କୋଣାର୍କ ମନ୍ଦିର ପ୍ରତି ବିପଦ ନାହିଁ ବୋଲି କହିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଯାଞ୍ଚ ପାଇଁ ଏକ ମାସ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ୱର: କୋଣାର୍କ ମନ୍ଦିର ପ୍ରତି ବିପଦ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା। ଆଜି ରାଜ୍ୟ ଅତିଥି ଭବନରେ କୋଣାର୍କ ସୁରକ୍ଷା ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ପରେ ସେ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି ବିପଦ ନ ଥିବା ଦର୍ଶାଇଛନ୍ତି।

ବୈଠକ ପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି, କୋଣାର୍କ ପ୍ରସଙ୍ଗକୁ କେନ୍ଦ୍ର ସରକାର ଗୁରୁତର ସହ ନେଇଛନ୍ତି । ସୂର୍ଯ୍ୟ ମନ୍ଦିର ଏବେ ସୁରକ୍ଷିତ ରହିଛି । କୋଣାର୍କର ସୁରକ୍ଷା ଓ ମନ୍ଦିରରୁ ପଥର ଖସିବା ଘଟଣାର ଯାଞ୍ଚ ପାଇଁ ଏକ ମାସ ଭିତରେ ଏକ ବିଶେଷଜ୍ଞ କମିଟି ଗଠନ ହେବ।

ଏଥିସହ ସେ କହିଛନ୍ତି ଯେ ୧୯୯୭ ମସିହା ପରଠାରୁ ଦୁର୍ବଳ କାରୁକାର୍ଯ୍ୟପୂର୍ଣ୍ଣ ପଥର ସ୍ଥାନରେ ସାଧା ପଥର ଲଗାଇବା କାର୍ଯ୍ୟ ମଧ୍ୟ କରାଯାଇନାହିଁ। ଯେହେତୁ ମନ୍ଦିର ୟୁନେସ୍କୋ ତତ୍ତ୍ୱାବଧାନରେ ରହିଛି, ତେଣୁ ଆର୍କୋଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ) କରିପାରିବ ନାହିଁ ବୋଲି ସେ କହିଛନ୍ତି।

ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୁର୍‌କିସ୍ଥିତ ସେଣ୍ଟାଲ୍‌ ବିଲ୍‌ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିବିଆର୍‌ଆଇ) ପକ୍ଷରୁ କୋଣାର୍କ ମନ୍ଦିର ନେଇ  କରାଯାଇଥିବା ସୁପାରିସକୁ କାର୍ଯ୍ୟକାରୀ କରାଯିବାକୁ ଦାବି ହୋଇଛି। ସିବିଆର୍‌ଆଇ ପକ୍ଷରୁ କୋଣାର୍କ ମନ୍ଦିରର ସ୍ଥିତି ନେଇ ଅନୁଧ୍ୟାନ କରାଯାଇଥିଲା। ଏଥିରେ ମନ୍ଦିରର ଜଗମୋହନ ଓ ଅନ୍ୟ ସ୍ଥାନରୁ ବାଲି ଖସୁଥିବା ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ୱାରା କୋଣାର୍କ ସ୍ଥିତି ଯାଞ୍ଚ ଲାଗି ସୁପାରିସ କରିଛି ସିବିଆର୍‌ସି। ସୁରକ୍ଷାର ଯେଉଁ ମାନଦଣ୍ଡ ରହିଛି, ସେ ଦୃଷ୍ଟିରୁ କୋଣାର୍କ ମନ୍ଦିର ଠିକ୍‌ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର