ଭୁବନେଶ୍ୱର : କରୋନା ପୂର୍ବରୁ ଆପଣ ଯଦି ଓଡ଼ିଶା ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ମେମୁ କିମ୍ବା ପାସେଞ୍ଜର୍ ଟ୍ରେନ୍ର ବ୍ୟବହାର କରୁଥିଲେ, ଏବେ ସେ ସେବା ପାଇଁ ଆପଣଙ୍କୁ ଅନିର୍ଦ୍ଦିଷ୍ଟ କାଳ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ ଦେଶରେ ଯାତ୍ରୀବାହୀ ଟ୍ରେନ୍ ପୂର୍ଣ୍ଣମାତ୍ରାରେ କେବେ ଚଳାଚଳ କରିବ, ସେ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। କେନ୍ଦ୍ର ପତ୍ର ଓ ସୂଚନା ବ୍ୟୁରୋ ପକ୍ଷରୁ ଆଜି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦିଆଯାଇଛି।
ଏକ ପ୍ରେସ୍ ବିବୃତିରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ୍ ମାସର ଏକ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍ ପୂର୍ଣ୍ଣମାତ୍ରାରେ ଚଳାଚଳ କରିବ ବୋଲି କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଏ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ପର୍ଯ୍ୟାୟକ୍ରମେ ରେଳବାଇ ପକ୍ଷରୁ ଟ୍ରେନ୍ ସେବାକୁ ବୃଦ୍ଧି କରାଯାଉଛି। ଏବେ ଦେଶରେ ୬୫ ପ୍ରତିଶତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି। କେବଳ ଜାନୁଆରିରେ ଏଥିରେ ୨୫ରୁ ଅଧିକ ଟ୍ରେନ୍ ସାମିଲ କରାଯାଇଛି। ଧୀରେଧୀରେ ଏଥିରେ ଆହୁରି ଅଧିକ ସଂଖ୍ୟକ ଟ୍ରେନ୍ ଯୋଡ଼ାଯିବ। ଏଥିପାଇଁ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦିଆଯିବ ଏବଂ ଏଥିରେ ସହଭାଗୀ ସମସ୍ତଙ୍କଠାରୁ ସେମାନଙ୍କର ମତାମତ ନିଆଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ।