ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବି ଓଡ଼ିଶା ବିରୋଧ କରିନି
ବଂଶଧାରାର ୫୦% ଜଳ ବ୍ୟବହାର ପାଇଁ କାମ ଚାଲିଛି
ଭୁବନେଶ୍ବର : ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ବ୍ୟାରେଜ (ବନ୍ଧ) ନିର୍ମାଣ କରି ଚାଲିଛି। ମହନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ବି ଏହା ଉପରେ ରୋକ୍ ଲଗାଉନାହାନ୍ତି। ଏପଟେ ୩ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରିପୋର୍ଟ ଦେବାର ଥିଲେ ହେଁ ଦେଇପାରିଲେନି। ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆହୁରି ୨ବର୍ଷ ବଢ଼ାଯାଇଛି। ଏହାର ଫାଇଦା ନେଇ ଛତିଶଗଡ଼ ବନ୍ଧ ନିର୍ମାଣ କରି ଚାଲିଛି। ହେଲେ ଏହି ସମୟ ମଧ୍ୟରେ ଛତିଶଗଡ଼ କେତେ ବନ୍ଧ ନିର୍ମାଣ କାର୍ଯ୍ୟ ଶେଷ କରିବ ତାହାର ସୂଚନା ରାଜ୍ୟ ସରକାରଙ୍କ ପାଖରେ ନାହିଁ।
ବିଧାନସଭାରେ ମହାନଦୀ ଜଳ ବିବାଦର ସମାଧାନ ଉପରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହିଭଳି ଉତ୍ତର ଦେଇଛନ୍ତି।
ଜଳସମ୍ପଦ ମନ୍ତ୍ରୀ ଜଣାଇଛନ୍ତି ଯେ ମହାନଦୀ ଜଳବିବାଦର ସମାଧାନ ପାଇଁ ୧୨/୩/୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଭାରତୀୟ ସମ୍ବିଧାନର ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ନିୟମ, ୧୯୫୬ ଅନୁସାରେ ଟ୍ରିବ୍ୟୁନାଲ ଗଠନ ହେବାର ୩ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲଙ୍କର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଜଣାଇବାର ପ୍ରାବଧାନ ରହିଛି। କୌଣସି ଅନିବାର୍ଯ୍ୟ କାରଣବଶତଃ ଏହି ତିନି ବର୍ଷ ମଧ୍ୟରେ ନିଷ୍ପତ୍ତି ନହୋଇ ପାରିଲେ କେନ୍ଦ୍ର ସରକାର ଅତିରିକ୍ତ ୨ବର୍ଷ ସମୟ ପ୍ରଦାନ କରିପାରିବେ।
କୋଭିଡ ମହାମାରୀ ଯୋଗୁଁ ଭାରତର ସବୁକ୍ଷେତ୍ରରେ କାର୍ଯ୍ୟକ୍ରମ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସରକାରୀ ଅଫିସ୍, କୋର୍ଟ କଚେରୀ ଓ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ଛତିଶଗଡ଼ ଆଉ କେତେ ବନ୍ଧ ନିର୍ମାଣ ସଂପୂର୍ଣ୍ଣ କରିବ ସେ ତଥ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ। ଟ୍ରିବ୍ୟୁନାଲ ଗଠନ ହେବା ପରେ ଓଡ଼ିଶା ସରକାର ଛତିଶଗଡ଼ର ବନ୍ଧ ନିର୍ମାଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ରହିତାଦେଶ ପାଇଁ ପ୍ରାର୍ଥନା କରିଛନ୍ତି ଓ ଏହା ଟ୍ରିବ୍ୟୁନାଲଙ୍କ ବିଚାରାଧୀନ ଅଛି। ଏତଦ୍ବ୍ୟତୀତ ଟ୍ରିବ୍ୟୁନାଲଙ୍କର କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କରି ଓଡ଼ିଶା ସରକାର କୌଣସି ଅଭିଯୋଗ ଦାଖଲ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ବଂଶଧାରା ନଦୀର ୫୦% ଜଳ ଓଡ଼ିଶା ବ୍ୟବହାର କରିବା ନେଇ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ରଘୁନାଥ ଗମାଙ୍ଗଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଟ୍ରିବ୍ୟୁନାଲଙ୍କ ରାୟ ଅନୁସାରେ ୫୦% ଜଳର ବିନିଯୋଗ କରିବା ପାଇଁ ଗଜପତି ଜିଲ୍ଲାରେ ମହେନ୍ଦ୍ରତନୟା ନଦୀ ଉପରେ ଡମ୍ବପୁର ଗ୍ରାମ ନିକଟରେ ମହେନ୍ଦ୍ରତନୟା ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ସରିଛି। ଏହି ପ୍ରକଳ୍ପର ସେଚ ପ୍ରଣାଳୀ ୟୁଜିପିଏଲ୍ ମାଧ୍ୟମରେ କରିବା ପାଇଁ ମେଗା ଉଠାଜଳସେଚନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏନେଇ ଚଳିତ ମାସ ଶେଷ ସୁଦ୍ଧା ଟେଣ୍ଡର ଆହ୍ବାନ ହେବ। ଏହା ସଂପୂର୍ଣ୍ଣ ହେଲେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର ପ୍ରାୟ ୧୪୪୪ ହେକ୍ଟର ଓ ଗୋସାଣି ବ୍ଲକର ପ୍ରାୟ ୫୫୫ ହେକ୍ଟର ଜମି ଜଳସେଚିତ ହୋଇପାରିବ।
ଗଜପତି ଜିଲ୍ଲାରେ ବଂଶଧାରା ନଦୀର ଶାଖାନଦୀ ଜଳାଙ୍ଗ ଓ ମହେନ୍ଦ୍ରତନୟା ନଦୀର ସଂଯୋଗସ୍ଥଳୀଠାରୁ ୨.୫କିମି ନୂଆଗାଁ ଗ୍ରାମ ନିକଟରେ ଅନ୍ୟ ଏକ ବ୍ୟାରେଜ୍ ନିର୍ମାଣ କରିବା ପାଇଁ ଉଚ୍ଚକ୍ଷମତା ସଂପନ୍ନ ବୈଷୟିକ କମିଟି ଦ୍ବାରା କ୍ଷେତ୍ର ଭ୍ରମଣ କରି ବ୍ୟାରେଜର ଅକ୍ଷ ସ୍ଥିରୀକୃତ ହୋଇଛି। ବ୍ୟାରେଜର ନିର୍ମାଣ ସକାଶେ ଆବଶ୍ୟକ ଜଳର ଗଚ୍ଛିତ ପରିମାଣ ମୁଖ୍ୟଯନ୍ତ୍ରୀ, ପ୍ରକଳ୍ପ ଆକଳନ ଓ ନିର୍ଦ୍ଧାରଣଙ୍କ ଦ୍ବାରା ଆକଳନ କରାଯାଇଛି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର ପ୍ରାୟ ୬୦୦ହେକ୍ଟର, ଗୋସାଣି ବ୍ଲକର ୧୫୦୬ ହେକ୍ଟର, ଗୁମ୍ମା ବ୍ଲକର ପ୍ରାୟ ୧୫୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ସେହିପରି ଗଜପତି ଜିଲ୍ଲାରେ ବଂଶଧାରା ନଦୀର ଶାଖା ନଦୀ ବଡ଼ଝୋର ନଦୀ ଉପରେ ଛେଳିଗଡ଼ ଗ୍ରାମ ନିକଟରେ ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟ ଚାଲୁ ଅଛି। ଏହାର ସେଚ ପ୍ରଣାଳୀ କାର୍ଯ୍ୟ ବି ଜୋରସୋରରେ ଚାଲିଛି। ଏହା ସଂପୂର୍ଣ୍ଣ ହେଲେ ଗଜପତି ଜିଲ୍ଲାର ଆର୍.ଉଦୟଗିରି ବ୍ଲକର ପ୍ରାୟ ୨୬୨ ହେକ୍ଟର, ମୋହନା ବ୍ଲକର ୨୩୮ ହେକ୍ଟର, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ପ୍ରାୟ ୩୭୬୦ ହେକ୍ଟର, ସାନଖେମୁଣ୍ଡି ବ୍ଲକର ପ୍ରାୟ ୨ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏହାସହ ଗଞ୍ଜାମ ଜିଲ୍ଲାକୁ ୧କ୍ୟୁମେକ ପାନୀୟ ଜଳ େଯାଗାଣର ସୁବିଧା ହୋଇପାରିବ। ଏତଦ୍ବ୍ୟତୀତ ଲୋୟର ବଂଶଧାରା ପ୍ରକଳ୍ପ, ସାନନଦୀ ବ୍ୟାରେଜ୍ ପ୍ରକଳ୍ପର ପ୍ରସ୍ତାବ କେନ୍ଦ୍ର ଜଳ ଆୟୋଗଙ୍କ ଅନୁମୋଦନ ପାଇଁ ପଠାଯାଇଛି।