‘ସୁନ୍ଦରୀ’କୁ ନେଇ ଦ୍ୱନ୍ଦ୍ୱ : ଜଙ୍ଗଲ ମନ୍ତ୍ରୀ କହିଲେ ବାଘୁଣୀ ଖାଇନି ମଣିଷ

‘ସୁନ୍ଦରୀ’ ସହ ସିଆରପିଏଫ୍‌ ଯବାନଙ୍କ ମୁହାଁମୁହିଁ, ବନ୍ଧୁକ ଧରି ବୁଲୁଛନ୍ତି ଅଭୟାରଣ୍ୟ ବାସିନ୍ଦା

ଭୁବନେଶ୍ୱର : ସାତକୋଶିଆ ଅଭୟାରଣ୍ୟର ‘ସୁନ୍ଦରୀ’କୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି। ଟିକରପଡ଼ା ପଞ୍ଚାୟତ ହାତୀବାରି ଗାଁର କିିସନ ସାଏଙ୍କ ପତ୍ନୀ କୈଳାସୀ ସାଏଙ୍କୁ ‘ସୁନ୍ଦରୀ’ ମାରିନି। ବାଘୁଣୀ ଆକ୍ରମଣ କରିଥିଲେ ଶରୀରକୁ ଛାଡ଼ି ଯାଇ ନଥାନ୍ତା। ମୃତ ଦେହକୁ ସାଙ୍ଗରେ ନେଇଥାନ୍ତା। ବନ ବିଭାଗର ରିପୋର୍ଟ ଏମିତି କହୁଛି। ବିଭାଗ କହୁଛି, ବାଘୁଣି ଆକ୍ରମଣରେ କୌଳାସୀଙ୍କର ମୃତ୍ୟୁ ହୋଇନି। ବାଘୁଣୀ ମାରିବା ପରେ ଶରୀରରେ ଯେଉଁ ଚିହ୍ନ ରହିବା କଥା ସେଭଳି କିଛି ଦେଖାଯାଇ ନାହିଁ।

ଗାଁ ଲୋକେ କିନ୍ତୁ କହୁଛନ୍ତି ବାଘୁଣୀ ମାରିଛି। ଏଣୁ ପ୍ରକୃତ ଘଟଣାଟି କଣ ତାହାକୁ ନେଇ ସନ୍ଦେହ ଓ ଦ୍ୱନ୍ଦ୍ୱ ବଢିବାରେ ଲାଗିଲାଣି। ତଥାପି ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଜି ଗଣମାଧ୍ୟମକୁ କହିଛନ୍ତି।

ମନ୍ତ୍ରୀ ଶ୍ରୀ ରାଉତରାୟ ସ୍ପଷ୍ଟ କରିଛନ୍ତି ଯେ ‘ସୁନ୍ଦରୀ’କୁ ଫେରାଇବା ନେଇ ଏପର୍ଯ୍ୟନ୍ତ ଯୋଜନା ହୋଇନି। ବାଘୁଣୀକୁ ଆମେ ବାନ୍ଧବଗଡ଼କୁ ଫେରାଇ ପାରିବୁ ନାହିଁ। ଏଭଳି ନିଷ୍ପତ୍ତି ନେବାର ଅଧିକାରୀ ଆମର ନାହିଁ। ବାଘ ଆସିବା ଓ ଯିବା ନିଷ୍ପତ୍ତି ଓ୍ଵାଇଡ୍‌ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ନେଇଥାଏ। ସେମାନେ ଯଦି ଚାହିଁବେ ବାଘକୁ ଫେରାଇ ନେଇପାରିବେ। ବାଘୁଣୀ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି।

ମଶିଷ ମାରିବା ପରେ ଗତକାଲି ସାତକୋଶିଆ ଅଭୟାରଣ୍ୟରେ ‘ସୁନ୍ଦରୀ’ ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ମାଓବାଦୀ ବିରୋଧୀ କମ୍ବିଂ ଅପରେସନ ବେଳେ ସିଆରପିଏଫ୍‌ ଯବାନମାନେ ସୁନ୍ଦରୀ ସହ ମୁହାଁମୁହଁ ହୋଇଥିଲେ। ଉଭୟ ପରସ୍ପରକୁ ଚାହିଁ ରହିଥିଲେ। ବାଘୁଣୀ ରାସ୍ତା ଉପରେ ୫ରୁ ୬ ମିନିଟ୍‌ ଅଟକି ରହିଥିଲା। ଯବାନମାନେ ଭୟଭୀତ ନ ହୋଇ ବାରମ୍ବାର ଗାଡି ହର୍ଣ୍ଣ ମାରିବା ପରେ ବାଘୁଣୀ ବାଟ ଛାଡ଼ି ଦେଇଥିବା ନେଇ ସିଆରପିଏଫ୍‌ ଯବାନମାନେ ଆଜି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଗତକାଲି ଲୋକଙ୍କ ଲଙ୍କାକାଣ୍ଡ ପରେ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ବାଘୁଣୀକୁ ଫେରାଇ ନିଆଯିବ। ଆଜି ବିଭାଗୀୟ ମନ୍ତ୍ରୀ ଶ୍ରୀ ରାଉତରାୟଙ୍କ ଏଭଳି ମନ୍ତବ୍ୟ ପରେ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଶନିବାର ମଧ୍ୟରାତିରେ ଲୋକେ ଦେଇଥିବା କଣ୍ଟ ପୂରିବାକୁ ବସିଛି। ହାତରେ ଆଉ ମାତ୍ର ୨୪ ଘଣ୍ଟା ବାକି ଥିବା ବେଳେ ଏପର୍ଯ୍ୟନ୍ତ ବାଘୁଣୀକୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ତେଣୁ ‘ସୁନ୍ଦରୀ’ ପ୍ରତି ଏବେ ବିପଦ ଘନେଇବାରେ ଲାଗିଛି।

‘ସୁନ୍ଦରୀ’କୁ ହତ୍ୟା କରିବାକୁ ଲୋକେ ଧମକ ଦେଇଥିବାରୁ ଯେକୌଣସି ବି ସମୟରେ ସେମାନେ ବାଘୁଣୀକୁ ମାରି ଦେଇପାରନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକଙ୍କ ନିକଟରେ ବନ୍ଧୁକ ରହିଛି। ସେମାନେ ବାଘୁଣୀ ଉପରେ କଡ଼ା ନଜର ରଖିଛନ୍ତି। ଯଦି ବାଘୁଣୀ ଜନବସତି ଆଡ଼କୁ ଆସେ ତେବେ ଗୁଳି ମାରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ପରିବେଶବିତ୍‌ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ପ୍ରକୃତରେ ବାଘୁଣୀ ଆକ୍ରମଣ କରିଛି କି ନାହିଁ ତାହା ପ୍ରଥମେ ଜାଣିବାକୁ ପଡ଼ିବ। କୈଳାସୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଯଦି ବାଘୁଣୀ ମାରିଥିବା ପ୍ରମାଣିତ ହୁଏ ତେବେ ତାକୁ ଧରିବାର ଆବଶ୍ୟକତା ରହିଛି। ତା’ପରେ ମଧ୍ୟପ୍ରଦେଶ ସରକାରଙ୍କ ସହ ଓଡ଼ିଶା ସରକାର କଥା ହୋଇ ନିଷ୍ପତ୍ତି ନେବା ଆବଶ୍ୟକ। ବାଘୁଣୀକୁ ଉପଯୁକ୍ତ ସ୍ଥାନରେ ଛଡ଼ାଯାଇ ନଥିବାରୁ ଏଭଳି ସମସ୍ୟା ହୋଇଛି। ଏବେ ବି ଅଭୟାରଣ୍ୟ ଭିତରେ ୧୧୨ଟି ଗାଁ ରହିଛି। ସେଠାରେ ବାଘୁଣୀକୁ ଛାଡ଼ିବାର ନ ଥିଲା। ଲୋକଙ୍କ ସ୍ଥାନାନ୍ତର କରା ନଯାଇ ବାଘୁଣୀ ଛଡ଼ାଯାଇଥିବାରୁ ଏଭଳି ସମସ୍ୟା ହୋଇଛି। ବାଘୁଣୀ ଛାଡ଼ିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ହୋଇନି। ବାଘୁଣୀକୁ ଧରାଯିବା ପରେ ତାହାକୁ କୌଣସି ଚିଡ଼ିଆଖାନାରେ ରଖିହେବ ନାହିଁ। ବରଂ ମଧ୍ୟପ୍ରଦେଶ ପଠାଇଦେବା ଭଲ ହେବ।

ସାତକୋଣିଆରେ ବାଘ ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ବିବାଦ ଘନେଇବା ପରେ ନିଷ୍ପତ୍ତିରେ କିଛିଟା ପରିବର୍ତନ କରିବାକୁ ଯୋଜନା ଚଳାଇଛି ବନ ବିଭାଗ। ଆଗକୁ ଆଉ ଦୁଇ ହଳ ବାଘ-ବାଘୁଣୀ ଆସିବାର ଅଛି। ଯଦି ସାତକୋଶିଆରେ ଏଭଳି ବିରୋଧ ଲାଗିରହେ ତେବେ ସେମାନଙ୍କୁ ଅନ୍ୟ ଜଙ୍ଗଲରେ ଛଡ଼ାଯିବ। ଏଥିପାଇଁ ଶିମିଳିପାଳ, ସୁନାବେଢ଼ା ସମେତ ରାଜ୍ୟରେ ଥିବା କେତେକ ଜଙ୍ଗଲକୁୁ ଚିହ୍ନଟ କରିଛି ଜଙ୍ଗଲ ଓ ପରିବେଶ ବିଭାଗ।

୫ଗାଈଙ୍କୁ ମାରିଲା; ଗାଁରେ ଚାପା ଉତ୍ତେଜନା, ବିଟ୍‌ ହାଉସ୍‌ ଭଙ୍ଗାରୁଜା

ଆଠମଲ୍ଲିକ/ ପାଇକସାହି : ହାତୀବାରିରେ ମହିଳା ଶିକାର କରିବାର ୪୮ଘଣ୍ଟା ପରେ ବାଘୁଣୀ ‘ସୁନ୍ଦରୀ’ ଆଜି ପୁଣି ସାତକୋଶିଆ ଏବଂ ଆଠମଲ୍ଲିକ ବନଖଣ୍ଡ ସୀମାନ୍ତ ମଇମୁରା ପଞ୍ଚାୟତ ବିପ୍ରଡ଼ିହ ଗାଁର ୫ଟି ଗାଈଗୋରୁଙ୍କୁ ମାରିଥିବା ସରପଞ୍ଚ ସତ୍ୟାନନ୍ଦ ରାଉତ କହିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ଗାଁରେ ଆତଙ୍କ ଖେଳି ଯାଇଛି। ଗାଁ ମହିଳାମାନେ ବନ ବିଭାଗର ସ୍ଥାନୀୟ ବିଟ୍‌ ହାଉସ୍‌ ଭଙ୍ଗାରୁଜା କରିଛନ୍ତି। ସୂଚନା ପାଇ ପୁଲିସ ଗାଁକୁ ଯାଇଥିବା ଜଣାପଡ଼ିଛି।

ଗତ ମାସ ୨୭ତାରିଖ ଦିନ ସାତକୋଶିଆ ଡେଇଁ ଆଠମଲ୍ଲିକ ମୁହାଁ ହୋଇଥିଲା ବାଘୁଣୀ। ବିପ୍ରଡିହ ଗାଁ ପାଖକୁ ଆସି ଏକ ବାଛୁରୀକୁ ଜଙ୍ଗଲ ଭିତରକୁ ଝାମ୍ପି ନେଇଥିଲା। ଗତ ୧୨ତାରିଖ ଦିନ ହାତୀବାରିରେ ଜଣେ ମହିଳାଙ୍କୁ ମାରିଥିଲା। ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ଗାଁ ପାଖ ପଡ଼ିଆରେ ଗାଈଗୋରୁ ଚରୁଥିବା ବେଳେ ବାଘୁଣୀ ଝାମ୍ପ ମାରିଥିଲା। ଗାଁର ୫ଟି ଗାଈଗୋରୁଙ୍କୁ ମାରିଥିବା ସରପଞ୍ଚ ଶ୍ରୀ ରାଉତ କହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇଛନ୍ତି ବୋଲି ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସମ୍ୟକ ସାମନ୍ତରାୟ କହିଛନ୍ତି। କିନ୍ତୁ ଘଟଣା କେତେଦୂର ସତ୍ୟ ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର