କୋଟି କୋଟି ଖର୍ଚ୍ଚ ସତ୍ତ୍ବେ କାଶୀପୁରରେ ବିକାଶ ଶୂନ: ସପ୍ତଗିରି

ସଂସଦରେ ଉଠିବ କଲେରା ପ୍ରସଙ୍ଗ

ରାୟଗଡ଼ା: ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା କାଶୀପୁରର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ସହ ଜିଲ୍ଲା ଖଣିଜ ପାଣ୍ଠିରୁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।  ଅଥଚ ଆଦିବାସୀଙ୍କ ସାମାନ୍ୟ ବିକାଶ ହୋଇପାରିନି। ଗାଁ ଗାଁରେ ପିଇବା ପାଣି ସମସ୍ୟା, ମେଡିକାଲରେ ଡାକ୍ତର ନାହାନ୍ତି।  ଏଥି ସହିତ ଅଧିକାଂଶ ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ମୌଳିକ ସୁବିଧା ସୁଯୋଗ,ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ମେଡିକାଲ ସୁବିଧା ନଥିବାରୁ କାଶୀପୁରକୁ ଫେରିଛି କଲେରା। ମହାମାରୀରେ ଅନେକ ଆକ୍ରାନ୍ତ ସହ ୮ ଜଣଙ୍କ ଜୀବନ ଗଲାଣି। ଯାହା ସରକାରଙ୍କ ବିକାଶର ଗୋଲାପି ଚିତ୍ରକୁ ପଦାରେ ପକାଇଛି। ଏ ପ୍ରସଙ୍ଗ ସଂସଦରେ ଉଠାଇବା ସହ କାଶୀପୁରରେ ବିକାଶକୁ ତ୍ୱରାନ୍ୱିତ କରିବାକୁ ଦାବି କରିବେ ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା।
ଶ୍ରୀ ଉଲାକା କହିଛନ୍ତି କାଶୀପୁରରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ୧୯୮୬ ମସିହାରେ ସ୍ବର୍ଗୀୟ ରାଜୀବ ଗାନ୍ଧୀ ରାୟଗଡ଼ା ଗସ୍ତ କରିଥିଲେ।  ଆଇଫାଡ୍ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ଦେଇଥିଲେ।  ତଥାପି କାଶିପୁରବାସୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଘଟିନାହିଁ। ବିକାଶ ନାଁରେ ଡିଏମଏଫ ପାଣ୍ଠିରୁ ହରିଲୁଟ ଚାଲିଛି।  ସରକାର ଏଥି ପ୍ରତି ଗୁରୁତ୍ୱ ଦେଇ କାଶୀପୁରର ସମସ୍ତ ପଂଚାୟତରେ ପିଇବା ପାଣିର ବ୍ୟବସ୍ଥା, ରାୟଗଡ଼ାରେ ନମୁନା ପରୀକ୍ଷା ପାଇଁ ଆରଏମଆରସି ଲାବ୍ରୋଟାରୀ ସ୍ଥାପନ କରିବା ଆବଶ୍ୟକ।  ପିଇବା ପାଣି ଯୋଗାଇବା ପାଇଁ ଅର୍ଥର ଅଭାବ ନାହିଁ କେବଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ଶ୍ରୀ ଉଲ୍ଲାକା। ମହାମାରୀ ରୋକିବାକୁ ଜରୁରି ଟାସ୍କ ଫୋର୍ସ କମିଟି ଗଠନ କରିବାକୁ ମଧ୍ୟ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ଗାଁରେ ଥିବା ପୁରୁଣା ଜଳ ଉତ୍ସ ଗୁଡ଼ିକର ମରାମତି ହେଉନି କିମ୍ବା ନୂତନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଉନି ବୋଲି ସାଂସଦ ସପ୍ତଗିରି ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହକୁ ମଧ୍ୟରେ ଝାଡ଼ାବାନ୍ତିରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ୪୮ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କୋରାପୁଟ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସମ୍ବନ୍ଧିତ ଖବର