ୍ୟାରେ ବିଦେଶୀ ଓ କରୋନା ପ୍ରଭାବିତ ରାଜ୍ୟ କେରଳ, ଦିଲ୍ଲୀ, ମହାରାଷ୍ଟ୍ର ଓ ଅନ୍ୟ ପ୍ରଦେଶରୁ ଆସୁଛନ୍ତି। ମାତ୍ର ପୁରୀ ପ୍ରଶାସନ ଏ ନେଇ ଯେଉଁ ଭଳି ସତର୍କତା ଅବଲମ୍ବନ କରିବା କଥା ତାହା କରୁନଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରୁଥିବା ପ୍ରଶାସନ କିନ୍ତୁ ସହରର ଦୁଇ ପ୍ରମୁଖ ସ୍ଥାନକୁ ଦୃଷ୍ଟି ଦେଇ ନାହିଁ। ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଉଥିବା ବେଳେ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ପୁରୀ ରେଳ ଷ୍ଟେସନରେ ଯାଞ୍ଚ ବ୍ୟବସ୍ଥ‌ା କରାଯାଉନାହିଁ। କିଛି ବିଦେଶୀ ପର୍ଯ୍ୟଟକ କୋଲକାତାରୁ ସିଧା ରେଳ ‌ଯୋଗେ ପୁରୀ ଆସୁଛନ୍ତି। ଭାରତର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ମଧ୍ୟ ରେଳ ଯୋଗେ ସିଧାସଳଖ ପୁରୀ ଆସୁଛନ୍ତି।

Advertisment

publive-image

ସୂଚନା ମୁତାବକ, ପ୍ରତିଦିନ ହାରାହାରି ୫ ହଜାର ପର୍ଯ୍ୟଟକ ବାହାର ରାଜ୍ୟରୁ ପୁରୀକୁ ଆସୁଛନ୍ତି। ମାତ୍ର ପୁରୀ ରେଳ ଷ୍ଟେସନରେ କରୋନା ସନ୍ଦିଗ୍ଧକୁ ଯାଞ୍ଚ କରିବାକୁ କୌଣସି ପ୍ରତିଷେଧକ ବା ସ୍କ୍ରିନିଂ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ରାଜ୍ୟର ଅନ୍ୟ ସହର ଠାରୁ ପର୍ଯ୍ୟଟନ ଦୃଷ୍ଟିରୁ ପୁରୀ ଗୁରୁତ୍ବପୂର୍ଣ୍ଣ ଥିବାରୁ ପୁରୀ ରେଳ‌‌ଷ୍ଟେସନରେ କରୋନା ରୋଗୀଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥ‌ା କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଏବେ ସରକାର ସପିଂ ମଲ, ବିବାହ, ଭୋଜି ଉତ୍ସବ ଉପ‌‌‌ରେ କଟକଣା ଲଗାଇଛନ୍ତି। ମାତ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଦେଶ ବିଦେଶରୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ମନ୍ଦିର ଭିତରେ ଭିଡ଼ ଲାଗୁଛି। ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଆସିନ‌ାହିଁ। ସେବାୟତ ଓ ଭକ୍ତଙ୍କ ସୁରକ୍ଷ‌ା ଦୃଷ୍ଟିରେ ରଖି ସରକାର ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବାକୁ ସେବାୟତଙ୍କ ପକ୍ଷରୁ ଦାବି ହୋଇଛି।