ରାୟଗଡା: ରାୟଗଡା ଜିଲ୍ଲାର ଆମ୍ବ ଚାଷୀଙ୍କର ଆମ୍ବକୁ କିପରି ବଜାର ମିଳିବ ଏବଂ ଚାଷୀ ନିଜର ଆମ୍ବର ଉଚିତ ମୂଲ୍ୟ ପାଇପାରିବେ ସେନେଇ ଓରମାସ ତରଫରୁ ଆମ୍ବ ମେଳାର ଆୟୋଜନ କରାଯାଇ ଚାଷୀଙ୍କ ଠାରୁ ଆମ୍ବ ଖରିଦ କରାଯାଇ ଏଠାରେ ବିଭିନ୍ନ ଏସଏଚଜିକୁ ଆମ୍ବ ବିକ୍ରି କରାଯାଇଥିଲା। ଆଉ କିଛି ଏସଏଚଜି ବିଭିନ୍ନ ଅଂଚଳରୁ ଆମ୍ବ କିଣି ଆଣି ଏହି ଆମ୍ବ ମେଳାରେ ଆମ୍ବ ବିକ୍ରି ଅଧିକା ଲାଭ ପାଇବାର ଯେଉଁ ଆଶା କରିଥିଲେ ସେଥିରେ ଅସଫଳ ହେଲେ ବୋଲି ଆଲୋଚନା ହେଉଛି।

Advertisment

ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଆମ୍ବ ମେଳା ଶନିବାର ଶେଷ ହୋଇଛି। ୫ ଦିନ ଧରି ଚାଲିଥିବା ଏହି ଆମ୍ବ ମେଳା ଫସର ଫାଟିଲା ବୋଲି ଆଲୋଚନା ଜୋର ଧରିଛି। ପ୍ରଚାର ପ୍ରସାର ନହେବା ଯୋଗୁଁ ଲୋକେ ଆମ୍ବ ମେଳା ସଂପର୍କରେ ଅବଗତ ହୋଇପାରିଲେ ନାହିଁ। ଫଳରେ ଆମ୍ବ ମେଳାରେ ଗ୍ରାହକ ଶୂନ୍ୟ ହେଉଥିବା ଲକ୍ଷ୍ୟ କରାଯାଇଥିଲା।ପୁଣି ଏସଏଚଜିମାନେ ଓରମାସ ଠାରୁ ୩୦ ଟଂକାରେ କିଲୋ ପ୍ରତି ଆମ୍ବ କିଣି ୫୦ ଟଂକାରେ ଆମ୍ବ ବିକ୍ରି କରୁଥିବାରୁ କାଁ ଭାଁ ଆସୁଥିବା ଲୋକେ ମଧ୍ୟ ମେଳାକୁ ଆସି ଖାଲି ହାତରେ ଫେରୁଥିବା ଲକ୍ଷ୍ୟ କରାଯାଇଥିଲେ। ବଜାରରେ କମ୍ ଦାମରେ ଆମ୍ବ ମିଳୁଥିବା ବେଳେ ଆମ୍ବ ମେଳାରେ ଚଢା ଦରରେ ଆମ୍ବ ବିକ୍ରି ଯୋଗୁଁ ଆମ୍ବ ଆଶାନୁରୂପ ବିକ୍ରି ହୋଇପାରିନଥିବା କୁହାଯାଇଛି। କିନ୍ତୁ ବିଭାଗ ଯତେଷ୍ଟ ଆମ୍ବ ବିକ୍ରି କରୁଥିବା କହିଛି।୨୫୦ କ୍ବିଣ୍ଟାଲରୁ ଅଧିକା ଆମ୍ବ ବିକ୍ରି କରୁଥିବା ବିଭାଗ ଡିଣ୍ଡିମ ପିଟୁଥିବା ବେଳେ ଏତେ ଆମ୍ବ ଏହି ମେଳାକୁ ହିଁ ଆସିନଥିବା ଦେଖିବାକୁ ମିଳିଛି।

publive-image

ଆମ୍ବ ମେଳା ସଂପୂର୍ଣ୍ଣ ଭାବେ ଅସଫଳ ହୋଇଥିବା କୁହାଯାଇଛି। ପୁଣି ଜେକେ ପୁର ଠାରେ ମଧ୍ୟ ଆମ୍ବ ମେଳା କରାଯାଇଥିଲା। ସେଠାରେ ମଧ୍ୟ ଏକା କଥା।ପ୍ରାୟ ୧୦ଟି ଏସଏଚଜି ଓ ସଂସ୍ଥା ରାୟଗଡା ଠାରେ ଅନୁଷ୍ଠିତ ଆମ୍ବ ମେଳାରେ ଭାଗ ନେଇଥିଲେ। ଗ୍ରାହକଙ୍କ ଆଗମନ ନହେବାରୁ ଏହି ସ୍ବୟଂ ସହାୟକ ଗୋଷ୍ଠୀମାନେ କ୍ଷତି ସହିଥିବା ଆଶଂକା କରାଯାଉଛି। ବିଭିନ୍ନ ରକମର ଆମ୍ବ ଆଣିଥିଲେ ମଧ୍ୟ ଲୋକେ କମ୍ ଦାମ ଥିବା ଆମ୍ବ ସଂପର୍କରେ ପଚାରି ବୁଝିଥିଲେ।

ପ୍ରକାଶ ଥାଉକି ଜିଲ୍ଲାରେ ଚାରୋଟି ଏଫପିଓ ରହିଛି। ସେଗୁଡିକ ହେଲା କୋଲନରା, ବିଷମକଟକ, ମୁନିଗୁଡା ଏବଂ କାଶୀପୁର ବ୍ଲକରେ। ଏହି ଏଫପିଓ(ଫାରମର ପ୍ରଡୁସର ଅରଗାନାଜେସନ)ରେ ଜଣେ ଜଣେ ସିଇଓ ରହିଛନ୍ତି। ଏମାନେ ଏହି ଅଂଚଳରୁ ଆମ୍ବ କିଣି ଏସଏଚଜିଙ୍କୁ ଆମ୍ବ ମେଳାରେ ବିକ୍ରି କରିବାକୁ ଦେଇଥିବା ଦେକିବାକୁ ମିଳିଥିଲା। ଏହି ମେଳା ପାଇଁ ଲକ୍ଷାଧିକ ଟଂକା ଖର୍ଚ୍ଚ ହୋଇଥିବା ବେଳେ ସବୁ ପାଣିରେ ପଡିଥିବା କୁହାଯାଇଛି। ପ୍ରଚାର ପ୍ରସାର ଅଭାବ ଯୋଗୁଁ ଏଭଳି ମେଳା ଫସର ଫାଟିଥିବା କୁହାଯାଇଛି। ଲୋକେ ଆମ୍ବ ମେଳା ସଂପର୍କରେ ନଜାଣିପାରିବା ସହ କମ୍ ଦାମରେ ବଜାରରେ ଆମ୍ବ ମିଳୁଥିବାରୁ ଲୋକେ ଆମ୍ବ ମେଳାକୁ ଆସୁନଥିବା କୁହାଯାଇଛି। ତେବେ ଚାଷୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଯଦି କ୍ଷତି ସହିଛନ୍ତି ସେଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରାଯାଇଛି। ଏନେଇ ବିହିତ ତଦନ୍ତ କରାଯିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।