ବାଙ୍କିଶୋଳସ୍ଥିତ କୋଭିଡ଼ ହସ୍ପିଟାଲରେ କରୋନା ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନାହିଁ ସିଟି ସ୍କାନ

ଏକ୍ସରେ ଦ୍ୱାରା ଚଳୁଛି କାର୍ଯ୍ୟ, ଆନୁମାଟିକ ଚିକିତ୍ସା ହେଉଥିବାର ଅଭିଯୋଗ, ମୟୂରଭଞ୍ଜରୁ ନୂଆ ୧୦୧ ପଜିଟିଭ ଚିହ୍ନଟ

ବାରିପଦା : କରୋନା ଆକ୍ରାନ୍ତମାନଙ୍କର ଚିକିତ୍ସା ନିମନ୍ତେ ବାରିପଦା ବ୍ଲକର ବାଙ୍କିଶୋଳସ୍ଥିତ କିସ୍ ଶିକ୍ଷା ଅନୁଷ୍ଠାନ ପରିସରରେ ଓଡ଼ିଶା ଖଣିଜ ପାଣ୍ଠି ଏବଂ ଭୁବନେଶ୍ୱର ମିମ୍ସ ଓ ଆଦାନୀ ଗ୍ରୁପର ମିଳିତ ସହଭାଗିତାରେ ୧୮୦ ଅଇସୋଲେଟେଡ଼ ବେଡ଼ ଓ ୨୦ ଆଇସିୟୁ ସୁବିଧା ଥିବା କୋଭିଡ଼-୧୯ ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କ ନିମନ୍ତେ ଉଦଘାଟନ କରିଥିଲେ । ଉକ୍ତ ହସପିଟାଲକୁ ଚିକିତ୍ସା ନିମନ୍ତେ ଯାଉଥିବା କୋଭିଡ଼ ରୋଗୀମାନଙ୍କ ଶରୀରର ପରୀକ୍ଷା ନିରୀକ୍ଷା କରାଯିବା ନିମନ୍ତେ ଆବଶ୍ୟକ ହେଉଥିବା ସିଟି ସ୍କାନ ମେସିନ ନାହିଁ । ବାରିପଦା ପିଆରଏମ ମେଡ଼ିକାଲ ଓ ଦୁର୍ଗା ନର୍ସିଂ ହୋମରେ ସିଟି ସ୍କାନ କରାଇବାର ସୁବିଧା ଉପଲବ୍ଧ ରହିଥିଲେ ମଧ୍ୟ କରୋନା ରୋଗୀମାନଙ୍କୁ ଏହି ସୁବିଧା ଉପଲବ୍ଧ ହୋଇପାରୁ ନାହିଁ । ଫଳରେ କୋଭିଡ଼ ହସପିଟାଲରେ ଡ଼ାକ୍ତରମାନେ ଆନୁମାନିକ ଭାବେ ରୋଗୀକୁ ଚିକିତ୍ସା କରାଉଛନ୍ତି ବୋଲି ବାରିପଦା ପୌରପରିଷଦର ପୂର୍ବତନ କାଉନସିଲର ତଥା ପୂର୍ବତନ ନଗରପାଳ ବବିତା ଦାସଙ୍କ ସ୍ୱାମୀ ଶାନ୍ତନୁ ଦାସ ଅଭିଯୋଗ କରିଛନ୍ତି । ଏଥି ସହିତ ତାଙ୍କ ସ୍ତ୍ରୀ ଶ୍ରୀମତୀ ଦାସଙ୍କୁ ସିଟି ସ୍କାନ କରାଇବା ନିମନ୍ତେ ଡ଼ାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ସିଟି ସ୍କାନ କରାଇବା ସମ୍ଭବ ହୋଇପାରିଲା ନାହିଁ । ତେଣୁ ଗଣମାଧ୍ୟମର ପ୍ରତିନିଧିମାନେ କୋଭିଡ଼ ହସପିଟାଲରେ ସିଟି ସ୍କାନ ମେସିନ ବସାଇବା ନିମନ୍ତେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହା ସମ୍ଭବ ହୋଇ ପାରିଲେ କିଛି ଲୋକମାନଙ୍କ ଜୀବନ ବଞ୍ଚିଯାଇ ପାରନ୍ତା ବୋଲି ପୂର୍ବତନ କାଉନସିଲର ଶ୍ରୀଦାସ କହିଛନ୍ତି ।

ତେବେ କୋଭିଡ଼ ହସପିଟାଲ ଦାୟିତ୍ୱରେ ଥିବା ଏଡ଼ିଏମଓ ଏନ. ଆର. ଦାସ କୋଭିଡ଼ ହସପିଟାଲରେ ସିଟି ସ୍କାନ ମେସିନ ନ ଥିବା କଥାକୁ ପରୋକ୍ଷରେ ସ୍ୱିକାର କରିଥିବା ବେଳେ ଅନ୍ୟାନ୍ୟ ସମସ୍ତ ଯନ୍ତ୍ରପାତି ଉପଲବ୍ଧ ରହିଛି ବୋଲି ପ୍ରକାଶ କରିଥିଲେ । ତେବେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୧୦୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ୮ ହଜାର ୭୨୧କୁ ବୃଦ୍ଧି ପାଇଛି । ଅକ୍ଟୋବର ୪ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୭ ହଜାର ୩୩୮ ରହିଥିବା ବେଳେ ୫ ସକ୍ରିୟ ସଂଖ୍ୟା ୧ ହଜାର ୩୫୬ ଓ ମୃତ୍ୟୁ ସଂଖ୍ୟା ୨୭ ଥିବାର ଜଣାପଡ଼ିଛି । କିନ୍ତୁ ବାରିପଦା ସହର ସହ ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାତ୍ର କେଉଁ କାରଣରୁ ସେମାନଙ୍କର ମୃତ୍ୟୁ ହେଉଛି ତାର ସଠିକ୍ ଉତ୍ତର ମିଳିପାରୁ ନାହିଁ । ଜିଲ୍ଲା ପ୍ରଶାସନ ଅଥବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୨୩ର ପରବର୍ତ୍ତି ସମୟଠାରୁ କରୋନା ସମ୍ପର୍କରେ ସୂଚନା ଦେବା ବନ୍ଦ କରି ଦିଆଯାଇଛି । ପୂର୍ବରୁ ଜିଲ୍ଲାରେ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ପ୍ରଶାସନ ଦେଉ ନ ଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଯାହା କିଛି ସୂଚନା ମିଳୁଛି । ତେବେ ଜିଲ୍ଲା ଏବଂ ବାରିପଦା ସହରରେ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର