ତାଳଚେରରେ କୋଇଲା ଖଣିରୁ ଛୁଟିଲା ପାଣି: ୨୦୦୨ ଓ ୨୦୦୪ ଘଟଣାର ପୁନରାବୃତ୍ତି, ସହରବାସୀ ଆତଙ୍କିତ

ସହର ପ୍ରତି ବିପଦ ନାହିଁ: ଖଣି ଅଧିକାରୀ

ତାଳଚେର: ତାଳଚେର ସହରରେ ଗତ ପ୍ରାୟ ୧୪ ବର୍ଷ ଧରି ବନ୍ଦ ହୋଇ ରହିଥିବା ଏମ୍‌ସିଏଲ୍‌ର ଚମ୍ପାପଶି କୋଇଲା ଖଣି ମୁହଁରୁ ଫିଟିଛି ପାଣିର ସୁଅ। ବାରମ୍ବାର ମାଟି ଧସିବା ପରେ ଅଚାନକ ଗତ ରାତିରୁ ଖଣିରୁ ପାଣିର ସୁଅ ଛୁଟିବା ଘଟଣା ସହରବାସୀଙ୍କ ମଧୢରେ ଆତଙ୍କ ଖେଳାଇ ଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ଆଜି ସକାଳୁ ଘଟଣାସ୍ଥଳକୁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଯାଇଥିଲା। ବିଭିନ୍ନ ସଂଗଠନର କର୍ମକର୍ତ୍ତା ତଥା ସହରର ସଚେତନ ନାଗରିକମହଲ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ଫଳରେ ସେଠାରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମ୍‌ସିଏଲ୍‌ର ବରିଷ୍ଠ ପଦାଧିକାରୀମାନେ ପରିସ୍ଥିତି ଅନୁଧ୍ୟାନ କରି ଏଥିଯୋଗୁଁ ସହରକୁ କୌଣସି ବିପଦ ନାହିଁ ବୋଲି ସୂଚନା ଦେଇଛନ୍ତି। ଏଥିସହ ପାଣିର ସୁଅକୁ ବନ୍ଦ କରିବାପାଇଁ ଜୋରଦାର୍‌ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

ଖଣି ବିଭାଗର ସୂଚନା ମୁତାବକ ଦେଉଳବେଡ଼ା ଭୂଗର୍ଭ କୋଇଲା ଖଣି ପୂର୍ବରୁ ପଶ୍ଚିମରେ ସାଢେ଼ ୪ କିଲୋମିଟର ଓ ଉତ୍ତରରୁ ଦକ୍ଷିଣ ଦିଗରେ ୨.୧ କିଲୋମିଟର ଯାଏଁ ଲମ୍ବିଛି। ଏଥିରୁ କୋଇଲା ଉତ୍ତୋଳନ ପରେ ମାଟି ତଳେ କିଛି ସ୍ଥାନରେ କୋଇଲାର ସ୍ତମ୍ଭ ଛାଡ଼ି ଦିଆଯାଇଛି। ଏହି ସ୍ତମ୍ଭଗୁଡ଼ିକ ଉପରେ ସମଗ୍ର ତାଳଚେର ସହର ଝୁଲି ରହିଛି। ଚମ୍ପାପଶି କୋଇଲା ଖଣିର ଖୁବ୍‌ ନିକଟରେ ସହରର ଘନ ଜନବସତି ରହିଛି। ଅତୀତରେ ଭୂଗର୍ଭର ସ୍ଥିତି ଓ ସ୍ତମ୍ଭକୁ ଆକଳନକରି ଧାନବାଦସ୍ଥିତ ସେଣ୍ଟ୍ରାଲ୍‌ ମାଇନି˚ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ସହରରେ ମାଟି ଧସିବା ଆଶଙ୍କାକୁ ସ˚ପୂର୍ଣ୍ଣ ଏଡ଼ାଇ ଦେଇନାହାନ୍ତି। ଭୂଗର୍ଭରୁ କୋଇଲା ଖୋଳିବା ପରେ ଖାଲିଥିବା ସ୍ଥାନରେ ଆବଶ୍ୟକ ପରିମାଣର ବାଲି ଭର୍ତ୍ତି କରାଯାଇ ନଥିବାରୁ ପାଣି ବାହାରି ଏଭଳି ପରିସ୍ଥିତି ଉପୁଜିଥିବା ସହରବାସୀ ଆଶଙ୍କା କରିଛନ୍ତି। ପୂର୍ବରୁ ୨୦୦୨ ଓ ୨୦୦୪ ମସିହାରେ ଚମ୍ପାପଶି ଖଣିରୁ ଏହିପରି ପାଣି ବାହାରି ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏ ସ˚ପର୍କରେ ଏମସିଏଲ୍‌ର ତାଳଚେର ଖଣି ପ୍ରକଳ୍ପ ଅଧିକାରୀ ଦାଶରଥି ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ‘ଭୂଗର୍ଭ କୋଇଲା ଖଣିରେ ଜଳ ଭର୍ତ୍ତି ହେବା ଓ ଏଥିରୁ ଜଳ ନିଷ୍କାସନ କରାଯିବା ଖଣି କାର୍ଯ୍ୟର ଏକ ସ୍ବାଭାବିକ ପ୍ରକ୍ରିୟା। ଚମ୍ପାପଶି ଭୂଗର୍ଭ କୋଇଲା ଖଣିରୁ ଜଳ ନିଷ୍କାସନ ପାଇଁ ଭୂପୃଷ୍ଠରେ ୪ଟି ପମ୍ପ ବସାଯାଇଛି। ଏଥିରୁ ଏକାବେଳକେ ୩ଟି ପମ୍ପ ଖରାପ ହୋଇଯିବାରୁ ଜଳ ନିଷ୍କାସନ ହୋଇପାରିନଥିଲା। ଫଳରେ ଉଦ୍‌ବୃତ୍ତ ଜଳ ଖଣି ମୁହଁଦେଇ ବାହାରକୁ ଚାଲି ଆସିଥିଲା। କିନ୍ତୁ ସହରବାସୀଙ୍କ ପ୍ରତି ଆଦୌ ବିପଦ ନାହିଁ। ’

ସମ୍ବନ୍ଧିତ ଖବର